Unknown

 

 

 

 

 

 

 

 

 

ନଅତୁଣ୍ଡୀ

ଉତ୍କଳଭାରତୀ କୁନ୍ତଳାକୁମାରୀ ସାବତ

 

‘‘ପହିଲି କଥା’’

 

ମାଜଣାଆଡ଼େ ବିଦିଆର ଘର । ଖଣ୍ଡେଇତ ଘର ପୁଅ । ଲୋକଟି ବଡ଼ ଗରିବ, ମୂଲିଆମୁଣ୍ଡ, ଓଳିଏ ଖାଇଲେ ଆର ଓଳିକି ଦାନା ନାହିଁ । ତହିକି ପୁଣି ନିପଟ ଓଲୁ । ତୁମେ ଯେବେ ଟଙ୍କାକର ପଇସା ଗଣିବାକୁ ଦବ, ଆଉ ଟଙ୍କାକେ କେତେ ଅଣା ପଚାରିବ, ବୁଢ଼ା ଘଡ଼ିଏ ଖଣ୍ଡେ ତୁନି ହେଇ ଭାବିଚିନ୍ତି ଜବାବ ଦବ, କେବେ ଷୋଳ ଅଣାତ କେବେ ସତର ଅଣା । ବୁଢ଼ା ଘଟରେ ବୁଦ୍ଧି ବୋଇଲେ ଏତିକି, କିନ୍ତୁ ତା’ ଭାରିଯା ଗେଲ୍‌ହୀ ଆଉ ଝୁଅ ରତନୀ ନାଁ ଗାଁ ଗଣ୍ଡାକରେ ବିଖ୍ୟାତ । ସେମାନେ ମସ୍ତ କଜିଆ ଖୋରଣୀ, କଣ୍ଟା ବାଡ଼ରେ ଲୁଗା ପକାଇ କଜିଆ କରିବେ । କଳି ବୋଇଲେ ବାନା । ଗାଁ ମାଇପେ ତାଙ୍କ ଜ୍ୱାଳାରେ ଅଥୟ । ପର ଘର ଭାଙ୍ଗିବା ତୁଚ୍ଛାକୁ ତୁଚ୍ଛା ୟା’ ମନ ତାଠି ତା’ ମନ ୟାଠି ବିରିସେଇବା, ବୋହୂ ବିରୁଦ୍ଧରେ ଶାଶୁକୁ, ଶାଶୁ ବିରୁଦ୍ଧରେ ବୋହୂକୁ ମତେଇ କଣ ଯେ କଳିକନ୍ଦଳ ଭିଆଣ କରନ୍ତି ତାର ସୀମା ନାହିଁ । ହେଲେ କହିବ କିଏ ? କାହା ଜିଭରେ ହାଡ଼ଟା’ ଅଛି ?

 

ଲୋକେ କହନ୍ତି ଗେଲ୍‌ହୀ ଶ୍ରେଷ୍ଠ ପଧାନଘର ଝୁଅ । କୁଆଡ଼େ ଆଗ କାଳରେ ତାଙ୍କ ଘର ପୁଅମାନେ ନଢ଼େଇକି ଯାଇ ବୀରପଣିଆ ଦେଖେଇ ଶାଢ଼ି ଶିରପା ପାଇଥିଲେ । ଆଜିଯାକେ କିନା ତା’ ବାପ ଘରେ ଖଣ୍ଡେ ଦନ୍ଥଡ଼ା କଟାରୀଟା ପୂଜା ହୁଏ । ସେ ସବୁ ଓଡ଼ିଆ ଅମଳ କଥା । ମୁକୁନ୍ଦଦେବ ଯେତେବେଳେ ଲକ୍ଷେ ରଜାର ମଉଡ଼ମଣି ଥିଲେ; ସେତେବେଳେ ୟାର କୋଉ ତା’ ବାପ, ତା’ ବାପ, ତା’ ବାପର ଚଉଦପୁରୁଷ ଆଗର କହ୍ନେଇ ପଧାନ ପଠାଣଙ୍କ ସାଙ୍ଗରେ ଯୁଦ୍ଧକରି ତାଙ୍କୁ ହଟେଇ ଦେଇଥିଲା, ଆଉ ରଜା ପଦ ଦେଇଥିଲେ ଗଡ଼ନାୟକ । ଆଜି ଯାକେ ଗଡ଼ନାୟକ ଘର ଝୁଅ ବୋଲି ଗେଲ୍‌ହୀର ଟାଣ କିଏ ଦେଖିବ ।

 

ପୋଖରୀ ତୁଠରେ ଶୁଣିବ ତା’ ବୟାନ । ସେଠି ଦାନ୍ତ ଘସୁଥିବ, ପିତ୍ତଳ ଖଡ଼ୁମୁଠାଟା ମାଜୁଥିବ, ନଇଲେ ଆଣ୍ଠିଏ ପାଣିରେ ଠିଆ ହୋଇ ଗୋଡ଼ ଘସୁଥିବ, ଆଉ ଗାଉଥିବ ନିଜ ପୂର୍ବପୁରୁଷଙ୍କ କୀର୍ତ୍ତି ! ବେଶି ପୁଣି ଯେଉଁଦିନ ବିଦିଆ ବୁଢ଼ା ସାଙ୍ଗେ କଜିଆ ଲାଗିଥିବ, ସେ ଦିନ ସ୍ୱାମୀ ବଅଁଶର ନୀଚ ପଣିଆ ସାଙ୍ଗେ ନିଜ ବାପ ଜେଜେ ବାପର ବଡ଼ ପଣିଆକୁ ଉଲୁଖା ଦେଇ ବକୁଥିବ । ଶୁଣିବା ଲୋକେ ବି ମିଳନ୍ତି ଅନେକ ।

 

କିନ୍ତୁ ସତ କହିବାକୁ ଗଲେ, ବିଦିଆ ବି ଊଣା ଘର ପିଲା ନ ଥିଲା; ଆଜି ସିନା ଗରିବ ହେଲା । ତା’ ବାପ ମାଁ ଥିଲେ ବିଦିଆର ଏ ଦଶା ହେଇ ନ ଥାନ୍ତା । ବିଚରାଟିର ବଡ଼ ଅଭାଗ୍ୟ କପାଳ, ତିନି ମାସର ହେଇଥିଲା ବାପ ମଲା, ତିନି ବର୍ଷ ନୋହୁଣୁ ମା ମଲା । ବିଦିଆକୁ ଆଉ ଦେଖିବ କିଏ ? ଖୁଡ଼ୀ ଖୁଡ଼ୁତା ସବୁ ସମ୍ପତ୍ତି ମାଇଲେ । ଗାଁଆର ସାହାଲାରେ ତାଙ୍କ କୋଠାବାଡ଼ୀ । ଖୁଡ଼ୀର ଅତ୍ୟାଚାର ସହି ନ ପାରି ବିଦିଆ ଘର ଛାଡ଼ି କେତେ ବର୍ଷ କୁଆଡ଼େ ପଳେଇ ଯାଇଥିଲା । ଫେରି ଆଇଲାବେଳକୁ ଖୁଡ଼ୀର କାଳ ହୋଇ ସାରିଥିଲା । ଖୁଡ଼ୁତା ତାକୁ ଆରଗାଁ ପଧାନର ଝିଅ ଗେଲ୍‌ହୀ ସାଥିରେ ହାତକୁ ଦିହାତ କରି ଦେଲା । ହେଲେ କଣ ହବ, ଗେଲ୍‌ହୀର ତ ଯା’ ନଣନ୍ଦ ସାଙ୍ଗେ ଦଣ୍ଡେ ପଡ଼ିଲା ନାହି । ଦିନ ରାତି କଳି କରି ସ୍ୱାମୀକୁ ଶିଖେଇ ଭିନ୍ନ ହେଲା । ସେତେବେଳେ ବିଦିଆର ବି ବୟସ ଥିଲା । ଦୋଟି ପୁଅ ହୋଇଥିଲେ ।

 

ଭାର୍ଯ୍ୟା ଶିକ୍ଷାରେ ପଡ଼ି ଭିନ୍ନ ହବାର କୋଡ଼ିଏ ବର୍ଷ ହବ । ହେଲେ ସ୍ୱାମୀକୁ ହାତ ମୁଠା ଭିତରେ ରଖି ଭିନ୍ନଭାନ୍ନ ହେଇ ଗେଲ୍‌ହୀର କିଛ ଯଶ ହେଲା ନାହିଁ । ହଇଜାରେ ପୁଅ ଦୋଟିଯାକ ମଲେ । ସେତେବେଳକୁ ରତନି ଜନମ ହୋଇଥାଏ । ପୁଣି ଥରେ ବୈଶାଖ ଜ୍ୟେଷ୍ଠ ଆଡ଼ିକି ବିଦିଆକୁ ବଡ଼ ଶୁଳା ପୋଖରୀ ଧଇଲା । କିଛିରେ ଯୋଉଠୁ ଭଲ ନୋହିଲା ଗାଁ ବଇଦ ମାଗୁଣି ମିଶ୍ରେ ବତେଇଲେ, ଅଧଲାକର ଆପୁ ଖା’ । ବୁଢ଼ା ଅଧଲାକର ଆପୁ ଖାଇବା ଅଭ୍ୟାସ କଲା । ମହାପୁରୁଷ କଇଲାଣରେ ରୋଗଟା ତ ଭଲ ହେଲା, ଆପୁ ଛାଡ଼ିବା ଦୂରେ ଥାଉ, ବଢ଼ି ବଢ଼ି ଆଜିକାଲି ଦଶ ପଇସାରେ ଠେକିଲାଣି । ଅଫିମ ଖାଇଲାଦିନୁ ବିଦିଆର ଆଗ ମତି ଗତି ନାହିଁ । ସେମିତି ଚଞ୍ଚଳ, ସେମିତି କାମିକା, ସେମିତି ବୁଝକପଣିଆ କୁଆଡ଼େ ଗଲାଣି । ରୋଗ ବଇରାଗ, ନିଶାପତ୍ରରେ ସବୁ ଗଲାଣି ! ଅଛି ଖାଲି ମୁଣ୍ଡ ଗୁଞ୍ଜିବା ଚାଳ ଖଣ୍ଡିକ । ସେହିଟାବି ଏ ବରଷ ଛୁଆଣି ହେଲାପରି ଦିଶୁ ନାହିଁ । ଟଙ୍କା କାହିଁ ଯେ ହବ ।

 

ଘର ଚଳାନ୍ତି ଗେଲ୍‌ହୀ ଆଉ ତା’ ଝିଅ । ଦୁଃଖ ଧନ୍ଦା କରି, ଧାନ କୁଟି, ଧାନ ଉସେଇଁ ପର ଘର ପାଞ୍ଚପାଇଟି କରି ମା ଝିଅ ଚଳନ୍ତି । ମା ଝୁଅ ଯୋଡ଼ିକ କିନ୍ତୁ ବଡ଼ କର୍ମଶୀଳ । ଗାଁ ଗୋଟାକରେ ଲୋକେ ତାଙ୍କୁ ସେଇ ଗୁଣରୁ ଏକା ପାଖରେ ପୂରାନ୍ତି । ଯେଡ଼େ ଭିଡ଼ କାମ ହଉ, ଗେଲ୍‌ହୀ ରତନିର ଡ଼ର ନାହିଁ । ପୁଅ ମଲା ଦିନୁଁ ଗେଲ୍‌ହୀର ଟିକେ ବଳ ଭାଙ୍ଗି ଗଲାଣି । କିନ୍ତୁ ରତନୀ ସବୁଥିକି ଆଗୁସାର ।

 

ରତନୀ ଦେଖିବାକୁ ସୁନ୍ଦର ସତ, ବର୍ଣ୍ଣବି ମସିଆ ନୁହେ । ଡଉଲ ଡାଉଲ ଗୋଲଗାଲ ଚେହେରା । ହେଲେ ନାକଟା ଟିକେ ଚେପ୍ଟା । କିନ୍ତୁ ସେ କଥା ତାକୁ କିଏ ଭରସି କରି କହିବ; କେଜାଣି କଥାରେ ତୁମ ଅନ୍ତପିତ୍ତ ଦୁହିଁ ଦବ । ତା’ ପରି ସାହସୀ ଆଉ ଜବରବୁକୁ ଝିଅ ସେ ଅଞ୍ଚଳରେ ଆଉ ଦୋଟି ନ ଥିଲେ । ଆଖପାଖ ଗାଁ ଗଣ୍ଡାରେ ମଧ୍ୟ ତା’ ନାଁ ପଡ଼ୁଥିଲା । ପାଣିରେ ପହଁରିବାକୁ, ଗଛ ଚଢ଼ିବାକୁ, ବିଲବାରି ହଣାମରା କରିବାକୁ, ଧାନ କୁଟିବାକୁ, ଧାନ ଉସେଁଇବାକୁ ରତନୀ ଯେମିତି ପାରେ ଆଉ କିଏ ସେମିତି ପାରିବ ? ପାଣିକଢ଼ାରେ ସେ ସଭିଙ୍କି ଜିତେ । ପୁଣି ଖୋରଣୀ ପଣରେ ତହିଁକି ବଳ ।

 

ଭାରି କଜିଆଖୋରଣୀ କହିଲେ ବି ତାଙ୍କ ଗୁଣକୁ ଯଥେଷ୍ଟ ନୁହେ । ତାଙ୍କୁ ପୁରୁଷ ସ୍ତ୍ରୀ ପିଲା ବୁଢ଼ା ସଭିଏଁ ଭୟ କରନ୍ତି । ଥରେ ବିଦିଆ ଘରେ ଗୋଟାଏ ଚୋର ପଶିଥିଲା । ତା’ ଘରେ ବା କଣ ଅଛି, କଁସା ଥାଳି ପଟକ । ଚୋରର ଖଡ଼ଖଡ଼ରେ ରତନିର ନିଦ ଭାଙ୍ଗିଲା । ମାକୁ ଠେଲି ଉଠେଇ ଦେଇ ଗୋଟିଏ ଫାରସା ଧରି ଚୋରକୁ ଗୋଡ଼େଇ ଗଲା । ଚୋର ତ କାନ୍ଥ ଡେଇଁ ପାର-। ମା ଝିଅ ହାଉଳିରେ ଗାଁ ଲୋକେ ଧାଇଁ ପଡ଼ିଲେ । ବିଦିଆ ତ କୋଣରେ ବସି ଥରୁଥାଏ ସେତେବେଳକୁ ‘ଚୋ’ ‘ଚୋ’ କହି ତା’ ପାଟି ପଡ଼ି ଗଲାଣି । ଲୋକେ ଆଜିଯାକେ ଏ କଥା ଗପ କରନ୍ତି ।

 

ରତନିକି ଆସି ହେଲାଣି ଷୋହଳ ବର୍ଷ । କିନ୍ତୁ ବାହା ସାହାର ନାଁ ନାହିଁ । ତାକୁ ବା ବାହା ହବ କିଏ ? ସେ ତ ପକ୍କା କଜିଆଖୋରଣୀ । ରତନୀ ନାଁ କିଏ ଶୁଣିନାଇଁ ଯେ ତାକୁ ଭରସି ବୋହୂ କରିବ । ବିଦିଆର ବା କଣ ସମ୍ୱଳ ଅଛି ? ହେଲେ ଥରେ ରତନୀ ଭାଗ୍ୟରେ ଗୋଟିଏ ବର ଘଟଣା ହେଇଥିଲା । ତା’ ନାଁ ଭାଲୁଆ, ଭାଲୁଆର ଜାତି ବି ଭଲ ନୁହଁ, କି ତା’ ଗୁଣ ବି ଭଲ ନୁହଁ । ଗଞ୍ଜେଇ ଖିଆରେ ପାଶ୍‌ । ଦିନେ ଆଖଡ଼ାରେ କଣ କଥା ପଡ଼ୁ ପଡ଼ୁ ନବଘନିଆ ତାକୁ ଥଟ୍ଟା କରି ରତନିର ବର ବୋଲି କହିବାରୁ ସେବି ସତକୁ ସତ ରତନୀକି ବାହା ହବାକୁ ମଙ୍ଗିଲା । ଗାଁ ଯାକ ସମସ୍ତେ ଜାଣନ୍ତି ରତନୀ ମା ଯେମିତି ଖୋରଣୀ, ତା ଝିଅ ସେମିତି ଖୋରଣୀ । ଜାଣି ଜାଣି ପିଲାମାନେ ତାଙ୍କ ସାଙ୍ଗେ ଲଗାନ୍ତି । ଭାଲୁଆ ପରି ଦୁଷ୍ଟ ସେ ଖଣ୍ଡକରେ ନ ଥାନ୍ତି ।

 

ଦିନେ ଗେଲ୍‌ହୀ ଗାଧେଇ ଆସୁଥିଲା, ମାରକଣ୍ଡିଆ ତା’ ପଛାଡ଼େ ତାଳି ମାରି ମାରି କହିଲା, ‘‘ଭାଲୁଆ ଶାଶୁ ! ଭାଲୁଆ ଶାଶୁ !’’ ଗେଲ୍‌ହୀ କାନରେ ପଡ଼ିଗଲା । ସେ ମାରକଣ୍ଡିଆକୁ ଧରି ନିର୍ଦ୍ଧୁମ ଛେଚିଲା । ମାରକଣ୍ଡିଆ କାନ୍ଦି ବୋବେଇ ଯାଇ ତା’ ବାପ କତିରେ ଗୁହାରୀ କଲା । ବାପ ମଦନା ଏ କଥା ଶୁଣି ସେହିକ୍ଷଣି ଗେଲ୍‌ହୀ ଦୁଆରେ ଯାଇ ହାଜର । ଗେଲ୍‌ହୀର ତାର ଆଚ୍ଛା ଦି’ପଟା କଜିଆ ଲାଗିଗଲା । ଗାଁର ପାଞ୍ଚ ଭଲଲୋକ ମିଶି ନିଷାପ କଲେ । ଗେଲ୍‌ହୀ କଜିୟା କଲା, ବିଦିଆ ଦେଲା ଟ ଠ୍ୟ ପଇସା ଜୋରିମାନା ! ବିଦିଆ ତ ଓଲୁ । ଜାତି ଭଲ ଲୋକ ଗଲାରୁ ଗେଲ୍‌ହୀକି ଶୋଧିଲା । ସେଠୁ ତାର ଗେଲ୍‌ହୀର ରାତି ଅଧରେ ଭାରି କଜିଆ ଲାଗିଲା । ସାଈ କମ୍ପିଲା । ରାଗରେ ବିଦିଆ ରାତି ରାତି ଉଠି ଖୋରଧା ପଳେଇଲା ।

 

ଆଉ ପନ୍ଦର ଦିନଯାକେ ବିଦିଆର ଦେଖାନାହିଁ । ଗାଁରେ ସ୍ତ୍ରୀମାନେ ଭିତରେ ଭିତରେ ବିଦିଆ ଆଉ ଗେଲ୍‌ହୀ କଥା ଫୁଟୁରୁ ଫୁଟୁରୁ ହେଲେ । ଗେଲ୍‌ହୀ କାନରେ ପଇଲା । ପୋଖରୀ ତୁଠରେ ସାତ ପାଞ୍ଚ ମାଇକିନା ଗାଧୋଉ ଥିଲେ । ବେଳ ବୁଝି ଗେଲ୍‌ହୀ କଥାଟା କାଢ଼ିଲା । ନଇଖଣା ଭାରିଯା ସେଥିରେ ପଦେ ବିପଦ କହିଲା । ନବଘନିଆ ମାଁ ସେଥିରେ ମିଶିଗଲା । ଭାଲୁଆ ମାଁ ଥିଲା ଥିଲା କହିଲା । ‘‘ହ, ଚେପଟୀ ନାକୀ, କଠଉଗୋଡ଼ୀ କି ବୋହୁ ନ କଲେ ମୋ’ ଦିନ ସରୁ ନାହଁ । ଝିଅର ରୂପ ବର୍ଣ୍ଣନା ଶୁଣି ଗେଲ୍‌ହୀ ବାରୁଦ ପରି ଜଳି ଉଠିଲା । ସେ ଏକାବେଳେ ଯାଇ ତା’ ଉପରେ ପଡ଼ିଲା । ପିତ୍ତଳ ଖଡ଼ୁରେ ଖୁବ୍‌ ମାଇଲା, ସେଦିନ ଭାଲୁଆ ମାଁ ତା’ ହାତରୁ ମାଡ଼ ଖାଇ କେତେଦିନ ତା’ ପିଠି ପରାସ ହୋଇ ରହିଲା । ବାରଦିନ ବିଛଣାରୁ ଉଠି ପାରିଲା ନାହିଁ-। ଗାଁ ଲୋକେ ପୁଣି ନିଷ୍ପତ୍ତି କଲେ ।

 

ତାଙ୍କ ଗାଁର ପଧାନ ବେହେରା ନାଁ ବାଇଧର ଜେନା; ସେ ପୁଣି ଗେଲ୍‌ହୀର ଦେଢ଼-ଶୁର । ସେ ତାଙ୍କର ଜମିବାଡ଼ି ସବୁମାରି ଥାଏ । ଗେଲ୍‌ହୀ ଦାଉ କେମିତି ନବ ଉଣ୍ଡୁଥାଏ । ରାଗରେ ତା’ହାଡ଼ କଡ଼ କଡ଼ ଡ଼ାକୁଥାଏ । ଥରେ ତାଙ୍କର ଜାତିସଭା ବସିଥିଲା । ପାଞ୍ଚ ପଞ୍ଚୁ ବଇଥିଲେ ନ୍ୟାୟ ନିଷାପ ହଉଥିଲା । ଗେଲ୍‌ହୀ ଯାଇ ହାଜର । ସେ ଦିନ ସେ ସମସ୍ତଙ୍କୁ ତା’ ପ୍ରାଣପଣେ ଶୋଧିଲା । ତାଙ୍କ ଘରେ ଯାହା ଯାହା ହୋଇଥିଲା ସବୁକଥା କାଢ଼ିଲା । ପରର ଛିଦ୍ର ଖୋଜି ବୁଲିବା ଥିଲା ତା’ କାମ । ଗାଁ ପଞ୍ଚାଏତର ବାଉରୀ ବନ୍ଧୁ ସାହାଣୀର ଝିଅ କଲିକତା ଚାଲି ଯାଇଥିଲା, ନିତେଇ ପଧାନ ବୋହୂ ଅଫିମ ଖାଇ ମରିଥିଲା, କିଏ କାହାର କଁସା ଚୋରି କରିଥିଲା ଏସବୁ ବୟାନ କଲା । ସେଠୁ ଭାରି କଜିଆ ଗୋଳ ଲାଗିଗଲା । ଚେମୀ ମାଁ ସଇତା ଘରୁ କେତେ ଗୌଣୀ ଧାନ ଚୋରି କରିଥିଲା-। ଗେଲ୍‌ହୀ ତାକୁ ଧରା ପକାଇଦେଲା । ସବୁକଥା ନିଷାପ ହଉଁ ହଉଁ ମାସେଖଣ୍ଡେ ଲାଗିଲା । ହେଲେ କଜିଆ ଥମିଲା ନାହିଁ ।

 

ସକାଳେ ଉଠି ଶୁଣ ସେ ଗାଁରେ କଜିଆ ଲାଗିଛି, ସଞ୍ଜେ ଶୁଣ ସେ ଗାଁରେ କଜିଆ ଲାଗିଛି-। ଗେଲ୍‌ହୀ ନିଜେ କେବଳ କଜିଆ କରେ ତା’ ନୁହେଁ, ଲଗେଇ ଜୁଟେଇ ଢେର କଜିଆ ଭିଆଣ କରେ । ଗେଲ୍‌ହୀ ସାଙ୍ଗକୁ ଆହୁରି କେତୋଟି ବୁଢ଼ୀ ସେ ଗାଁରେ ଥାନ୍ତି । ଗେଲ୍‌ହୀ ଥାଏ ତାଙ୍କ ସରଦାର । ଗୋବରା ପିଣ୍ଡାରେ ନିତି ସନ୍ଧ୍ୟାକୁ ବୁଢ଼ୀଙ୍କର ସଭା ହୁଏ, ଗେଲ୍‌ହୀ ହୋଇଥାଏ ସଭାପତି । ସେ ବର୍ଷ ମୋଟେ ଖେତ ହେଲା ନାହିଁ । ସୁନ୍ଦରା ନାହାକ ବାଇଧର ଜେନାର ଜମି ଧରିଥାଏ । ଗେଲ୍‌ହୀ ଓରବୁଝି ବାଇଧର ଜେନାଘର ଚାକିରାଣୀ ସୋବି ଆଗରେ ଗାଧୁଆ ତୁଠରେ ଦିନେ କହିଲା, ‘‘ସୁନ୍ଦରା ନାହାକ ବାଇଧରର ଦି’ ଭରଣ ଧାନ ଖାଇ ଯାଇଚି ।’’ କଥାଟା ବାଇଧର କାନରେ ଉଠିଲା । ସେ ଭାରି ସନ୍ଦେହୀ ଲୋକ । ଗଲା ସୁନ୍ଦରା ନାଁରେ ମକଦ୍ଦମା କରି । ମକଦ୍ଦମା ଲାଗିଲା ଛମାସ ! ଖୁବ୍‌ ଥୋଡ଼ାଏ ଟଙ୍କା ଖରଚ ହେଲା । ଖୋରଧା କଚିରୀକି, ଆଉ ପୁରୀକି ଦଉଡ଼ି ଦଉଡ଼ି ତାଙ୍କର ଗୋଡ଼ରୁ ପାଣିମଲା । ଗେଲ୍‌ହୀର ହିଂସା ଲାଗିଥାଏ । କଣ୍ଡୁରିଆ ଘରେ ଗୋଟାଏ ଗୋରୁମଲା, ସେ ବିଚରା ଜାଣି ନାହିଁ । ଗେଲ୍‌ହୀ ଯାଇ ସନେଇ ମହାପାତ୍ରକୁ ଖବର ଦେଇ ଆଇଲା । ମହାପାତ୍ରେ ସେହିକ୍ଷଣି ଧାଇଁ ଆସିଲେ ପ୍ରାୟଶ୍ଚିତ ହେଲା, କ୍ରିୟା କର୍ମ୍ମ ହେଲା, କଣ୍ଡୁରିଆ ଥୋଡ଼ାଏ ଟଙ୍କା ବୁଣିଲା, ତ୍ରାହୀ ପାଇଲା ।

 

ଦରଜୀ ସାହୀରେ ଧୋବି ମହାରାଣା ଘରେ କୁଷୁନିଆ ନିଆଁ ନଗେଇ ଦେଇଥିଲା । ଏକଥା ଗେଲ୍‌ହୀ କୋଉଠୁ ଖବର ପାଇ ଯାଇ ଧୋବି ଆଗେ କହିଲା । ସେଠୁ ସେ ସାହିରେ ଭାରି ଗଣ୍ଡଗୋଳ ଲାଗିଲା ।

 

ଏମିତି ବରାବରି ହେବାର ଲୋକେ ଗେଲ୍‌ହୀ ସାଙ୍ଗେ କାରବାର ବନ୍ଦକଲେ । ତା’ ଦୁଆର ପଇଲା । କେହି ଆଉ ତାଙ୍କ ଘର ପାଖ ଦେଇ ଯିବା ଆସିବା କଲେ ନାହିଁ । ଗାଁ ଟୋକାଏ ଗେଲ୍‌ହୀ କି ନାଁ ଦେଲେ ‘ଏଗାର ତୁଣ୍ଡୀ’ ଗେଲ୍‌ହୀ ସାଙ୍ଗକୁ ରତନୀ ହୋଇ ଆସିଲା ସେଠୁ ତା’ ନାଁ ହେଲା ‘ନଅତୁଣ୍ଡୀ ।’-

 

ସମସ୍ତେ ଗେଲ୍‌ହୀ ଦୁଆର ମଡ଼ା ଛାଡ଼ିଲେ ସତ, ଏକା ଲୋକି ମହାରଣା ଘର ଗେଲ୍‌ହୀ ସାଙ୍ଗେ ବରାବରି ଚଳି ଆସିଲେ । ଖୋରଣୀ ହେଲେ କଣ ଆଉ ସାଙ୍ଗ ସରିଷା ମିଳିବେ ନାହିଁ । ଲୋକି ବାପ ନାଁ ସତୁରା । ତାର ଆଉ ବିଦିଆର ବଡ଼ ସାଙ୍ଗ । ପିଲାଟି ଦିନୁ ଏକାଠି ଖେଳାବୁଲା, ଚାହାଳି ଯିବା ସବୁ ହେଇଥିଲା । ଦି’ଜଣଙ୍କର ଯେମିତି ଏକା ପ୍ରାଣ ।

 

ଯେତେବେଳେ ଭାଇ ଭଗାରୀଙ୍କ ହିଁସାରେ ବିଦିଆ ଭିନ୍ନ ହେଲା, ସେତେବେଳେ ସତୁରା ତାକୁ ଆପଣା ଘର ପାଖ ଡିହଟା ଘର କରି ରହିବା ସକାଶେ ଦେଲା । ସତୁରା କୋଉକାଳୁ ମଲାଣି, ଅଛି ଖାଲି ଲୋକା । ଲୋକା ପୁଣି ଭଗବାନପୁର ରାଉତୁରା’ ଘରେ କାମ କରେ । ଭଗବାନପୁର ରାଉତୁରା ବଅଁଶକୁ କିଏ ନ ଚିହ୍ନେ ? ତାଙ୍କର ସାତପୁରୁଷିଆ ଜମିଦାର ଘର, ନାଁ ଡାକ ଜାତିରେ ଚଷା ହେଲେ ମଧ୍ୟ ଧନ, ମାନ ସକାଶେ ଆପଣାକୁ ମାହାନ୍ତି ବୋଲାନ୍ତି । ତାଙ୍କର ଧାନଜମି କିଜାଣି ଶଏ ବାଟି ଉପରେ । ବୁଢ଼ା ଜମିଦାର ଯଦୁମଣି ରାଉତୁରାଙ୍କର ଦି’ସଂସାର ପୁଅ ଛଅଟାକୁ ଝିଅ ପାଞ୍ଚଟା । ଗଣ୍ଡାଏ ଝିଅ ମରିଛନ୍ତି । ସାନଟା ବାଲୁବିଶି ଆଡ଼େ ବାହା ହୋଇଛି । ବୁଢ଼ାଙ୍କର ୧୦ ବର୍ଷ ହେଲା କାଳ ହେଲାଣି । ସାନ ଭାରିଯା ବି ସଭାସାନ ପୁଅ ହରିର ଜନ୍ମବାସିଦିନ ମରିଛନ୍ତି ।

 

ବଡ଼ପୁଅ ଶିବଚନ୍ଦ୍ର ଜମିଦାରୀ ବୁଝନ୍ତି । ତାଙ୍କ ଭାରିଯାଙ୍କର ପିଲାପିଲି ମୂଳରୁ ନାହିଁ । କୋଠାବାଡ଼ି କଥା ବୁଝନ୍ତି ଗୋବିନ୍ଦ । ପୁରୀରେ, କଟକରେ ୟାଙ୍କର ଅନେକ କୋଠାଥାଏ; ଭଡ଼ାଲାଗି ଥାଏ । ମଧୁବନ, ମାଜଣାଆଡ଼େ ଅନେକ ଜମି ଆଉ ଆମ୍ୱ ତୋଟାଥାଏ । ବୀର ତ ଯାଯପୁର ଆଡ଼େ ଓକିଲ । ନବୀନ ଘରେ ଥାନ୍ତି; ସେ ଭାରି ଦେଶଭକ୍ତ । ତାଙ୍କଠି ଦେଖିବ ନାହିଁ ଖଣ୍ଡେ ବିଦେଶୀ ଜିନିଷ । ହାତକଟା ସୂତାର ମୋଟ ଲୁଗା ଯେଡ଼େ ଗରମ ଦିନ ହଉପଛେ ପିନ୍ଧି ବୁଲୁଥିବେ । ମାଁ ମାଉସୀ ଗାଳି କଲେ ବି ଶୁଣନ୍ତି ନାହିଁ । ହସି ହସି କହନ୍ତି, ‘‘ଆପଣା ଦେଶର ଭାତ କପଡ଼ା, ଛାଡ଼ିଲେ ହବଟି ରାଇଜ ଛଡ଼ା ।’’ କଣ ଆମେ ଓଡ଼ିଆ ଦେଢ଼ ଗୋଡ଼ିଆ, ଆମର ହାତେ ଓସାର ଚାଖଣ୍ଡେ ଲମ୍ୱ ଲୁଗା ହେଲେ ବି ଚଳେ । ଲୋକଟି ଭାରି ନକଲିଆ । କଥାରେ ମଣିଷକୁ ହସେଇ ହସେଇ ପେଟପରାସ କରିବେ । କିନ୍ତୁ କାମିକା ମଣିଷ । ପ୍ରଜାଙ୍କର ଭାରି ଭଲ ଚାହାନ୍ତି । ତାଙ୍କ ଚେଷ୍ଟାରେ ଗାଁରେ ଅନେକ ଭଲକାମ ହେଲାଣି । ଗାଁରେ ପୋଖରୀମାନଙ୍କରେ ଦଳମାଡ଼ି ତୁଆକୁ ତୁଆ ତାଙ୍କ ଗାଁରେ ବଡ଼ ମେଲେରିଆ ଜର ଧଇଲା । ଲୋକେ ଛାନିଆ ହେଁଇ ଘର ଦ୍ୱାର ଛାଡ଼ି କଲିକତା, ରେଙ୍ଗାମ ଆଡ଼େ ପଳେଇଲେ । ଅନେକ ବି ମଲେ । ପୁଣି ବଡ଼ ଦୁର୍ଭିକ୍ଷ ହେଲା । ନବୀନବାବୁ ବଡ଼ଭାଇଙ୍କି କୁହାପୋଛା କରି ପ୍ରଜାଙ୍କ ଖଜଣା ମାଫି କରେଇଲେ, ଆଉ ପୋଖରୀରୁ ଦଳକାଢ଼ିବାରେ ଅନେକ ଟଙ୍କା ଖର୍ଚ୍ଚ କଲେ । ଦଳ କିନ୍ତୁ ଜମାରୁ ମରୁ ନ ଥାଏ । ଶେଷକୁ ବାଧ୍ୟ ହୋଇ ଗୋଟିଏ ଯୋଡ଼ିଏ ପୋଖରୀ ବିବାକ ପୋତିଦେଇ ତିନିଟା କୂଅ ଖୋଳେଇ ଦେଲେ । ଜମିଦାରୀର କଣ ଊଣା ତହବିଲ ଖରଚ ହେଲା ? ବଡ଼ଭାଇ ଗାଳି କଲେ ! ଏମିତି ପ୍ରତିବର୍ଷ କଲେ ଭିକ ମାଗିବୁ କହିଲେ । ନବୀନ ସବୁ ଶୁଣନ୍ତି, ପଛନ୍ତେ ଯୋଉ କଥାକୁ ସେଇ କଥା । ପ୍ରଜାଏ କିନ୍ତୁ ତାଙ୍କ ଧନ୍ୟ ଧନ୍ୟ କହନ୍ତି ।

 

କୃଷ୍ଣଚନ୍ଦ୍ର ନବୀନ ଭାଇଙ୍କୁ ଭାରିମାନି ଚଳନ୍ତି । ଦେଶ ଚିନ୍ତା ତାଙ୍କୁ ଷୋଳପଣି ଘେରିଥାଏ-। ଦେଶର ଆଦର୍ଶ କେମିତି ହବ, ସାଧାରଣ ଲୋକେ କେମିତି ଶିକ୍ଷା ଦୀକ୍ଷା ପାଇବେ, ଆମ ଦେଶ ଝିଅମାନେ କେମିତି ପଦାକୁ ବାହାରିବେ, ପୁରୁଷଙ୍କ ସାଙ୍ଗେ ପାଞ୍ଚଟା ଭଲକାମରେ ମିଶିବେ; ଆଜିକାଲି ଯେମିତି ଦୁର୍ଭିକ୍ଷ, ଜ୍ୱର ଚାରିଆଡ଼େ ମାଡ଼ିଗଲାଣି ସେସବୁ କେମିତି ଯିବ ଏସବୁ କଥାର ତଦନ୍ତରେ ହରି, କୃଷ୍ଣ ଆଉ ନବୀନ ଏ ତିନିଭାଇ ଯାକ ବରାବର ଲାଗିଥାନ୍ତି ।

 

କୃଷ୍ଣର ଲୋକନାଥ ବଡ଼ ସାଙ୍ଗ । ଲୋକନାଥ ଜାତିରେ ଦରଜି । ହେଲେ କଣ ହବ କୃଷ୍ଣ ହରି ସାଙ୍ଗରେ ତାର ଅଭେଦ ପ୍ରୀତି । ସେ ଆଗରେ କଟକରେ କୋଉ ଅଫିସ୍‌ରେ କିରାଣୀକାମ କରୁଥିଲା । କୋଉଠି କୋଉଠି ଟିଉସନ୍‌ ବି କରୁଥିଲା ।

 

ବୟସ ଅଳ୍ପ, ପୁଣି ସାଙ୍ଗ ସୁଙ୍ଗା, ହସ ଖେଳ କଉତୁକରେ ଦିନଯାଏ । ଜାଣ ତ ଆଜିକାଲିକାର ଟୋକାଙ୍କର ଢଙ୍ଗ । ତାଙ୍କ ଆଖି ଆଗରେ କୋଉ କଥାଟା କଠିଣ । ମନକାମନ ତାଙ୍କର ଶୂନ୍ୟରେ କୋଠା ହେଇଁଯାଏ । ମନକାମନ ଦେଶ ଉଦ୍ଧାର କରି ପକାନ୍ତି । କଥାଟା ହଉଛି ତାଙ୍କ ଭିତରେ ଭାରି ଆଗ୍ରହ ଯୁବା ଲୋକ କି ନା, ପ୍ରାଣଟା ଫୁର୍ତ୍ତିରେ ପୂରିଛି । କୃଷ୍ଣ ହରି ଆଉ ଲୋକନାଥର ଠିକ୍‌ ଏଇପରି ସ୍ୱଭାବ । ସେଥିରେ ପୁଣି ଗୁରୁଚରଣ ମିଶିଥାଏ । ଦେଶ ଉଦ୍ଧାର ହଉ ନ ହଉ ଆଗ ଥୋଡ଼ାଏ ହୋ’ ହା’ ହେଇ ଗଲେ । ଦିନାକେତେ ଇଙ୍ଗ୍ରିଜୀ ପାଠ ପଢ଼ିବେ ନାହିଁ ବୋଲି ଇସ୍କୁଲ ଛାଡ଼ିଲେ; ଗାଁ ଗାଁ ବୁଲି ଅରଟରେ ସୂତା କଟା, ଲୁଗା ବୁଣା, ଛୋଟ ଜାତି ପିଲାଙ୍କ ସକାଶେ ପାଠଶାଳା କର, ଗାଁ ଗାଁ ପଞ୍ଚାଏତ ବସା ଏସବୁ କାମରେ ଲାଗିଗଲେ । ଛ ମାସ ଆଠ ମାସ ପରେ ପୁଣି ଯୋଉ କଥାକୁ ସେଇ କଥା । ବାପ ଭାଇ ଗାଳି କଲାରୁ ପୁଣି କଲେଜରେ ପଶିଲେ । ତାଙ୍କ ଉଦ୍ଦେଶ୍ୟ ଥିଲା ଭଲ, ହେଲେ କେମିତି କଣ କରିବେ ସେତେ ଠିକଣା କରି ପାରୁ ନ ଥିଲେ । ବାପ ଭାଇଙ୍କ ଗାଳିରେ ବି ଚପି ଯାଉଥିଲେ ।

 

କଞ୍ଚା ଉମର, ସଂସାର କଥା ଜାଣନ୍ତି କଣ । କେଡ଼େ କଷ୍ଟରେ ଯେ ପଇସାଟିଏ ରୋଜଗାର ହୁଏ, ତା’ ତାଙ୍କୁ କି ଜଣା । ଯାହା ଭଲ ବୁଝିଲେ ସେଇଥିରେ ମାତି ଗଲେ ।

 

ସେତେବେଳେ ଗୋଟିଏ ଘଟଣା ଘଟିଲା । ହଠାତ୍‌ ଶିବଚନ୍ଦ୍ର ମରିଗଲେ । ବଡ଼ଭାଇ ମଲାରୁ ଘରଟି ଭାଙ୍ଗିଲା । ମାଁ ବିଧବା ଲୋକ, ତାଙ୍କୁ ଯେ ଯାହା ବତେଇଲା ସେ ସେଇଥିରେ ଚାଲିଲେ । ବୀରବାବୁ ଥାନ୍ତି ଯାଜପୁରରେ, ସେ ଓକିଲ । ପଇସାପତ୍ରକୁ ଭାରି ଚିହ୍ନନ୍ତି । ସାନ ତିନିଭାଇଙ୍କ କାଣ୍ଡ କାରଖେନା କି ତାଙ୍କ ଦିହ ସହେ ! ବାପର ଇଜିମାଲି ସମ୍ପତ୍ତି ବେଶ ଥିଲା । ଶିବବାବୁର ପୁଅ ପତି କିଛି ନ ଥିଲେ । ମାଁ ଥିଲେ ଗୋବିନ୍ଦ ଆଡ଼ିକି । ବଡ଼ ମଝିଆ ଗୋବିନ୍ଦ ଯେମିତି ହିସାବୀ, ତାଙ୍କ ଭାରିଯାଟି ସେମିତି ଘରଣୀ । ଶେଷକୁ ଭାଇ ଭାଇର କଜିଆ ଗୋଳ ହେଇଁ ଭିନ୍ନ ଭିନ୍ନ ହେଲେ । ଯେଝା ସମ୍ପତ୍ତି ବାଣ୍ଟ ବଖରା ହେଲା ପରେ, ନବୀନ ଚାଲିଗଲେ କାଶି । ତାଙ୍କର ଦେଶ ସେବାରେ ମନ ଥାଏ ଷୋଳପଣ, ଆଉ କାମଟି କରୁଥିଲେ ପକ୍କା ।

 

ସେତେବେଳେ କାଶିଆଡ଼େ ହିନ୍ଦୁ ଧର୍ମର ଜାତୀୟ ମହାସଭା ହେଉଥାଏ । ନବୀନବାବୁ ଯାଇଥିଲେ ପ୍ରତିନିଧି ହେଇଁ । କିନ୍ତୁ ତାଙ୍କର କଣ ମନ ହେଲା, ସ୍ୱାମୀ ଭୋଳାନନ୍ଦ ଗିରିଙ୍କ ଉପଦେଶରେ ସେ ଗେରୁଆ ଲୁଗା ପିନ୍ଧି, ସଂସାରର ସବୁ ଛାଡ଼ି ଛୁଡ଼ି ଦେଇ ସେଠି ରହିଗଲେ ।

 

ସାନ ଦି ଭାଇଙ୍କି ବାଗ ମିଳିଲା । ହରି ଆଇ. ଏ. ପରୀକ୍ଷା ଦେଇ ବି. ଏ. ରେ ପଶିଥିଲେ-। ସେ ଆଉ ପଢ଼ିଲେ ନାହିଁ । କୃଷ୍ଣଚନ୍ଦ୍ରଙ୍କର ଏମ୍‌. ଏ. ପଢ଼ିବାକୁ କଲିକତା ଯିବାର ଥିଲା । ସେ ବି ଆଉ ପଢ଼ିଲେ ନାହିଁ । ଲୋକନାଥ ବି ଚାକିରୀ ଛାଡ଼ିଲେ ।

 

ସରଦେଇପୁର ଆଡ଼େ ତାଙ୍କର ବଡ଼ କୋଠା ଥାଏ । ଦି’ ଭାଇ ଆଉ ଲୋକନାଥ ମିଶି ସେଇଠି ରହିଲେ । ସେମାନେ ଗାଁ ଜମିଦାର ସହଜେ ପ୍ରଜାମାନେ ତାଙ୍କରି କଥାରେ ଚାଲିଲେ । ପ୍ରଜାଙ୍କ ଖଜଣା କମିଲା । ଫସଲ କେମିତି ଭଲ ହେଲେ ପ୍ରଜାଏ ମୁଠାଏ ସୁଖରେ ଖାଇ ପିନ୍ଧି ରହିବେ ଏ ଆଡ଼କୁ କୃଷ୍ଣବାବୁର ଭାରି ଦୃଷ୍ଟି ଥାଏ । ସବୁ କଥାରେ ସେ କହନ୍ତି ‘‘ଆଗେ ପେଟ, ପରେ ସବୁ କଥା । ଉଦର ନ ପୂରିଲେ ମଣିଷ, ମଣିଷ ହବ କୋଉଠୁ । ପେଟ ପୂରା ଦେଲେ ତ ପାଞ୍ଚକାମ ଆଦାୟ ହବ।’’

 

ସରଦେଇପୁର ମସ୍ତ ବଡ଼ ଗାଁ । ଛତିଶପାଟକ ଜାତିର ବାସ । ତନ୍ତି, କମାର, ଧୋବା, ତେଲି, ଗୁଡ଼ିଆ, ପଠାଣ, କିରିସ୍ତାନ, ଆଦି କରି ସବୁ ଜାତି ଆପଣା ପାଖ ପଡ଼ିଶା ପରି ଏ ତା’ ଭାଇ, ସେ ତା’ ଦାଦୀ, ସେ ତା’ ମଉସା ହେଇଁ ଚଳନ୍ତି । ଆୟ ଅଳପ ହେଲେ ବି ଯେଝା ସୁଖରେ ଚଳନ୍ତି । ପାଠପଢ଼ା ଲୋକ ସେଗାଁରେ ବେଶି ପାଇବ ନାହିଁ । ଟୋକାଙ୍କର ମିଡ଼ିଲି ଇସ୍କୁଲ ଆଉ ଝିଅଙ୍କର ଗୋଟିଏ ଲୋଅର ଇସ୍କୁଲ ଥିଲା । ସେଠା ପିଲାଙ୍କ ପାଠପଢ଼ିବା ଥାନ । ହେଲେ କେତେଟା ଅବଧାନୀ ଚାହାଳି ଥିଲା । ସେଠି ବି ପିଲାଏ ପଢ଼ୁଥିଲେ ।

 

ସବୁ କଥା ଭଲ ଥିଲା । ଏକା ଗାଁରେ ଗୋଟିଏ ତାଡ଼ି ଖଟି ଥିଲା । ସେଠି ଗୁପ୍ତେ ଗୁପ୍ତେ ଲୋକେ ମଦତ ଗୁଲି ବି ଖାଉଥିଲେ । ଆଖଡ଼ା ଦଳର ପିଲାମାନେ ଆଗ କାଳରେ କୁସ୍ତି ନଢ଼ୁଥିଲେ-। ଏବ କାଳକୁ କୁସ୍ତି ଫୁସ୍ତି ନାମମାତ୍ର, ଥିଲା ଟୋକାଙ୍କର ବାର ବଜାରିଆପଣ, ଗୀତ, ନାଚ ତାମସା, ଆଉ ଗଞ୍ଜେଇଟଣା ।

 

କୃଷ୍ଣବାବୁ ଆସି ଆଗ କିନା ଏ ତାଡ଼ି ଖଟିଟି ଉଠେଇଲେ । ଲୋକେ ଭାରି ଆପତ୍ତି କଲେ-। ଅନେକ ଦରଖାସ୍ତ ପଇଲା । ବାବୁଙ୍କ ଉପରେ କେହି କେହି ବିରକ୍ତ ବି ହେଲେ । କିନ୍ତୁ ତାଙ୍କ କଥା ଶୁଣୁଛି କିଏ ।

 

ଗାଁ ଦଳବେହେରା ବୈରାଗୀଚରଣ କାନୁନ୍‌ଗୋ ଦିନେ, ଜମିଦାର ବାବୁଙ୍କ ସାଙ୍ଗେ ଦେଖାକରି ଏ ବିଷୟରେ ଅନେକ କଥାବାର୍ତ୍ତା ହେଲେ । କୃଷ୍ଣ ବାବୁ କହିଲେ ‘‘ଦେଖ ମଉସା, ତେମେ ସିନା କହୁଛ; ଟୋକାଏ ତାଡ଼ି ମଦ ଖାଇ ଖରାପ ହେବେ, ଆଚ୍ଛା ଭବିଷତ୍‌କୁ ଆମ ସମାଜୁଟା କଣ ହବଟି ! ଏଇ ତାଡ଼ିଅଲ୍‌ ଏଇ ମଦୁଆ ମଦତିଆ କଣ ଆମ ସମାଜର ହେବେ ପାଞ୍ଚୁ ପାଞ୍ଚୁ ଦେଶଟା ଉଚ୍ଛନ ଯିବଟି । ଆୟ କଥା କହୁଛ ସତ, ଲୋକଙ୍କୁ ତାଡ଼ି ମଦ ଖୁଆଇ, ଦଙ୍ଗାହାଙ୍ଗମା କରେଇ ମାଲିମକଦ୍ଦମାରେ ଯୋଉ ଆୟଟି, ସେଥିରେ ବରକତ ଅଛି ! ଆପଣେ ବିଚାର କରନ୍ତୁ । ମୁଁ ତ ପିଲା ଲୋକ । ଦଳ ବେହେରା ବା କଣ କହିବେ । ଆଗରେ ତ ପାଟି ଫିଟେଇ ପାରିଲେ ନାହିଁ । ପଛରେ ବଡ଼ର ବଡ଼ର ହେଁଇ ହେଁଇ ଘରକୁ ଗଲେ । କଥା ଭିତରେ ତାଙ୍କ ଲାଭଟି ମୂଳରୁ ମଲା । ମାଲିମକଦ୍ଦମା ନାଗନ୍ତା, ପାଞ୍ଚ ପଶିଶ ପାଆନ୍ତେ, ଏବେ ତ ଲୋକେ ହେବେ ସୁଧୀରା, ହାତ ଗୁଞ୍ଜା ଅଣ୍ଟା ଗୁଞ୍ଜାଟା ମିଳିବ କୋଉଠୁ ?

 

କିନ୍ତୁ ଟୋକାମାନଙ୍କର ମଉଜ ସକାଶେ ଗାଁରେ ଗୋଟିଏ ଥିଏଟର ଦଳ ବସିଲା । ଜମିଦାରବାବୁ ସେଥିରେ ଭାରି ଉତ୍ସାହୀ । ଗାଆନ୍‌ ବାଜଣା, ମାଛଧରା, ଦେଶ ଦେଖି ଯିବା ଏମିତି କେତେ ଭଲ ଭଲ ମଉଜିଆ କଥାମାନ ଠିକଣା ହୋଇଥାଏ । ଶନିବାର ଉପର ଓଳିଠୁ ରଇବାର ଦିନ ଗୋଟାକ ଯାକ ଲୋକେ ଭାରି ଫୁର୍ତ୍ତିରେ କଟାନ୍ତି । ଆନନ୍ଦକୁ ଆନନ୍ଦ ବି ହୁଏ, ଶିକ୍ଷାକୁ ଶିକ୍ଷା ବି ହୁଏ ।

 

‘‘ଦୁସୁରା କଥା’’

 

ଲୋକନାଥ କଥା ପକାଇ ଆମେ ଏତେ ଦିନ ଆଉ ନଅତୁଣ୍ଡୀର ଖବର ରଖିନୁଁ, ଏଇଟା ବଡ଼ ଅନ୍ୟାୟ । ହଉ ଆଜି ଚାଲ, ମାଁ ଝିଅ କଣ କରୁଛନ୍ତି ଦେଖିବା । ଆଗରୁ କହିଛୁ ଲୋକନାଥ ଘର ମଙ୍ଗଳପୁରରେ । ତା’ ମାଁ ଦୁଲୀ ସାଙ୍ଗେ ଗେଲ୍‌ହୀର ଭାରି ଭାବ । ଖୋରଣୀ ହେଲେ କଣ ହବ, ଗେଲ୍‌ହୀକି ଦୁଲୀ, ନାଁକୁ ନାଁ ପଡ଼ିଛି, ପୁଣି କାନ୍ଥକୁ କାନ୍ଥ ନାଗିଚି । ଦୁଲୀ ବିଧବା । ପିଲା ଝିଲା ଭିତରେ ପୁଅଟିଏ ଝୁଅଟିଏ । ପୁଅତ ଲୋକା, ଝିଅ ନାଁ ଯତନୀ । ରତନିଠୁ ବର୍ଷେ ସାନ । ରତନୀ ନାଁକୁ ନାଁ ପକେଇ ଗେଲ୍‌ହୀ ଦେଇଥିଲା ଯତନୀ ! ରତନୀ ଯତନୀର ଭାରିସାଙ୍ଗ ଦଣ୍ଡେ ନ ଦେଖିଲେ ଅଥୟ । ଖୋରଣୀ ହେଲେ କଣ ଆଉ ସାଙ୍ଗ ସରିସା ମିଳିବେ ନାହିଁ ? ଯତନୀ କିନ୍ତୁ ସ୍ୱଭାବରେ ମୂଷାଟିଏ । ମଲାମାଛିକି ‘‘ମ’’ କହିବ ନାହିଁ । ଯତନୀ ମାଁ ଦୁଲୀବି ବଡ଼ ଧୀରା ।

 

ଥରେ ତା’ ଯା’ ସାଙ୍ଗରେ ଭାରି ଝଗଡ଼ା ଲାଗିଲା । ଦୁଲୀ କଣ କହିବ । ଗେଲ୍‌ହୀ ତା’ ପଟ ହେଇ ଶରଧାବୋଉକୁ ଏମିତି ଶୋଧନୀ ଦେଲା ଯେ ସେ ଆଉ ଦିନେ ଭରସି କରି ତା’ ଯା’ ପିଣ୍ଡାରେ ଗୋଡ଼ ଦେଇନାହିଁ । ଗେଲ୍‌ହୀ ଚଦିଥାଏ । ଗୋଡ଼ ଛୋଟା କରିବ ବୋଲି ।

 

ଲୋକନାଥକୁ ରତନୀ ଭାଇ ବୋଲି ମାନିଥାଏ । ଖୋରଣୀ ହେଲେ କଣ ହବ ଲୋକା ଭାଇକି ତାର ଭାରି ଶରଧା । ଗେଲ୍‌ହୀକି ଲୋକାକୁ ପୁଅଠୁ ବଳି ମାୟା ମମତା କରେ । ତାର ସବୁ ଅର୍ଦ୍ଦଳି ସେ ସହିଛି । ଆପଣା ପୁଅ ଦୋଟି ମଲାପରେ ଏଇ ଲୋକାଟି ଜାଣି ତା’ ଦୁଃଖ ହରିଛି । ଆପଣା ପେଟରୁ କାଟି ଯାହା କିଛି ଭଲ ଚିଜ ଗେଲ୍‌ହୀ ଲୋକା ପାଇଁ ଛଞ୍ଚି ଥିବ; ରତନୀକି ସୁଦ୍ଧା ଦେଖେଇବ ନାହିଁ । ରତନୀ ଥରେ ଥରେ ରାଗହେଇ ମାଁକୁ ଗାଳି କରେ । ମାନ ମାରି କାନ୍ଦେ । ହେଲେ ଲୋକାକୁ ସେବି ବଡ଼ ଭାଇ କରି ମଣିଥାଏ । ଲୋକା ଯେତେବେଳେ ଆସେ, ଜମିଦାର ଘରୁ ବହୁତ ଚିଜ ଆଣେ, ଦି’ ସଙ୍ଗାତ ବାଣ୍ଟି କୁଣ୍ଟି ନିଅନ୍ତି । ଥରେ ଗୋଟାଏ ମାଣିଆବନ୍ଦି ଶାଢ଼ୀ ଆଣିଥିଲା, ଦବ କାହାକୁ ଯତନୀ କି ଦେଲେ ରତନୀ ନିଶ୍ଚେ କଜିଆ କରିବ, ରତନୀ କି ଦେଲେ ଯତନୀ ମୁହଁ ଫୁଲେଇବ । ଲୋକା ବିଚାରରେ ଥାଏ କିନ୍ତୁ ଯତନୀ ଆଗରୁ ତା’ ବୁକୁଚା ଘାଣ୍ଟି ଶାଢ଼ୀଟି ନୁଚେଇ ଦେଲା । ରତନୀକି ୟା ସହେ, ଦଣ୍ଡେ ନ ଯାଉଣୁ ରତନୀ କାନରେ କଥାଟି ବାଜିଗଲା । ସେ ଦିନ ଆଉ ରତନୀ ବଡ଼ ଭାଇ କି ମାନୁଛି । ଶାଢ଼ୀ ପାଇଁ ଯେତେ ଝଗଡ଼ା କଲା, ଶେଷକୁ ଲୋକା ଶାଢ଼ୀ ଦବା କରାର କଲାରୁ ଯାଇ ତୁନି ହେଲା ।

 

ରତନୀର ଢଙ୍ଗଢାଙ୍ଗ ଦେଖି ଦୁଲୀ ଦୀର୍ଘ ନିଃଶ୍ୱାସଟିଏ ପକେଇ କହିଲା, ‘‘ଏ କାହା ଘର କରିବ ଲୋ ବାପା ମାଇକିନା ଝିଅଟା, ୟାର ପାଟି କେଡ଼େ ।’’ ଲୋକା ମାଁ କଥା ଶୁଣି କହିଲା, ‘‘ଆଉ ଆମ ରତନୀ ପରି ମଲା ମୂଷା ! କେହି ଦଶ ଚାପଡ଼ା ଦେଲେବି କଥା ଫିଟିବ ନାହିଁ ।’’ ଦୁଲୀ ଟିକେ ତାଚ୍ଛଲ୍ୟରେ କହିଲା, ‘‘ଯେମିତି ଜାତି ସେମିତି ଗୁଣ, ଜାତି ତାଷୁଣୀ, ଆଉ ଖୋରଣୀ ହେବେ ନାହିଁ ତ ଆଉ ହବ କିଏ ? ମାଁ ଲୋ ! ମାଇକିନାଁ ଝୁଅର ଏଡ଼େ ପାଟି ! ଝିଅ ଅଛନ୍ତି ଯେ କଥା କହିଲେ କାନକୁ ଶୁଭିବ ନାହିଁ । ୟାକୁ ବିଦିଆ କୋଉଠି ବାହା କରିବ କିଜାଣି । ବିଚରା ବୁଢ଼ାଟା ମାଇ ନୁହେ କି ଗାଇ ନୁହେ । ଏ ମାଁ ଝିଅ ଦି’ଟା ଯାକ କଣ ହେଉଛନ୍ତି ।

 

କଥାଗୁଡ଼ାକ ଅବଶ୍ୟ ରତନୀ ଶୁଣି ନ ଥିଲା । ସେ ଘରକୁ ଯାଇ ସାରିଥିଲା । ନୋହିଲେ ସେଦିନୁ ଦୁଲୀର ମାଉସୀ ପଣିଆ ସରିଥାନ୍ତା । ଦୁଲୀ ବିଧବା ଲୋକ, ପୁଣି ଆଗରେ ଯା’ ନଣନ୍ଦ ବଡ଼ ଦୁଃଖ ଦେଉଥିଲେ । ପିଲା ସାନ ସାନ ହେଇଥିଲେ ସ୍ୱାମୀ ମରିଗଲେ । ଗେଲ୍‌ହୀ ତାର ବଡ଼ ଉପକାରୀ । ତା’ ଯୋଗୁଁ ଲୋକା ଯତନୀ ମଣିଷ ହେଲେ, ବୁଢ଼ୀକି ପୁଣି ଆଜିକାଲି ବାତ ମାରେ; ପାଞ୍ଚ ପାଇଟି ଏଇମାନେ ତୁଲାନ୍ତି, ସେଥିପାଇଁ ଦଶପଦ ଟାଣରେ କହିଲେ ବି ବୁଢ଼ୀ ଆଉ କିଛି କହି ପାରେ ନାହିଁ । ମୁହଁ ବୁଜି ସବୁ ସହେ । ପଛନ୍ତେ ଭୁଲିଯାଏ ।

 

ଲୋକା କିନ୍ତୁ ଗେଲ୍‌ହୀକି ମାଁଠୁ ବଳି ଭଲ ପାଏ । ରତନୀର ଖୋରଣୀ ପଣକୁ ଭାରି ସୁଦୃଷ୍ଟିରେ ଦେଖେ । କହେ ମାଇକିନାଁ ଝିଅ ହେଲେ କଣ ହବ, ମରଦ ପୁଅର ସାହସ ତା’ଠି । ମାଁ କଥା ଶୁଣି ସେଇତି ପାଇଁ କହିଲା, ‘‘ବୋଉ ତୁ ଜାତି ତାଷୁଣୀ ବୋଲି କହିଲୁ ଭଲ କଲୁ, କିନ୍ତୁ ଏଇ ଜାତିଟାଇ ଥିଲା ଆମ ଓଡ଼ିଶାର ଶ୍ରେଷ୍ଠ ଜାତି । ଏଇମାନେ ଥିଲେ ବୀର, ଖଣ୍ଡେଇତ ପରା ଖଣ୍ଡା ଥିଲା ତାଙ୍କ ବେଉସା, ନଢ଼େଇ ଏଇମାନେ କରୁଥିଲେ, ରଜା ଜମି ଖଞ୍ଜି ଦବାରୁ ହେଲେ ଚଷା । ୟାଙ୍କ ଘର ଝିଅମାନେ ସାହସୀ ନ ହେଲେ ଆଉ କାହା ଘର ଝିଅ ହେବେ । ରଜାକୁ ରେ କହିଲାବାଲା ଏମାନେ ।’’

 

ଲୋକନାଥର କଥା ନ ସରୁଣୁ ଦାଣ୍ଡରେ ଦାମା ବାରିକ ଆସି ଡ଼ାକ ଦେଲା, ‘‘ଲୋକନାଥ ବାବୁ ଅଛ କି ?’’ ହଠାତ୍‌ କୃଷ୍ଣଚନ୍ଦ୍ରର ଭଣ୍ଡାରୀ ଟୋକା କାହିଁକି ଆସିଛି ଜାଣିବାକୁ ଲୋକନାଥ ଦାଣ୍ଡକୁ ବାହାରି ଗଲେ । ଦାମା ବାରିକ ଓଳଗି ହୋଇ କହିଲା, ‘‘ବାବୁ ଖବର ପଠେଇଛନ୍ତି, କାଲି ବଡ଼ି ଭୋରୁ ଏଠି ପହଞ୍ଚିବେ, ତମ କଦଳିଆ ଗଣ୍ଡରେ ମାଛ ମାରିବେ ଆଉ ପକ୍ଷୀ ଶିକାର କରିବେ-। ହରି ବାବୁ ମାଁ ସାଆନ୍ତାଣୀ କତିକି ଯାଇଛନ୍ତି । ବାବୁ ଏକା ଆସିବେ, ତମ ଗାଁ ବି ଦେଖିବେ । ତାଙ୍କପାଇଁ ସବୁ ବନ୍ଦୋବସ୍ତ କରିଥିବଟି ।’’

 

ଜମିଦାର ବାବୁ ଆସିବେ, କଥାଟା ଦଣ୍ଡକରେ ଗାଁଯାକ ରାଷ୍ଟ୍ର ହୋଇଗଲା । ଜମିଦାର ବାବୁ ନାଁ ଶୁଣିଲେ ପ୍ରଜାଏ ବଡ଼ ଡରିଯାନ୍ତି । ଜମିଦାର ଆଇଲେ ଜାଣ ଖରଚ ବଢ଼ିଲା । କାହା ବାରି କଦଳି କାନ୍ଧି, କାହା ଗୁହାଳର ଗାଈ, କାହା ତୋଟାରୁ ଆମ୍ୱ ନଡ଼ିଆ ନ ନେଲେ ଆଉ ଠାରୁ ଉଠିବେ-। ଯଦିଚ ଆମ କୃଷ୍ଣବାବୁ କାହାଠୁ କିଛି ନିଅନ୍ତି ନାହିଁ; ହେଲେ ଲୋକେ ତ ସେ କଥା ଜାଣନ୍ତି ନାହିଁ । ତାଙ୍କ ଭାଇମାନେ ବରାବରି ନଉଥିଲେ, ସେ ତ ଏ ଅଞ୍ଚଳକୁ ମୋଟେ ଆସି ନାହାନ୍ତି

 

ସଞ୍ଜବେଳେ ପିଣ୍ଡାରେ ବସି ବିଦିଆ ଗାଲରେ ହାତ ଦେଇ ଭାବୁଛି । ତିନିବର୍ଷ ହେଲା ଖଞ୍ଜଣା ଦବାକୁ ନାହିଁ । କାଲି ତ ଜମିଦାର ବାବୁ ଆସିବେ । ବରଷେ ବହୁ କଷ୍ଟରେ ମାଫି ହେଇଥିଲା, ତା’ପରେ ବି ଖଜଣା ଦେଇ ପାରି ନାହିଁ । ଆସି ଏ ବଇଶାଖକୁ ତିନି ପୂରିବ । ଏଥର ତାଟି କବାଟ ଉଠିଲା ପରା ! ଭାଳେଣିରେ ତାର ଦିନଯାକ ମନଟା ଭାରି ଛଟପଟ ହେଉଥାଏ । ସେଦିନ ପୁଣି ଘରେ ଚାଉଳ ଦାନାଏ ନାହିଁ । ଦିନଯାକ ଖୋଜି ଖୋଜି ମୂଲଟିଏ ମିଳିଲା ନାହିଁ । ଗେଲ୍‌ହୀକି ହେଇଚି ଜ୍ୱର । ରତନୀ ବା କଣ କରିବ ? ଯୁବା ଝିଅ, ଖୋରଣୀ ହେଉ ଯା’ ହଉ ତାର ତ ଆଉ ପର ଘରେ ପାଇଟି କରିବା କଥା ନୁହଁ ।

 

କାଠପତ୍ର ପିକାଟି କଳରେ ଯାକି ବିଦିଆ ଆସି ପିଣ୍ଡାରେ ବସି ପଡ଼ିଲା । ଘର ଭିତରେ ଥାଇ ଗେଲ୍‌ହୀ ପଇସା ମାଗିଲା । ବିଦିଆର ତ ମନ ସେଦିନ ସୁଖ ନ ଥାଏ, ପୁଣି ଅଫିମ ଝୁଙ୍କ । ରାଗରେ ଦି’ପଦ ପାଟିରୁ ବାହାରି ପଇଲା । ଆଉ ଗେଲ୍‌ହୀକୁ ପାଏ କିଏ । ତା’ ଜ୍ୱର କୁଆଡ଼େ ଗଲା । ଉଠି ବସି ସ୍ୱାମୀ ସାଙ୍ଗେ ପାଟେ କଜିଆ କଲା, ଶେଷକୁ ଦଉଡ଼ି ଯାଇ ଖଡ଼ୁମୂଷାରେ ମୁଣ୍ଡରେ ଦି ପାହାର ଦେଲା । ସେ ତ ପିତ୍ତଳ ଖଡ଼ୁ, ବାଜି ମୁଣ୍ଡ କଣା ହେଇଗଲା । ରକ୍ତ ଧାର ଧାର ଛୁଟିଲା । ‘‘ଇଲୋ ମୋ’ ବୋପାକୁ ମାରି ପକେଇଲା ଲୋ ।’’ କହି ରତନୀ ଆର ଅଗଣାରୁ ଦୌଡ଼ି ଆସି ମାଁ ଉପରେ ପଡ଼ିଗଲା ।

 

ସେ ଦିନ ତାଙ୍କ ଘରେ ତିନିପ୍ରାଣୀ ଉପାସ । ବିଦିଆ ମା ଝିଅଙ୍କ ଜ୍ୱାଳାରେ ଦେଶ ଛାଡ଼ି ପଳେଇବାକୁ ବସିଲା । ରାତି ଦି ଘଡ଼ିକି ଲୋକନାଥ ଘରକୁ ଆସି ସବୁ ଶୁଣି ସେହିକ୍ଷଣି ବଜାରରୁ ଜଳଖିଆ ଆଣି ତାଙ୍କୁ ଖୁଆଇଲା । ବିଦିଆ କାନ୍ଦି କାନ୍ଦି କହିଲା, ‘‘ବାପା ! ମୁଁ ୟାଙ୍କଠୁ ମରୁ ନାହିଁ କି ଏମାନେ ମୋ’ଠୁ ମରୁ ନାହାନ୍ତି । କି ପିଲା କି ଭାର୍ଯ୍ୟା ! ଯାଉଛି ଡ଼ିହ ଛାଡ଼ିଛୁଡ଼ି କୁଆଡ଼େ ପଳେଇବି-। କୁଲି କାମ ତ ମିଳିବ । ମାଁ ଝିଅ ଭିକ ମାଗୁଥାନ୍ତୁ ।

 

‘‘ନଇଲେ ତୁ ଆମକୁ ଭାରି ପୋଷୁ ! ଯା’ କୁଆଡ଼େ ପଳା । ମୁଁ ତ କାଳକଯାକ ତୋତେ ପୋଷିଲି, ହଇରେ ଅରକ୍ଷିତ, ଆହୁରି କଥା କହୁଛୁ । ଭାର୍ଯ୍ୟାର କଥାରେ ଅନ୍ୟ ଦିନ ହେଇଥିଲେ ବିଦିଆ ଡରିଥାନ୍ତା; ଆଜି ଲୋକନାଥ କତିରେ ଥିବାରୁ ତା’ ସାହସ ପାଇଲା । ସେ ବି ସମାନରେ ଉତ୍ତର କଲା- ‘‘ହଁ ଏଥର ବାରଦ୍ୱାର ଶୁଣ୍ଢିପିଣ୍ଡା ତ ହବ । ଯେମିତି ତିନିବରଷ ଖଞ୍ଜଣା ଦିଆ ହେଇ ନାହିଁ, ଜମିଦାର ତ ତାଟି କବାଟ ଉଠେଇ କରି ନବ । ମାଁ ଝିଅ କାହା ଚୁଲି ଚାଳରେ ବାସ ପାଇବେ କି ! ଯେମିତି ଖୋରଣୀ ଯାକ । ବିଦିଆର ପାଟି ବନ୍ଦ ନୋହୁଣୁ, ଗେଲ୍‌ହୀ ତାକୁ ଶୋଧି ଶୋଧି ଧଇଁ ସଇଁ ହୋଇଗଲା । ଜ୍ୱର ହୋଇଥିଲା । ସେଥିରେ ପୁଣି ଏ ଉଷ୍ଣତି । ଲୋକନାଥ କେତେ ମନା କଲା । ଶେଷକୁ ଦେହ କଣ ହୋଇ ମୋହଗଲା । ରତନୀ କାନ୍ଦି କାନ୍ଦି ମାଁର ସେବା କରୁଥାଏ, ଆଉ ଆପଣା ପୋଡ଼ା କରମକୁ ନିନ୍ଦୁଥାଏ । ଗେଲ୍‌ହୀର ଚେତା ବସିଲା ପରେ ଲୋକନାଥ ଘରକୁ ଗଲା । ସେ ରାତି ତାର ଆଖିପତା କଷା ହେଉ ନ ଥାଏ । ରତନୀ କଥା ଭାବି ତା’ ମନ ବଡ଼ ଦୁଃଖ-। ସତେ ରତନୀ ଘର କରିବ ? ତା’ ସାଙ୍ଗରୁ ସେ ଆଉ ଯତନୀ ବାହା ସଇଲେଣି । ଆଉ କେତେ ଦିନରେ ଭାର ନେଇ ଯତନୀ ଶାଶୁଘର କରିଯିବ । ତା’ ବୋହୂ ବି ଏଇଶରତରେ ଆସିବ । ସବୁତ ହବ, କିନ୍ତୁ ଏଡ଼େ ଉପକାରୀ ଗେଲ୍‌ହୀ ଝୁଅଟି ହାତକୁ ଦି ହାତ ନୋହିଲା । ଲୋକନାଥ ଠିକ୍‌ ଜାଣେ ରତନୀକି ଆଖପାଖ ଗାଁ ଗଣ୍ଡାକରେ କେହି ବାହା ହେବେନାହିଁ, ତା’ ମୁହଁ ସକାଶେ ପୁଣି ବାପମାଁର ବି କି ସମ୍ୱଳ ଅଛି । ବିଦିଆ ତ ଦିନକୁଦିନ ନିଷ୍କର୍ମା ହେଲା । ଗେଲ୍‌ହୀକି ତ ତୁଆକୁତୁଆ ବାତଜ୍ୱର ଧଇଲା । ସେହି ସିନା ପାଞ୍ଚ ପାଇଟି କରି ୟାଙ୍କୁ ଚଳାଏ । ରତନୀ ବା କାହା ଘରେ ମୂଲ ଲାଗିବ ।

 

ସେ ଦିନ ବଢ଼ି ଭୋରୁ ଲୋକନାଥ ଉଠି ଦାନ୍ତ ପତର କରି ଜମିଦାରବାବୁଙ୍କୁ ପାଛୋଟି ଆଣିବାକୁ ବାହାରି ଗଲା । ରତନୀ କଥା ଆଉ ସେତେବେଳକୁ ତା’ ମନରେ ନାହିଁ ।

 

ଏଣେ ରତନୀ ବସି ବାସି ପାଇଟି ସାରୁଥାଏ, ଦୀନାବୋହୂ ଆସି ଦୁଆରେ ହାଜର । ଦୀନାବୋହୂର ଏମାନେ ଟଙ୍କାଟିଏ ଧାରିଥାନ୍ତି ତା’ ପୁଅକୁ ହୋଇଛି ଜର । ସେ ଦି’ ଦିନ ମୂଲ ଲାଗି ଯାଇନାହିଁ । ବାରି ପଟେ କଂସା ମଜା ଶବଦ ଶୁଣି ଦାନ୍ତ କାଠିଟା ହାତରେ ଧରି ଆସି ସେ ରତନୀ କତିରେ ଛିଡ଼ା ହେଲା । ରତନୀ ଠିକ ଜାଣେ ପଇସା ମାଗିବାକୁ ଆଇଛି ସେ ବା କାହାକୁ ଲିହାଜ କରେ । କଂସା ଘସର ଘସର କରି ମାଜୁ ମାଜୁ ତଳକୁ ଅନେଇ ଯେମିତି ତାକୁ ନ ଦେଖି କହିଲା, ‘‘ମ ରାଇଜ ଛାଡ଼ିତ ପଳେଇନୁ, ଅଧୁଆ ମୁହଁରେ ଆସି ଟଙ୍କା ଗୋଟାଏ ପୁଣି ମାଗି ବସିଲାଣି । ମଣିଷ ସଖାଳୁ ଉଠି ଏଇ ଅଲକ୍ଷଣୀର ମୁହଁଟା ଚାହିଁଲା । ଦିନଟା ଭଲରେ କଟିଲେ ହୁଏ ।’’ ଦୀନାବୋହୂ ବି ଊଣା ନୁହେ । ସେହିକ୍ଷଣି ଉତ୍ତର ଦେଲା । ଶେଷକୁ ରତନୀ କଂସା ମଜାରୁ ଉଠି ପଡ଼ିଲା । ଅଣ୍ଟାରେ ଲୁଗାକୁ ଭିଡ଼ିଦେଲା । ‘‘କଣ କହିଲୁ,’’ କହି ଦୀନା ବୋହୂର ଚୁଟି ଝିଙ୍କି ଘୋଷାଡ଼ି ଆଣି ଦୁମକିନା ତା’ ମଝିପିଠିରେ ଗୋଟିଏ ବିଧା ବସେଇଲା । ତାଙ୍କ ପାଟିରେ ଆରଘରୁ ଯତନୀ, ଦୁଲୀ ଆଉ ଗେଲ୍‌ହୀ ବାହାରି ପଡ଼ିଲେ । ‘‘ମୋ ଝିଅକୁ ମାରି ପକେଇଲା’’ କହି ଗେଲ୍‌ହୀ ବି ତାକୁ ବାରଅନା କରି ଗାଳି ଦେଲା । ପାଖ ପଡ଼ିଶା ତାଙ୍କ ପାଟିରେ ଧାଇଁ ଆସିଲେ । ଏ ତାକୁ ମାରୁଥାଏ, ସେ ତାକୁ ମାରୁଥାଏ; ରତନୀ ଯୁବା ଲୋକ ବଳ ବି ଯଥେଷ୍ଟ, ଦୀନା ବୋହୂଟା ବୁଢ଼ୀ ମଣିଷ, ସେତେବେଳକୁ ମାଡ଼ ଖାଇ ଖାଇ ତା’ ଦେହ ପାଚିଗଲାଣି । ସାଇବାଲା ମିଶି ଛଡ଼ାଛଡ଼ି କଲେ; ଗେଲ୍‌ହୀ ରତନୀ ଗୁଣ ତ ସମସ୍ତେ ଜାଣନ୍ତି । କେହି ତାଙ୍କୁ ପଦେ କହିଲେ ସେ ଦଶପଦ ଶୁଣାଉଥାନ୍ତି । ଶେଷକୁ ବିଚରା ବିଦିଆ ସମସ୍ତଙ୍କ ଗୋଡ଼ହାତ ଧରି ମାଁ ଝିଅଙ୍କୁ ତୁନିତାନି କରି ସମସ୍ତଙ୍କୁ ବିଦାୟ କଲା । ଧାର ଟଙ୍କାଟା ସକାଶେ ଦୀନା ବୋହୂ କଂସା ଖଣ୍ଡିକ ଘେନିଗଲା । ସୂର୍ଯ୍ୟ ମୁଣ୍ଡ ଉପରେ ଆସି ହେଲାଣି । ଘରେ ରନ୍ଧାବଢ଼ା ନାହିଁ । ଗେଲ୍‌ହୀ ବେମାରୀ ମଣିଷଟା, ତାର ବି ପଥି ହେଇନାହିଁ । ରାଗରେ ନାଗସାପ ପରି ଫଁ ଫଁ ହେଇ ରତନୀ ଗାଧୋଇ ଗଲା । ସେ ଦିନ ଗାଁକୁ ଯେ ଜମିଦାରବାବୁ ଆଇଛନ୍ତି ଏକଥା ତା’ର ଜମାରୁ ମନରେ ନ ଥାଏ । ବଟା ହଳଦି, ଗିନାଏ ଷୋରିଶତେଲ ଧରି ଗାମୁଛା କାନ୍ଧରେ ପକେଇ ବେଶ ଚାଲି ଯାଉଛି । ପୋଖରୀ କିଛି ଘରକତିରେ ନାହିଁ । ପ୍ରାୟ ଅଧମାଇଲ ଦୂରରେ । ବାଟରେ ଜଜାଙ୍ଗ ଡାଳଟିଏ ଭାଙ୍ଗୁ ଭାଙ୍ଗୁ ହଠାତ୍‌ ଦେଖିଲା ପଞ୍ଝାଏ ଲୋକ ତା’ କତିକି ମାଡ଼ି ଆସୁଛନ୍ତି । ଏକେ ମାଇକିନା ଲୋକ, ସେଥିରେ ପୁଣି ମଫସଲିଆଣି । ଲୋକ ଗୁଡ଼ିଏ ଭାବିଲେ ଏ ଆମକୁ ଦେଖିଲେ କିଜାଣି ବଣ ବୁଦାଭିତରେ ଲୁଚିଯିବ ପରା । ସମସ୍ତେ ଧୋବ ଧାଉଳିଆ ପିନ୍ଧିଛନ୍ତି । ପ୍ରାୟ ସମସ୍ତେ ଟୋକା । ରତନୀର ତାଙ୍କୁ, କି ଖାତର । ସେ ଖଣ୍ଡେ ଡାଳ ଭାଙ୍ଗିଲା । ବଲ ବଲ କରି ତାଙ୍କୁ ଥୋଡ଼ାଏବେଳ ଅନେଇଲା । ସେମାନେ ବି ମଉଜ କରିବା ଅଭିପ୍ରାୟରେ ତାକୁ କଣ ପଦେ କହିଦେଲେ । ରତନୀ ତ ସକାଳୁ ରାଗିଥିଲା । ଖୁବ୍‌ବଡ଼ ପାଟିରେ ତାଙ୍କୁ ଶୋଧିଲା; ତା’ ପାଟି ଶୁଣି ଲୋକେ ଥାଟପଟାଳ ପରି ଠିଆ ହୋଇଗଲେ । ଜଣେ ତାଙ୍କ ଭିତରୁ କହିଲା, ‘‘ହଇଲୋ ଆମେ ଜମିଦାରବାବୁର ପାଖଲୋକ ଆମକୁ ତୋର ଖାତରି ନାହିଁ । ରତନୀ ଆହୁରି ଉଗ୍ରମୂର୍ତ୍ତି ଧରି କହିଲା ‘‘ରଖ୍‌ତୋ’ ଜମିଦାରବାବୁକୁ ତୋ’ ଘରେ, ମୁଁ ତୋ’ ଜମିଦାରର୍‌ ଖାଏ ନାଁ ଧାରେ, ମୁଁ ସେଇଟାକୁ କିଆଁ ଡରିବି ।’’ ଜମିଦାରବାବୁ ଖଣ୍ଡେ ଦୂରରେ ଥିଲେ । ମାଇକିନା ଲୋକର ପାଟି ଶୁଣି କତିକି ଆସିଲେ । ଆପଣା ସାଙ୍ଗ ଲୋକଙ୍କୁ ଖୁବ୍‌ ଗାଳିଦେଲେ । ହଠାତ୍‌ ଲୋକନାଥ ରତନୀକି ଦେଖି ସରମରେ ତା’ ମୁଣ୍ଡ ତଳକୁ ହେଇଗଲା । ରତନୀ ବି ଲୋକନାଥକୁ ଦେଖି କାନ୍ଦି ପକେଇଲା । ମାଗୁଣିଆ, ଭୀମା ହରିକା ତାକୁ ବିରକ୍ତ କରିଥିବାରୁ ସେହିକ୍ଷଣି ଜମିଦାରବାବୁ ତାଙ୍କୁ ସଜା ଦବାର ହୁକୁମ ଦେଲେ । ରତନୀ ଆଉ ଗାଧୋଇ ଗଲାନାହିଁ । ଘରକୁ ଫେରି ଆସି କବାଟ କିଳି ଶୋଇଲା ।

 

ରତନୀର ସାହସ ଦେଖି ଜମିଦାର ବାବୁ ଭାରି ହରଷ ହୋଇଥିଲେ । ନିର୍ଜ୍ଜନରେ ଲୋକନାଥକୁ ପଚାରିଲେ, ‘‘କୁହ ତ ସଙ୍ଗାତ ସେ ଝିଅଟି କିଏ ? ସତେ ଯେମିତି ଗୋଟିଏ ଉଗ୍ରଚଣ୍ଡୀ ।’’ ଲୋକନାଥ ହସି ହସି କହିଲା, ‘‘ସେ ଉଗ୍ରଚଣ୍ଡୀ ନାଁ ହଉଛି ନଅତୁଣ୍ଡୀ ତା’ପରି ଖୋରଣୀ, ତା’ପରି ସାହସୀ ଝିଅ ସେ ଗାଁଭିତରେ କେହି ନାହିଁ । ଆଉ ବି କୋଉଠି ଅଛନ୍ତି ବୋଲି ଜଣା ନାହିଁ । ତା’ ମାଁ ଯେମତି ସେ ସେମତି, ତାଙ୍କର କାହାକୁ ଖାତିର୍‌ ନାହିଁ । ଦେଖିଲ ତ ଏତେଗୁଡ଼ାଏ ଲୋକଙ୍କୁ ସେ କେମିତି ମାରି ଗୋଡ଼େଇଲା । ଡରଭୟ କଣ ସେ ଜାଣେ । କୃଷ୍ଣ ବାବୁ କହିଲେ- ‘‘ସାବାସ୍‌ ଝିଅଟି ଏକା । ଏମିତି ଝିଅବି ଆମଦେଶରେ ଅଛନ୍ତି ବୋଲି ମୁଁ ଜାଣି ନାହିଁ ।’’ ଏମାନେ କିଜାଣି ନଢ଼େଇ କରି ପାରନ୍ତେ । ଆଗ କାଳରେ ଏଇମାନେ ଘୋଡ଼ା ପିଠିରେ ଚଢ଼ି ଲଢ଼େଇକି ଯାଉଥିଲେ । ଲୋକନାଥ କହିଲା ସେମାନେ ସେଇ ଜାତିର ଝିଅ, ତାଙ୍କର ଆଗ ଅମଳରେ ସଭିଏଁ ଯୁଦ୍ଧ ବିଦ୍ୟା ଶିଖୁ ଥିଲେ । ତା’ ମାଁ ନାଁ ଡାକ କହ୍ନେଇ ଗଡ଼ନାୟକ ବଂଶର ଝିଅ । ତା’ ବାପ, ଶୁଣିଥିବ ପଦ୍ମଲାଭ ଜେନା କଥା ତାରି ପୁଅ । ଏବକାଳକୁ ସେମାନେ ଗରିବ ହୋଇଗଲେ । ଆଗ ସମ୍ପତ୍ତି, ଆଗ ମାନି ମର୍ଯ୍ୟାଦା କୁଆଡ଼େ ଗଲା ।’’ କୃଷ୍ଣଚନ୍ଦ୍ର ମନରେ ଟିକେ ଦୁଃଖ କଲେ । କହିଲେ, ‘‘ଏମାନେ ଆମରି ଜାତିର ଲୋକ, ଆମ ଜାତିଟା ଓଡ଼ିଶା ରାଜାଙ୍କ ଡାହାଣ ବାହା ଥିଲୁ । ଯୁଦ୍ଧ ପଇଲା ଆମକୁ ଡାକ, ଦସ୍ୟୁ ରାଇଜ ଲୁଟି କଲେ ଆମକୁ ଡାକ । ଆମର ଏତେ ସମ୍ପତ୍ତି ଆଉ କୁଆଡ଼େ ହେଲା କି । ରଜା ଜମିବାଡ଼ି ଖଞ୍ଜି ଦେଇଥିଲେ । ଆମ ପୂର୍ବପୁରୁଷ ସେହି ରଜା ଦେଇଥିବା ଉପାଧି ପାଇଥିଲେ ନା ରାଉତରା ।

 

ସେ ଦିନ ଦି’ ସାଙ୍ଗ ନଅତୁଣ୍ଡୀ ବିଷୟରେ ଅନେକ କଥା ଭାଷା ହେଲେ । କୃଷ୍ଣଚନ୍ଦ୍ର ବଡ଼ ନକଲିଆ ମଣିଷ, ଲୋକନାଥକୁ କହିଲେ, ନଅତୁଣ୍ଡୀକି କହିବ, ସେ କେମିତି ଜମିଦାରକୁ ଖାତିରି କରେନାହିଁ, ଜମିଦାର ତାକୁ ଖୁବ୍‌ ସଜାଦେବେ, ନଇଲେ ଜେଲ ଦେବେ ।

 

ସଞ୍ଜ ବଳିତା ନ ଲାଗୁଣୁ ଲୋକନାଥ ଥୋଡ଼ାଏ ମାଛ ଆଉ ଶିକାର ଚଢ଼େଇ ଆଣି ଘରେ ଗଦାକରିଗଲା । ରତନୀ ଘରକୁ ଦେଖିଲା ରତନୀ କବାଟ କିଳି ଶୋଇଛି । ଗେଲ୍‌ହୀ ଭୂଜା ମୁଠାଏ କନ୍ଦ ଖଣ୍ଡେ ଧରି ଚୋବାଉଛି । ଲୋକନାଥକୁ ଦେଖି ଗେଲ୍‌ହୀର ପାଟି ଫିଟିଲା । ‘‘ତୁ ଜମିଦାରର ପାଖରେ ଅଛୁ । ମୋ’ ଝିଅଟାକୁ ତୋ’ ଜମିଦାର ଘର ଲୋକେ ମାଡ଼ ମାଇଲେ, ତୁ କୁଆଡ଼େ ମରିଯାଇଥିଲୁ, ପିଠିରେ ପଇଲୁନାହିଁ । ତୋତେ ପୁଅପରି ପାଳି ଏଡ଼େରୁ ଏଡ଼େଟା କଲି । ଛୁତିକା ଝାଡ଼ାରେ ମାଁ ମରିଯାଉଥିଲା, ସେତେବେଳ କଥା ପାସୋର ଗଲା, ଏବେ ବାବୁ ହେଲ ପାଞ୍ଚ ପଇସା ଓଜଗାର୍‌କଲ ।’’ ଗଲା ରାମାୟଣ ମହାଭାରତ ବାହାରିଲା । ଲୋକନାଥ ସେ କଥାରେ ଭରସି କରି ଉତ୍ତର ନ ଦେଇ ଯାଇ ରତନୀ ଦୁଆରେ ଥୋଡ଼ାଏବେଳ ଖୁବ୍‌ ଡାକିଲା । ରତନୀ ସବୁ ଶୁଣୁଥାଏ । ଲୋକନାଥ ଉପରେ ଆଜି ତାର ଭାରି ରାଗ । ସେ କି ସହଜରେ ଦୁଆର ଖୋଲେ । ଶେଷକୁ ଗାଳିଦେଇ ଦେଇ କବାଟ ଖୋଲିଲା । ତା’ ମୁହଁ ଶୁଖି କଳାକାଠ ପଡ଼ିଯାଇଛି । ଦିଦିନ ହେଲା ଦାନା ନ ପଶିଲେ ଯାହା ହେଇଥାଏ । ଦୁଲୀ ଯତନୀ ପ୍ରବୋଧ କରି ଶେଷକୁ ମାଁ ଝିଅଙ୍କୁ ଖୁଆଇ ପିଆଇ ରାତି ଦି’ ଘଡ଼ି ବେଳକୁ ଘରକୁ ଗଲେ ।

 

ଲୋକନାଥ ଆଣିଥିବା ମାଛ ଦିଭାଗ ହେଲା । ରତନୀ ହଳଦୀ ବେସର ବାଟି ଝୋଳ କରି ବସିଲା । ବାପଘରେ ନ ଥିଲା । ଦିନତମାନ ସେବୁଲି ବୁଲି ମୂଲ ଖୋଜୁଥିଲା । ଟଙ୍କାଏ ମଷାଏ ହେଲେ ଜମିଦାରକୁ ଖଜଣା ଦବ । ଭାଗ୍ୟକୁ ଆର ଗାଁରେ ଘରଛୁଆଣି ମିଳିଗଲା । ମାଁ ଝିଅର କଣ ଦଶା ହେଇଥିଲା ସେ କି ଜାଣେ ?

 

ଲୋକନାଥଠୁ ସବୁ ଶୁଣି ତା’ ହଲକ ଶୁଖିଲା । ଜମିଦାର ଏଥର ରାଇଜରେ ରଖିବେ କି ନାହିଁ କିଏ ଜାଣେ ? ଝିଅକୁ, ଭାର୍ଯ୍ୟାକୁ ମନେ ମନେ ଗାଳି ଦେଇ ସେ ମୁଣ୍ଡରେ ହାତ ଦେଇ ବସିଲା ।

 

ତିସରା କଥା

 

ଜମିଦାର କଚିରୀଆଡ଼େ ଲୋକ ଥାଟପଟାଳ ଭାଙ୍ଗି ପଡ଼ୁଛନ୍ତି । କିଏ ଘିଅ ଭାରେ ଆଣିଛି, କିଏ ନଡ଼ିଆ ଭାରେ, କିଏ ଛେନା, ଗୁଡ଼ କଦଳୀ, କିଏ ଆଖୁ ତରଭୁଜ । କିଏ ଭଲ ଭଲ ଛେଳୀ ପୁଞ୍ଜାଏ, କିଏ ଗାଈ ଗୋଟାଏ । ଜମିଦାରର ସଲାମୀ ଏତକ । ଲୋକେ ଦାଣ୍ଡପାଖେ ଜମା । ଘଡ଼ିଏ ଖଣ୍ଡେ ଛାଡ଼ି ଜମିଦାରଙ୍କ ଦର୍ଶନ ମିଳିଲା । ନୂଆ ଜମିଦାର, ଲୋକେ ଭାବିଥିଲେ କୋଟ ପେଣ୍ଟଲୁନ ପିନ୍ଧି ମୁଣ୍ଡରେ ପଲମଟା ଘୋରି ହେଇଥିବେ ପରା । ଶୁଣିଥିଲେ ଭାରି ପଢ଼ାକି ଲୋକ । କିନ୍ତୁ ଦେଖିଲା ବେଳକୁ ଜମିଦାର ପିନ୍ଧିଛନ୍ତି ଖଣ୍ଡେ ଖଦି, ସେ ପୁଣି ଆଣ୍ଠୁ ଲୁଚିବାକୁ ନାହିଁ, ଦେହରେ ଗୋଟିଏ ମୋଟରା ଚାଦର, ଗୋଡ଼ରେ ପୁଣି ଭୋଟ ଅମଳର ଚଟି । ହାତରେ ସୁନା ମୁଦିଟି ଜକ ଜକ ଦୁଶୁଥାଏ ଏକା । କିନ୍ତୁ ଯେତେହେଲେ ହାକିମ, ଲୋକେ ଲମ୍ୱଲାମ୍ୱ ଗୋଡ଼ତଳେ ପଇଲେ । ସଲାମୀ ଭେଟୀ ଥୋଇଲେ । ହେଲେ ଜମିଦାର କିଛି ଛୁଇଁଲେ ନାହିଁ, ସବୁ ଜିନିଷ ଫେରେଇ ଦେଲେ । ପ୍ରଜାଏ ମହାଖୁସି । ଜମିଦାରଙ୍କ ନାଁରେ ଧନ୍ୟ ଧନ୍ୟ ପଡ଼ିଗଲା ।

 

ସେ ଦିନ ଉପରବେଳା ଆମ୍ୱତୋଟା ମେଲା ଜାଗାରେ ଗୋଟାଏ ସଭା ହେଲା । ଲୋକେ କେମିତି ଭଲ ହେବେ, ଆପଣା ଦେଶର ଜିନିଷରେ ମାୟାମମତା କରିବେ ଏ କଥା ପଇଲା । ଜମିଦାର କହିଲେ ‘‘ଧର ଗୋଟିଏ କଥା, ଆମେ ହେଲୁ ଓଡ଼ିଆ, ପଖାଳଖିଆ, ଆମର ବାପ ଜେଜେବାପ ଅମଳର ଲୋକେ କଣ ମୋଟ ଖାଇ ମୋଟି ପିନ୍ଧି ସୁଖରେ ସଂସାର କରୁ ନ ଥିଲେ, ସେତେବେଳେ ଟଙ୍କାକୁ ୫୦ ସେର ଚାଉଳ ମିଳୁଥିଲା ଟଙ୍କାକୁ ଘିଅ ଦି’ ତିନି ସେର । ଏବ କାଳକୁ ଟଙ୍କାକୁ ସରୁଚାଉଳ ଚାରିସେର ମିଳିବା କଷ୍ଟ । କିଆଁ ଇମିତି ହେଲା ? ଆମ ଦେଶରେ କଣ ଧାନ ଫସଲ ହଉନାହିଁ ନାଁ ଗଛରେ କପା ଫଳୁନାହିଁ ? ଆମ ପୋଖରୀରେ କଣ ମାଛ ନାଇଁ ନାଁ ଆମ ଗୁହାଳରେ ଗାଈ ନାହିଁ ? ଅଛି ସବୁ । ହେଲେ ଆମ ଆଖିଟା ହେଲାଣି ଦୁସୁରା । ଆମେ ହେଲୁଣି ବାବୁ ଆଉ ଅଳସୁଆ । ଆମ ଦେଶରେ କୋଟିଏ ଲୋକ ଯଦି ବାବୁଆନି ଛାଡ଼ନ୍ତେ, କହନ୍ତେ ନାଁ ଆମେ ହାତେ ଅରଜିମୁଁ ହାତେ ଖାଇମୁଁ ହାତେ ଲୁଗା ବୁଣିମୁଁ, ହାତେ ପିନ୍ଧିବୁଁ; ଆମେ ଆଉ ପର ଦୁଆରକୁ ଚାହିଁବୁ ନୁଁ, ଆମେ ଆମ ଭିତରେ କଜିଆ ଗୋଳ କରିବୁ ନୁଁ, ଗାଈ ହେଲେ ଗୋମାତା, ତାଙ୍କ ଦୁଧ ଖାଇ ଆମ ପିଲାଦିନେ ବଢ଼ିଛେଁ, ତାଙ୍କୁ ଯତନରେ ପାଳିବୁଁ । ତେବେ କଣ ଘିଅ ଦୁଧରେ ଘର ଭାସନ୍ତା ନାହିଁ ? ନିତି ନାଁ ଶହେଟା ଗୋରୁ ହଣା ହେଉଛନ୍ତି, ଆଉ ପଠାଣଙ୍କ ଇଦରେ ତାଙ୍କ ଧରମ ପରବରେ ଗୋଟିଏ ଯୋଡ଼ିଏ ଗୋରୁ କୋରବାଣୀ ହେଲେ ହିନ୍ଦୁଙ୍କ ଅଷ୍ଟାଙ୍ଗ ଜଳି ଉଠୁଛି, ଆଉ ନିଜେ କଂସେଇକି ଗାଈ ବିକିଦେଲା ବେଳକୁ ଗୋହତ୍ୟା ପାପଟା ଲାଗି ଯାଉନାହିଁ ପରା । ହେଇତି ଦେଖ ଏଇ ଯୋଉ ହାଡ଼ି, ପାଣ, ମୋଚି, ଚମାରଙ୍କୁ ଆମେ ଛୋଟ ଜାତି କହୁଛେଁ, ତାଙ୍କୁ ଖାଲି ଛୁଇଁ ଦେଲେ ମାରା ହୋଇ ଯାଉଛଁ, ଭାବିଲାବେଳକୁ ତାଙ୍କ କାମଟା କିଏ ତୁଲାନ୍ତା ? ସେମାନେ ତାଙ୍କ କାମ ନ କଲେତ ଆମ ସଂସାର ଚଳନ୍ତା ନାହିଁ । ଆମର ଏଡ଼େ ଉପକାରୀ ମଣିଷଙ୍କୁ ଆମେ ଜାତି ପାଟକରୁ ଅଲଗା ରଖି ଛୁଆଁ ଛୁଆଁ ରଡ଼ି ଛାଡ଼ିଲେ ହବ । ଏଇଟା ବିଧାତା ସହିବଟି !’’

 

ଘଡ଼ିଏ ଦି ଘଡ଼ି କାଳ ଖୁବ୍‌କଥା ଚାଲିଲା, କିଏ ହଁ ଭରିଲା କିଏ ନାହିଁ କଲା; କିଏ ଜମିଦାର ମୁହଁରେ ହଁ ମାଇଲେ ପଛାଡ଼େ କହିଲେ ‘‘ମଲା ମୋର, ଆମେ ମୋଟ ଖଦି କିଆଁ ପିନ୍ଧିବୁଁ ! ଆମର କାଳକ ସରୁରେ ଗଲାଣି ନାଁ ଆଜିକାଲି ଏସବୁ ନଅନକୋଅପରସନ ବାହାରିଛନ୍ତି, ଆମେ ଏଡ଼େ ଓଲୁ ହେଇଚେଁ ଆମେ ଯାଇ ଅପରସନରେ ମିଶିବୁଁ ସରକାର ଆମଠେଇଁ ଅପରସନ ହେଲେ ସେତେବେଳେ ଆମ ମଜାଟା କିଏ ବୁଝିବ ? ଜମିଦାର ଆସି କଣ ତୁଲେଇବ ? ମୁହଁରେ ବାଲିଙ୍ଗି କଲେ କଅଣ ହବ ।’’

 

ରାମା ପଧାନ କହିଲା- ଉଠ ହୋ ‘‘ସତେ ସତ୍ୟଯୁଗ ଫେରି ଆସିବ ଲୋକେ ତାଡ଼ି ମଦ ଗଞ୍ଜେଇ ଛାଡ଼ିବେ ।

 

ଲଇକ୍ଷଣା ପୁରୁଣା ଗୋଲିଖୋର ସେ ବାହାଦୂରୀ ଦେଖେଇ କହିଲା- ‘‘ଯେତେ ଶାଆସ୍ତ୍ର କୁହ, ଯେତେ ପୋଥି କୁହ ଲଇକ୍ଷଣ ବେହେରା ଗୋଲି ନ ଛାଡ଼ନ୍ତି, ମଦତ ଯେ ନ ଖାଇଲା ସେ କିଆ ମରଦକା ବେଟା !’’ ଦୀନା ଧଳ ଯୋଗ ଦେଇ କହିଲା, ‘‘ହଁ ରେ ସଙ୍ଗାତ ସତ କହିଲୁ ଯେ ନ ଖାଏ ଗଞ୍ଜେଇ ଗୋଲି, ତାକୁ କି ମଣିଷ ବୋଲି ।’’ ହାଡ଼ୁ ଗୋଛେଇତ ସେ କଥା ଶୁଣି କହିଲା, ଆମର ଦାରୁ ନ ହେଲେ ଦିନେ ଚଳିବ ନାହିଁ ।

 

ତଥାପି ବିଶିଆ, କାହ୍ନୁ ଚରଣ, ବର୍ଜୁଆ ହରିକା ଜମିଦାର ବାବୁ କଥାକୁ ଭାରି ପସନ୍ଦ କଲେ-। ବାବୁଙ୍କ ହୁକୁମ ଥିଲା ଆଖଡ଼ାରୁ ନିଶା ପାଣି ଉଠିଯିବ, ସେଠି ଫି ଶନିବାର ନାଟ ତାମସା ହବ, ରଇବାର ନାମ ସଙ୍କୀର୍ତ୍ତନ ହବ । ଗାଇଲା

 

ବଜେଇଲା ବାଲା ସବୁ ସେଠି ପଞ୍ଝା ହୋଇ ବସିବେ । ଆଉ ସେ ଗାଁରେ ଗୋଟିଏ ଭାଗବତ ଘର ଥାଏ । ଆଜିକାଲି ସେଠି ପୋଥି ବୋଲା ଅଛି କି ନ ଅଛି, ପର ଚର୍ଚ୍ଚାଟା ହୁଏ ପୂରା ମାତ୍ରା, ସେ ବି ଆଖଡ଼ା ଘରକୁ ଲାଗି ଲାଗି, ବାବୁ ଗାଁର ଭଲ ଭଲ ପାଞ୍ଚ ଜଣକୁ କହିଲେ, ‘‘ଦେଖ, ତେମେମାନେ ଆଗ ପରି ପାଞ୍ଚ ପଞ୍ଚୁର ଟେକ ରଖ । ପାଞ୍ଚ ପଞ୍ଚୁର କଥା ସରକାର ଏଡ଼ିପାରେ ନାହିଁ । ତୁମେ ହେଲ ସବୁ ଜାତିର ଦଳ ବେହେରା, ତୁମ୍ଭେ ମହତ କାମ କରିବ, ମହତ କଥା କହିବ, ନ୍ୟାୟ ନିଷାପ କରିବ, ରିସପତ ଲୋଭ ଛାଡ଼ିବ, ତେବେ ଦେଖିବ ଆମ ଓଡ଼ିଶା କଣ ଅଛି କଣ ହବ ।

 

ବାବୁ କଥାରେ ତାଙ୍କ ମୁହଁରେ ସଭିଁଏ ହଁ କରିଲେ । ସେ ଦିନ ଗାଁରେ ଏ ସବୁ କଥା ନେଇ, ବଡ଼ ଚହଳ ପଇଲା ।

 

ଯା’ ହେଉ ଜମିଦାରକୁ ଡରି କରି ହଉ, ନଇଲେ ଛାଏଁ ହଉ ସେଗାଁରେ ଗୋଟାଏ ଅରଟ ଘର ବସିଲା । ପାଁ ସାତ ଖଣ୍ଡ ଅରଟ ଥୁଆ ଗଲା । ନୋକ ରହିଲେ ସୂତାକଟା ଶିଖେଇବେ ବୋଲି-। ଗାଁ ମାଇକିନାଙ୍କ ସକାଶେ ଗାଁର ବାଳିକା ସ୍କୁଲରେ ଚରଖା କାଟିବା ବନ୍ଦୋବସ୍ତ ହେଲା । ଅକାରଣେ କଳି କନ୍ଦଳରେ ସମିୟ ନଷ୍ଟ କରୁଛନ୍ତି, ଭଲ ସୂତା କାଟନ୍ତୁ । ତାସ, ଛକା ପଚିଶି ଭଲା ଉଠିଯାଉ ।

 

ସେଇଦିନ ହଠାତ୍ ଜମିଦାରବାବୁ ଖବର ପାଇଲେ ତାଙ୍କ ଭାଇ ବୀର ତାଙ୍କୁ ଡକେଇ ପଠେଛନ୍ତି । ଇୟାଡ଼ିକାର କାମ ସାରିବାକୁ ଘର ଠେଇଁକି ବାହାରି ଗଲେ । ଶୁଣିଲେ ତାଙ୍କ ମାଁ ଦିହ ସୁଖ ନାହିଁ ।

 

ମାଁଙ୍କ ଶେଷ ସମୟ ହୋଇଥାଏ । ଶୁଳା ଗ୍ରହଣୀ ଧରିଥାଏ । ଅନେକ ଅନେକ ଉପାୟ କଲେ । ଡାକତରୀ ବଇଦ ଚିକିତ୍ସା ବି ହେଲା ଢେର । ହେଲେ ଯମଦୁଆରେ ହାଜର । ରଖିବ କିଏ ? ପୁଅ ନାତିଙ୍କି କନ୍ଦେଇ ବୁଢ଼ୀ ଚାଲିଗଲେ । ଘର ଖାଲି ପଇଲା । ଅଭିଆଡ଼ା ପୁଅ ଦୋଟିର କଥା ବୁଝିବାକୁ ରହିଲେ ତାଙ୍କ ବିଧବା ପିଇସି ନାରେଣୀ ଦେଈ ।

 

ନାରେଣୀ ଦେଈ କୃଷ୍ଣଙ୍କୁ ହରିଙ୍କି ଭାରି ସୁଖ ପାଆନ୍ତି । ବାଳ ବିଧବା । ସ୍ୱାମୀ ମଲାଦିନୁ ଭାଇଭାଉଜଙ୍କ ଘରଥିଲା ତାଙ୍କ ନିଜ ଘର । ଭାଉଜମାନଙ୍କର ପିଲାଙ୍କୁ ହାତରେ ମଣିଷ କରିଥିଲେ-। ବଡ଼ ପୁତୁରା ଶିବ ମଲାପରେ ଭାଇ ଭାଇ ଗୋଳ କରି ଭିନ୍ନ ହେବାରୁ ତାଙ୍କ ମନକୁ ବଡ଼ ବାଧିଥିଲା । ସତ କହିଲେ ତାଙ୍କ ବଡ଼ ଭାଉଜ ଦୋଷରେ ଏଡ଼େ କଥାଟା ହୋଇଥିଲା ମାଁ ହେଇଁ ପୁଅଙ୍କୁ ପାତର ଅନ୍ତର କରୁଥିଲେ । କଥାଥିଲା କଣ ନାଁ କୃଷ୍ଣ ଆଉ ହରି ସାନ ସଉତୁଣୀର ପିଲା । ହରିର ଜନମ ପରେ ତାଙ୍କ ମାଁଙ୍କର କାଳ ହୋଇଥିଲା । ସାବତ ମାଁ ଏ ପିଲା ଦୋଟିଙ୍କି ମୋଟେ ଦେଖି ପାରନ୍ତି ନାହିଁ । କିନ୍ତୁ ତାଙ୍କର ନିଜ ମାଁ କଥା ମୋଟେ ୟାଙ୍କର ମନେ ନ ଥିଲା । ଏମାଁଙ୍କୁ ମାଁପରି ମାନୁ ନ ଥିଲେ । କଥାରେ କହନ୍ତି, ‘‘ସଉତୁଣୀଥିବ, ସଉତୁଣୀ କଣ୍ଟା ନ ଥିବ ।’’ ନାରେଣୀ ଦେଈ ଏ ପୁଅ ଦୋଟି ଉପରେ ସାବତ ମାଁର ଅତ୍ୟାଚାର ମୋଟେ ସହି ପାରନ୍ତି ନାହିଁ । ୟାଙ୍କୁ ଅନେକ ରକମ ଶିଖାଶିଖି କରନ୍ତି । ଫଳରେ ଶେଷକୁ ସାନ ପୁଅ ହରି ବଡ଼ ବଗୁଲିୟା ହୋଇ ଉଠିଲା । ସେ ଆଉ କାହାକୁ ମାନେନାହିଁ । ମାନିଲା ଭିତରେ ଟିକେ ଡରଭୟ ଥାଏ ବଡ଼ଭାଇ ନବୀନ ଆଉ କୃଷ୍ଣକୁ । ନୋହିଲେ ସେ ଚାଲିଲା ଶଗଡ଼ରେ ହାତ ଦେବ । ହେଲେ ବଡ଼ ଚଲାଖୀ, ସେମିତି ସ୍ମରଣ ଶକ୍ତି । ପାଠରେ ସମସ୍ତଙ୍କୁ ଟପିଯାଏ । ବି. ଏ. ଯାକେ ଯାଇ ତ କଲେଜ ଛାଡ଼ିଲା । ତାର ଗୋଟିଏ ଗୁଣ ସେ ଯୋଉଥିରେ ମାତିଯିବ ଏକାବେଳେ ମାତିଯିବ । ଯେମିତି ଚଗଲା ବଗୁଲିଆ, ସେମିତି ବୁଝକ ଆଉ ଜ୍ଞାନୀ । ଗୀତ ବାଜାରେ ଫାଷ୍ଟ, ନାଟ ତାମସାରେ ଫାଷ୍ଟ, ହେର୍ଷାମୀରେ ବି ଫାଷ୍ଟ, ଏବେ ନବୀନ ଘରେ ନାହାନ୍ତି । କୃଷ୍ଣଙ୍କୁ ଖାଲି ସେ ମାନିଥାଏ । ଲୋକନାଥର ତାର ବେଶ ପଡ଼େ କିନ୍ତୁ ଗୁରୁଚରଣ ଥାଏ ତାର ଦୁସୁରା ଜୀବନ । ଗୁରୁଚରଣ ବ୍ରାହ୍ମଣ ଘର ପିଲା । ମାତ୍ର ଦେଖିଲେ ଜଣାପଡ଼ିବ ନାହିଁ ବ୍ରାହ୍ମଣ ଘର ପିଲା କି ବାଉରି ଘର ପିଲା । ବାପ ମାର ଗୋଟିଏ ବୋଲି ପୁଅ ! ପାଠ ଶାଠର ଧାର୍‌ ଧାରେ ନାହିଁ । ଯେତେକ ଦୁଷ୍ଟାମୀ ସବୁରେ ପକ୍କାହେଲେ ଏମାନେ କେବେ କାହାରି ଅନିଷ୍ଟ କରନ୍ତି ନାହିଁ । ନିଶାପାଣି ନାହିଁ । ଖାଲି ପିଲା ବୟସ, ବଗୁଲିଆଗିରି ସାର । ବାପ ମାଇଲେ ବୋଲିଲେ ମାଁ ଆବୁଡ଼ି ପଡ଼େ । ସେହି ଯୋଗୁ ଗୁରୁଚରଣ ସଭିଙ୍କି ଅଖାତିରି କରୁଥାଏ । ଜମିଦାର ପୁଅ ହରି ବି ସାଙ୍ଗକୁ ମିଳିଥାଏ ।

 

ପିଲାବେଳେ ୟାଙ୍କ ଜାଳାରେ ଗୋଟିଏ ଫଳ କାହା ଗଛରେ ରହୁ ନ ଥିଲା । ଦିହିପହରେ ସମସ୍ତେ ତାଟି କବାଟ କିଳି ଶୋଇଛନ୍ତି ଏମାନେ କାହା ବାରିର ପିଜୁଳି, କାହା ବାରିର ପଣସ, କାହା ବାରି ନେମ୍ୱୁ ପାରିଆଣି ପିଣ୍ଡାରେ ଗଦେଇଦେଇ ଚାଲିଯିବେ । ଗୋଠରୁ ଗାଈ ଧରି କାଞ୍ଜି ହାଉଦାରେ ପୂରେଇବେ । ତମେ ପଇସା ଗଣି ଆଣୁଥାଅ, ଧୋବା ତୁଠରେ ନୁଗା ଶୁଖେଇଛ, ଖଣ୍ଡେ ଦି’ଖଣ୍ଡ ପଥର ତଳେ ନୁଚେଇ ଦେବେ । ଅବଧାନେ ଚାହାଳୀରେ ନାହାନ୍ତି, ପିଲାଙ୍କୁ କହିବେ ‘‘ଆରେ ଯାଅରେ ଅବଧାନ ଘରଠିକି ଗଲେଣି । ଆଜି ଛୁଟି ।’’ ଏମିତି ଦୁଷ୍ଟପଣିଆରେ ଲୋକେ ବଡ଼ ବିରକ୍ତ ହୁଅନ୍ତି, ଆସି ବାବୁ ଆଗରେ ଫେରାଦ କରନ୍ତି । ବାବୁ ମାଇଲେ ଧଇଲେ କିଛି ଦିନ ତୁନି ତାନି ଥାଆନ୍ତି ପୁଣି ଯୋଉ କଥାକୁ ସେଇ କଥା । ହରି ବା ମାଡ଼ ଖାଇବ କଣ । ଶେଷକୁ ପିଇସି ପିଠିରେ ପଡ଼ି ତାକୁ ମାଡ଼ରୁ ଉଦ୍ଧାରନ୍ତି । ଏମିତି ମୁହଁ ପାଇ ପାଇ ସେ ବଢ଼ୁଥାଏ ।

 

କଟକ ପଢ଼ିଗଲା ଯେ ପିଇସୀ ସାଙ୍ଗରେ ଗଲେ । ହଠାତ୍‌ ନଅନ୍‌କୋପର୍ସନରେ ମିଶି ଦି ଭାଇ କି ଦି’ ଭାଇ ବର୍ଷେ ଖଣ୍ଡେ କଲେଜ ଛାଡ଼ି ଦେଶ ଦେଶ ବୁଲିଲେ । ପୁଣି ବାପଠୁ ତଡ଼ା ଖାଇ ଆଉଥରେ ଆସି ନାଁ ଲେଖେଇଲେ । କୃଷ୍ଣ ଧୀର ଶାନ୍ତ, ଆଉ ହରି ଉଦ୍ଧତ ଉଗ୍ରମୂର୍ତ୍ତି । କୃଷ୍ଣ ଲୋକନାଥ, ହରି ଗୁରୁଚରଣ ସାଙ୍ଗକୁ ବି ମିଳିଥାନ୍ତି ବେଶ୍‌।

 

ଦିନାକେତେ ଗଲା । କୃଷ୍ଣର ବିଭାଘର କଥା ଉଠିଲା । ବାପ ନ ଥିଲେ ଭାଇ ତ ଅଛନ୍ତି, ମାଁ’ ନ ଥିଲେ ଅପା ତ ଅଛନ୍ତି । ଲଇଖଣପୁରରେ କନ୍ୟା ଘର ଠିକଣା ହେଲା । ଯେମିତି ସୁନ୍ଦରୀ, ସେମିତି ବଡ଼ଘର ଝୁଅ । ପାଠ ଶାଠ କିଛି ପଢ଼ି ନ ଥାଏ । ଅ ଅକ୍ଷର ଚିହ୍ନି ଆସେ ନାହିଁ । କିନ୍ତୁ ରୂପରେ ଇନ୍ଦ୍ରାଣୀ ପରି । ନାରେଣୀ ଦେଈଙ୍କ ମନ ମାନିଗଲା । ବଡ଼ ଜାକଜମକରେ ବାହାଘର ହେଲା । ଖୁବ୍‌ ଦେଏଣ ନେଏଣ ହେଲା; କନ୍ୟାଘର ଯାନି ଯଉତୁକ ଖୁବ୍‌ ଦେଇଥାନ୍ତି । ବାହାଘର ବଡ଼ ମଉଜରେ କଟିଲା । ପିଠାପଣାର ସୀମା ନାହିଁ । ଖାଆଣ ପିଆଣର ପରିଯନ୍ତ ନାହିଁ । କିଏ କେତେ ନେଲେ କିଏ କେତେ ବୋହିଲେ ତାର ସୁମାରି ନାହିଁ । ରୋଷଣୀ ଖୁବ୍‌ ହୋଇଥିଲା, ବାଇଦ ଖୁବ୍‌ ବାଜିଥିଲା, ନାଟତାମସା ଆଚ୍ଛା ହୋଇଥିଲା । କିନ୍ତୁ କୃଷ୍ଣବାବୁଙ୍କ ମନ ଏଥିରେ ବଡ଼ ଖରାପ ହେଲା । ଅକାରଣ ଏତେଗୁଡ଼ା ଟଙ୍କା ବେଫାଇଦା ଖର୍ଚ୍ଚ ହେଲା ଏଥିରେ ଭଲା ଦେଶର କାଣିଚାଏ କାମ ହୋଇଥାନ୍ତା । ଯାହାହେଉ ବଡ଼ ଭାଇ ଭାଉଜ, ପିଇସି, ଆଦି କୁଟୁମ୍ୱଙ୍କ ମୁହଁଙ୍କୁ ଚାହିଁ କିଛି କହିଲେ ନାହିଁ । ବାହା ସଇଲା । ବୋହୂ ଆଇଲା ଘରକୁ । ରୂପରେ ଅନ୍ଧାର ଘର ଆଲୁଅ ହେଲା । କୃଷ୍ଣ ସବୁ ଦୁଃଖ ପାସୋର ଗଲେ । କିଛିଦିନ ବଡ଼ ଆନନ୍ଦରେ କଟିଲା । ହେଲେ ସବୁଦିନ ନୂଆ କଥା ନ ଥାଏ । ବୋହୂ ଦି ଅକ୍ଷର ଜାଣନ୍ତି ନାହିଁ । କୃଷ୍ଣର ଇଚ୍ଛା ତାଙ୍କୁ ପାଠ ପଢ଼େଇବାକୁ । କଟକରୁ ଆଣିଲେ ଗୋଟିଏ ମାଷ୍ଟରାଣୀ; ବୋହୂ କି ପାଠ ପଢ଼ିବେ । ଦିନେ ଅଧେ ବର୍ଣ୍ଣବୋଧ ଧଇଲେ । ଶେଷକୁ ମାନ ମାରି କାନ୍ଦି ବସିଲେ । ସେ ନିହାତି ଓଲି ପାଠ ତାଙ୍କ ଜାତକରେ ନ ଥାଏ । ଆପଣା ମାଁ ଜେଜେମାଠୁଁ ଶୁଣିଥାନ୍ତି, ମାଇକିନିଆ ଝୁଅ ଚୁଲ୍ଲିମୁଣ୍ଡକୁ । ତାଙ୍କ ବଅଁଶଯାକରେ କୋଉ ଝିଅ ପାଠ ପଢ଼ିନଥିଲେ । ଥରେ କୁଆଡ଼େ ତାଙ୍କ ବଅଁଶର ଗୋଟିଏ ଝିଅ ସ୍ୱାମୀଙ୍କ ବଳାଜୋରିରେ ପାଠ ପଢ଼ିଥିଲେ । କିଛିଦିନ ପରେ ସେ ବିଧବା ହେଲେ ସେ ଦିନୁ ତାଙ୍କ ଘରେ ବିଶ୍ୱାସ ପାଠ ପଢ଼ିଲେ ଝିଅ ବିଧବା ହୁଅନ୍ତି । ଏଠି ପାଠ ପଢ଼ିବାର ଧୂମ୍‌ଦେଖି ତାଙ୍କୁ ବଡ଼ ଡର ମାଇଲା । ଶାଶୁ ଆଗରେ କାନ୍ଦିଲେ, ତାଙ୍କ କାନ୍ଦକଟା ଦେଖି ଶାଶୁ ମାଷ୍ଟରାଣୀକି ତଡ଼ିଲେ । ପାଠପଢ଼ା ଇତି ହେଲା । କୃଷ୍ଣଙ୍କର ମନ ଏକାବେଳକେ ପୋଡ଼ିଗଲା । ତାଙ୍କ ମନରେ ଯୋଉ ଆଶା ପୋଷିଥିଲେ; ଭାରିଯା ପାଠ ପଢ଼ିବ ତାଙ୍କ ସାଙ୍ଗରେ ମିଳିମିଶି କାମ କରିବ ସବୁ ଚୁଲ୍ଲିରେ ଗଲା । ଭାର୍ଯ୍ୟା ହେଲା ତାଙ୍କ ଗୋଡ଼କୁ ଶାଙ୍କୁଳି ହାତକୁ କଡ଼ି ।

 

ଖାଲି ଏତିକି ନୁହଁ, ତାଙ୍କ ବୋହୂଟି କୋଉ କାମ ଜାଣନ୍ତି ନାହିଁ । ଅଲିଅଳ ଘର ଝୁଅ, ପାଣି ନୋଟିଏ କାଢ଼ି ନାହାନ୍ତି । ହାଣ୍ଡିଚୁଲ୍ଲି ଉପରକୁ ଟେକି ନାହାନ୍ତି । ଏଠି ବି ଚାକର ଚାକିରାଣୀର ଅଭାବ ନାହିଁ । ବାପ ବଇଦା ମାଁକୁ ପୁଣି ସାଙ୍ଗରେ ଦେଇଥାନ୍ତି । ଆଉ ସେ ପୁଣି କି ପାଇଟି କରିବେ ? ଦିନରାତି ଖଟରେ ଶୋଇଥାନ୍ତି, ସ୍ୱାମୀ ନ ଥିଲା ବେଳେ ନୁଚେଇ ତାସ କଉଡ଼ି ଖେଳ ଲଗାନ୍ତି । ବାର ବେଳେ ବାର ବେମାରୀ, ସେଥିରେ ପୁଣି ପହିଲି ବରଷ ଗୋଟିଏ ପିଲା ହେଇଁ ନଷ୍ଟ ଗଲା ଆଉ ତାଙ୍କୁ ଧଇଲା ଛୁତିକା ଜର । ସେଥିରୁ ଛ ମାସରେ ଭଲ ହେଲେ । ପଥିରେ ରହନ୍ତି ନାହିଁ, ସ୍ୱାମୀ ଶାଶୁ କାହାରି କଥା ମାନନ୍ତି ନାହିଁ, ଭଲ ହେବେ କୋଉଠୁ ? ମନଟି ବଡ଼ ହିଂସାରେ ପୂର୍ଣ୍ଣ । କାହାରି ଭଲ ଦେଖି ପାରନ୍ତି ନାହିଁ, ଲୁଗା ଗହଣାକୁ ଜୀବନଠୁ ବଡ଼ ମଣିଥାନ୍ତି । ଏମିତି ବାର ରକମ କଥାରେ କୃଷ୍ଣଙ୍କ ମନ ମରିଗଲା । ସେ ନିଜେ ଲୋକଙ୍କୁ ଉପଦେଶ ଦେଉଛନ୍ତି । ସରୁ ଲୁଗା ଛାଡ଼, ହାତ କଟାସୂତା ଲୁଗାପିନ୍ଧ, ଏଣେ ଘରେ ତାଙ୍କରି ବୋହୂ ତାଙ୍କୁ ଅମାନିଆ କରି ସରୁଲୁଗା, ବାସନା ସାବୁନ, ବାସନା ତେଲ, ଅତର ଛାଡ଼ିନାହାନ୍ତି । ବାବୁ କହିଲେ ଚରଖା କାଟ । ସାଆନ୍ତାଣୀ କହିଲେ, ‘‘ମଲା ମୋର ! ମୁଁ କଣ ତନ୍ତିଆଣୀ, ମୁଁ ବସି ସୂତା କାଟିବି ।’’ ଶାଶୁ ହେଲେ ତାଙ୍କ ପକ୍ଷ ସତକଥା ବଡ଼ ଲୋକଝୁଅ, ଏଡ଼େଭିଡ଼ କାମ ସେ କଣ ପାରିବ; ପିଲାଦିନୁଁ ଯେ କୁଟା ଖଣ୍ଡେ ଦି’ଖଣ୍ଡ କରିନାହିଁ । ‘‘ଥରେ ସ୍ୱାମୀଙ୍କ ବଳା ଜୋରିରେ ଚରଖା ଚଲେଇ ଥିଲେ, ଆଉ ହାତ କଣ ହେଲା, ଖୁଆ ଫାଟି ପଇଲା କହି କାନ୍ଦିଲେ ।’’ ମହାନାରାୟଣ ତୈଳ ମାଲିସ କରି ସେକ ଦେଇ ତିନି ଦିନରେ ସେ ଭଲ ହେଲା ଖୁଆରୁ ଦରଜ ଛାଡ଼ିଲା । ସେ ଆଉ ଦେଶ ଉଦ୍ଧାରିବେ କଣ, ତାଙ୍କ ସ୍ୱାମୀ ଆଉ କିଛି କହିଲେ ନାହି । କରମ ଆଦରି ତୁନି ହୋଇ ରହିଲେ ।

 

ଦିନେ ସଞ୍ଜବେଳେ କଚିରୀରେ କେହି ନ ଥାନ୍ତି । ଲୋକନାଥ ଆଉ ବାବୁ ଏକା ବସିଥାନ୍ତି-। ସାଆନ୍ତାଣୀଙ୍କ ହାଲ ଲୋକନାଥ ସବୁ ଜାଣିଥାନ୍ତି; ଆଜି କାଲି ବାବୁଙ୍କର ଯେ ଆଗପରି ଫୁର୍ତ୍ତି ନାହିଁ ଏ କଥା ଚତୁର ଲୋକନାଥ ସବୁ ବୁଝିଯାଏ । କେତେ କଥା ହଉଁ ହଉଁ ଘର କଥା ପଇଲା । ଲୋକନାଥର ବୋହୂ ବଡ଼ ସୁଧୀରା, ସ୍ୱାମୀ ଶାଶୁ କଥାରୁ ପଦେ ଟଳେ ନାହିଁ; ଆଉ ସେ କେଇଟା ଦିନ ଭିତରେ ଭଲ ଚରଖା କାଟି ଶିଖିଲାଣି । ତା’ କତିରୁ ରତନି ଓରଫେ ନଅତୁଣ୍ଡୀ ବି ଚରଖା ଶିଖି ସେ ପୁଣି ଯୋଉ ସରୁସୂତା କାଟିଲାଣି ଛାଡ଼ । କଥାଟା ବାବୁକାନକୁ ବଡ଼ ମିଠା ଲାଗିଲା । ଦୀର୍ଘ ନିଶ୍ୱାସଟିଏ ପକେଇ କହିଲେ, ନଅତୁଣ୍ଡୀ କି ବାହା ହେଇଥିଲେ ବି ହେଇଥାନ୍ତା । ଅକାରଣେ ଗୋରୁଟିଏ ଆଣି ଖୁଣ୍ଟରେ ବାନ୍ଧି ଲାଭ କଣ ? ତାର ଯୋଉ ତେଜ ମୂର୍ତ୍ତି ମୁଁ କେବେ ଭୁଲି ପାରିବିନାହିଁ । ତା’ ଭିତରେ କେତେ ଶକ୍ତି । ଅସାଧ୍ୟ ସାଧିଲା ଝିଅ ସେ ।

 

ଲୋକନାଥ ଅବିଶ୍ୱାସରେ ହସି ଦେଇ କହିଲା, ‘ମୂଲିଆ ମୁଣ୍ଡର ଝିଅ ରତନୀ, ତାଙ୍କର ମାନ ମହତ କଣ ଯେ, ଆପଣଙ୍କର କୋଉ କାନ୍ଧକୁ କାନ୍ଧ ପାଇବ ? ଦୁଃଖ କଲେ ପେଟ ପୋଷିବେ । ବାବୁ ଗମ୍ଭୀର ହେଇ କହିଲେ, ‘‘ମଣିଷ ରଜା ରାଉତୁରୀ ହେଲେ ବି ମଣିଷ ମୂଲିଆ ମୁଣ୍ଡ ହେଲେ ବି ମଣିଷ, ଆଉ ଦୁଃଖ କରି ପେଟ ପୋଷିବା କଥା ଯାହା କହିଲ, ସେଥିରେ ଲାଜ କଣ ?’’ ଅକାର୍ଯ୍ୟରେ ଲାଜ, ଅଳସ ପଣରେ ଲାଜ, ଗାନ୍ଧିଙ୍କ ଶିକ୍ଷା କଣ ଜାଣି ନଁ ? ଲୋକନାଥ ତାଚ୍ଛୁଲ୍ୟରେ କହିଲା, ‘‘ସେ ମସ୍ତ ଖୋରଣୀ, ନଅତୁଣ୍ଡୀ ନାଁ ଡ଼ାକ, ଜାଣୁ ଜାଣୁ ନାଗ ସାପ ବେକରେ ବାନ୍ଧିବ ।’’

 

ବାବୁ କହିଲେ, ‘‘ହଁ ସେମିତି ଗୁଣିଆ କେଳା ହେଲେ ତ ! ମନ ପଢ଼ି ଜାଣିଲେ ନାଗସାପ ବଶ ।’’

ଲୋକନାଥ କହିଲା, ‘‘ଛି, ଛି, ଗୋ ଧର୍ମ୍ମଭଉଣୀ ସତ, ତା’ ବୋଲି ସେ ଖୋରଣୀଟାକୁ କେହି ବାହା ହଉ ନାହାନ୍ତି, ତୁମର ଦିବ୍ୟ ସୁନ୍ଦର ବୋହୂ ଥାଉ ଥାଉ-

 

ଲୋକନାଥ କଥାଟା ଭାଙ୍ଗିବାକୁ ଟିକେ ଶୁଖିଲା ମୁହଁରେ କହିଲେ ହଁ ନେଡ଼ି ଗୁଡ଼ କହୁଣୀକି ବୋହିଯାଇଛି ଲୋକନାଥ ! ସୁନ୍ଦର ନେଇ କେହି ଧୋଇ ପିଇବ ନାହିଁ । ଏମିତି ଅଳସେଇ, ଅକର୍ମ୍ମଣ୍ୟ, ଅହଂକାରୁଣୀ ହଜାରଟା ବଡ଼ଲୋକ ଝିଅକୁ ବିଭା ହେବା ଅପେକ୍ଷା ମୁଲିଆମୁଣ୍ଡର କାଳି କୋତରୀ ଝିଅଟିକି ସହଧର୍ମ୍ମିଣୀ କରିବା ଭଲ । ସେ ଦିନ ଆଉ ବେଶି କିଛି କଥା ହେଲା ନାହିଁ ।-

 

ଲୋକା ମନେ ମନେ ଭାରି ଖୁସି । ଶେଷକୁ ସାଙ୍ଗ ମହଲରେ ନ’ତୁଣ୍ଡୀ କଥା ରାଷ୍ଟ୍ର ହେଇଗଲା । ହରି, ଗୁରୁଚରଣ ମହାବଗୁଲିଆ । ନଅତୁଣ୍ଡୀ କି ଭାଇ ବାହା ହେବେ ଶୁଣି ହରି କହିଲା, ‘‘ହଉ ହଉ ଆମେ ଆଗ ତାକୁ ବାହା ହବା । ସେ ଏଡ଼େ ସୁଧୀରା; ତାକୁ ଭାଇ ଚଳେଇ ଜାଣିବେ ନାହିଁ । ମୁଁ ହେଲେ ତାକୁ ଠିକ୍‌ କରିବି । ବସ୍‌ କହିଲେ ବସିବ ଉଠ୍‌ କହିଲେ ଉଠିବ । ମାଡ଼କୁ ମାହାଦେବ ଡରନ୍ତି; ଛାର ଝିଅଟା ଡରିବ ନାହିଁ ।’’ ଗୁରୁଚରଣ କହିଲା, ‘‘ସେ କଣ ମାଜଣା ଜଙ୍ଗଲର ବାଘଟା କି ? ମୁଁ ଦେଖିନେବି ତା’ ଟାଣ ।’’

 

ଅବଶ୍ୟ ଏ ସବୁ କଥା ଲୋକନାଥକୁ ଲୁଚେଇ ଲୁଚେଇ ହୁଏ । ଲୋକନାଥ ବିଚରା କିଛି ଜାଣି ନ ଥାଏ । ସେତେବେଳେ ଜମିଦାରୀରେ କାମର ଧୁମ୍‌ଧାମ୍‌। ଜମିଦାରବାବୁ ନୂଆଢଙ୍ଗର ରାଇଜ ଚଳଉଛନ୍ତି । ଗାଁ ଗାଁ ତାଙ୍କର ଦେଶୀ ଜିନଷ ପ୍ରଚାର ନାଗିଛି । ଚରଖା ଚାଲୁଛି, ବତ୍କୃତା ହଉଛି, ମିଟିଙ୍ଗି ବସୁଛି । ଚାନ୍ଦା ଉଠୁଛି । ହାଡ଼ି ପାଣ କଣ୍ଡରାଙ୍କୁ ଛୁଆଁ ଜାତିଭିତରେ ଆଣିବାକୁ ଯତ୍ନ ଲାଗିଛି । ନ’ତୁଣ୍ଡୀ କଥା ଭାବୁଛି କିଏ ?

 

ସେତେବେଳକୁ ପୁଣି ଗୋଟିଏ ଗୋଟିଏ ଗାଁରେ ଭାରି ଜର ହେଉଥାଏ, କାହିଁ କାହିଁ ବସନ୍ତ ଲାଗିଯାଉ ଥାଏ । ବାବୁ ହାତରୁ ଟଙ୍କା ଖରଚ କରି, ବଇଦ ଡାକତର, ଔଷଧ ପଥି, ପଠଉଛନ୍ତି । ତାଙ୍କୁ କାମରେ ତର ନାହିଁ । ଲୋକନାଥକୁ ବି ତର ନାହିଁ । ହରି ଗୁରୁଚରଣ ବି ବସି ନାହାନ୍ତି ।

 

ଖାଲି ବେଳେ ବେଳେ ବାବୁଙ୍କ ମନ ଦୁଃଖ ହୁଏ, ଉମା ସୁନ୍ଦରୀ ଲାଗି । ରୂପରେ ଉମା ଭଲ ଗୁଣରେ ଉମା ହେଇ ଥାନ୍ତେ । ଯେ ଦୁନିଆଯାକକୁ ଶିକ୍ଷା ଦେଉଛି ତା’ ଘରେ ପୁଣି ତାର ଓଲଟା ଏ କଥାରେ ଭଲା କାହାକୁ ଦୁଃଖ ନ ଲାଗିବ ?

 

Unknown

ଚଉଥା କଥା

 

ଆଗରୁ ଶୁଣିଛ, ଲୋକା ଘରକୁ ବିଦିଆ ଘର, ବାରିକି ବାରି କାନ୍ଥକୁ କାନ୍ଥ ଲାଗିଛି । ଲୋକନାଥ ଘରେ ଲକ୍ଷ୍ମୀଙ୍କ ବାସ, ବିଦିଆ ଘରେ ଦାନା ନାହିଁ । ହତଶିରୀର ଶେଷ ସୀମା । ଏଠି ବାପ ମାଁ ଝୁଅ ତିନି ପ୍ରାଣୀ । ହେଲେ ବିଦିଆ ଆଉ କାମକୁ ପାରୁନାହିଁ । କିନ୍ତୁ ଅଫିମ ମାତ୍ରା ଦିନକୁ ଦିନ ବଢ଼ୁଛି । ଗେଲ୍‌ହୀ ଆଉ ରତନୀ ଦୁଃଖ ଧନ୍ଦା କରନ୍ତି, ବୁଢ଼ା ସେଥିରୁ ଅଧା ଅଫିମରେ ଉଡ଼ାଏ-। ଗେଲ୍‌ହୀକୁ ପୁଣି ତୁଆକୁତୁଆ ବାତଜ୍ୱର, ଗୋଡ଼ ହେଲାଣି ଗୋଟିଏ ଗୋଟିଏ ଖୁମ୍ବପରି । ସେ ବି ଆଗପରି ପାଇଟିକି ପାରୁନାହିଁ । ଅଛି ଏକା ରତନୀ । ଏ ପର୍ଯ୍ୟନ୍ତ ବାହାସାହା ହେଇନାହିଁ, କେହି ବି ମାଗୁ ନାହାନ୍ତି । ସେ ଆପଣା ପାଇଟି କରେ, ଭଙ୍ଗା ଘର ଆଉ ବୁଢ଼ାବୁଢ଼ୀଙ୍କି ଆବୋଡ଼ିକିରି ଥାଏ । ଖଞ୍ଜଣା ଅସୁଲ ନ ହେଲାରୁ ଜମିଦାର ଉଠେଇ ଦବାକୁ ବସିଲେଣି । ଏଣେ ତିନିବର୍ଷ ହେଲା ଘର ଛୁଆଣି ଛପର ନାହିଁ, ଠାଏ ଠାଏ କାନ୍ଥ ଭାଙ୍ଗିଗଲାଣି, ଚାଳରେ ବଡ଼ ବଡ଼ କଣା । ବର୍ଷା ଦିନରେ ଲୋକି ଓଳି ଛଡ଼ା ଆଶ୍ରା ଭରସା କେହି ନାହିଁ ।

 

ଲୋକି ଘର ଆଜିକାଲି ଅନ୍ୟ ଢଙ୍ଗର ହେଲାଣି । ଦୁଲୀ ମଲାଣି । ଯତନୀ କୋଉକାଳୁ ଶାଶୁଘର କଲାଣି, ତାର ଆଜିକାଲି ତିନିଟା ପିଲା । ଲୋକିର ବି ବୋହୂ ଅଇଲାଣି । ତାର ବି ଯୋଡ଼ିଏ ତିନୋଟି ଗୁଡ଼ୁରୁ ଗାଡ଼ୁରୁ ହେଲେଣି । ଲୋକି ବୋହୂ ମିଳାପୀ ମଣିଷ ସତ, କିନ୍ତୁ ନିଜ ପଇସାପତ୍ରକୁ ଭାରି ଆଖି । କହନ୍ତି କଥାରେ ଛୋଟକୁ କେ ଦେଲା ବଡ଼ପଣ ତା’ ଠେଇ ନାହିଁ ଥାନ ମାନ । ଲୋକା ବରାବରୀ ଥାଏ ତା’ ବାବୁ କତିରେ । ବାବୁର ଜମିଦାରୀ ବୁଝାସୁଝା କରେ । ମଝିରେ ମଝିରେ ହପ୍ତାଏ ଖଣ୍ଡେ ଛୁଟି ନେଇ ଘରକୁ ଆସେ । ଗେଲ୍‌ହୀ ଆଉ ରତନୀ ବୋହୂଟିକି ଆବୋଡ଼ି ଥାଆନ୍ତି, କିନ୍ତୁ ବୋହୂଟି ମୁହଁରେ କିଛି ନ କହିଲେ ସୁଦ୍ଧା ୟାଙ୍କ କରତାପଣିଆ ସୁଖ ପାଏନାହିଁ । ଗରଜ ପଇଲେ ଲୋକେ ଗଧ ପାଦ ଧରନ୍ତି । ଏହିଟା ଜାଣିଥିବାରୁ ଚତୁରୀ ସାରଦା କେବେ ହେଲେ ୟାଙ୍କୁ ହଟି କରି ପଦେ କହେ ନାହିଁ । କିନ୍ତୁ ମୁଠିଏ ଚାଉଳ କେବେ ଦେବାକୁ ଚାହେ ନାହିଁ । ରତନୀ ଖୋରଣୀ ସତ, ରତନୀର କିନ୍ତୁ ଲୋକା ଭାଇଠି ବଡ଼ ମାୟା । ତା’ ପିଲାଙ୍କର ବାରପାଇଟି କଲେ ତାକୁ ଅସୁଖ ଲାଗେ ନାହିଁ । ସେ ଜାଣି ଦୁଃଖୀ, କାହା ସାଙ୍ଗେ ନଢ଼ିବ ଯାଇ ? ଲୋକା ଘରେ ଥିଲେ ଖୁବ୍‌ଦିଆ ନିଆ କରେ । ତେବେ ପଇସା ଲୋଭ କାହାଠି ନାହିଁ ?

 

ଏତେ ଦୁଃଖ ହେଲାଣି, କିନ୍ତୁ ମାଁ ଝିଅ ଖୋରଣୀ ପଣ ଛାଡ଼ି ନାହାନ୍ତି । ଏ ପାଖ ସାହିରେ ୟାଙ୍କ ଜାତିଘର କେହି ନ ଥାନ୍ତି । ଏହିଟା ଦରଜୀ ସାହି । ପ୍ରାୟ ୨୫ ବରଷ ତଳେ ଭାରିଯା କଥାରେ ପଡ଼ି ବିଦିଆ ଭିନ୍ନ ହେଇ ଆସି ଏ ସାହିରେ ଘର କଲା । ଆଗେ ତାଙ୍କ ଘରଥିଲା ଖଣ୍ଡେଇତ ସାହି ବାଇଧର ଜେନା ଘରେ । ତା’ ବାପ ଉଦିଆ ଜେନା ବିଦିଆର ଖୁଡ଼ୁତା, ମସ୍ତ ମହାଜନ । ଧାନ ଚାଉଳ କାରବାର । ସେ କିନ୍ତୁ ଅନେକ ଦିନ ହେଲା ମଲେଣି । ତାଙ୍କ ପୁଅ ବାଇଧର ଜେନା ଆଜିକାଲି ମାଲିକ । ତାଙ୍କ ନାଁ ଗାଁ ଦଶକୋଶ ବାଟରେ ପଡ଼ୁଛି । ଟଙ୍କା ଲକ୍ଷେ ଖଣ୍ଡେ ଘରୁ ଗଣି ଦେବେ, କିନ୍ତୁ ଲୋକଟି ଯେମିତି କାମ୍ପି ସେମିତି ଜାଲିଆ । ଲୋକେ କହନ୍ତି ତା’ ନାଁ ଧଇଲେ ସେ ଦିନ ଭାତ ମିଳିବା ଦୁଷ୍କର । ତା’ ନାଁରେ ଏଡ଼େ କରାମତି । ସେ ଯେ କେତେ ଲୋକର ଜମି ମାରିଛି, ସମ୍ପତ୍ତି ମାରିଛି ତାର ସୀମା ନାହିଁ । ବିଦିଆର ସର୍ବସ୍ୱ ମାରି ତାକୁ ଭିକାରୀ ଦଶା କରେଇ ସୁଦ୍ଧା ତାର ତୃପ୍ତି ନ ଥାଏ । ଟଙ୍କା ଯେ ତାଠୁ ଥରେ ଧାର ଆଇଁଲା ଜାଣ ସେ ମୂଳରୁ ମଲା । ଗଲା ତାର ତାଟି କବାଟ ଉଠେଇ ନବ ।

 

ଥରେ ବିଦିଆର ଦିହ ଦୁଃଖ ହେଇଁଥିଲା । ଆଉ କିଛି ଉପାୟ ନ ପାଇ ତା’ଠୁ ଟଙ୍କା ୨୦ ଟା କରଜ ଆଇଁଲା ଭାବିଲା ଭାଇତ ! ଗେଲ୍‌ହୀ ଯେତେ ମନା କଲା ମାନିଲା ନାହିଁ । ସେହି ଟଙ୍କା ବଢ଼ି ବଢ଼ି ସୁଧ ମୂଳ ମିଶି ଟ ୩୦୦ ଙ୍କା ହେଲା । ବାଇଧରକୁ ବାଗ ମିଳିଲା । ବିଦିଆର ଘର ଖଣ୍ଡିକ ନିଲାମ କରି ନେଇଗଲା । ପରିବାରଟି ଲୋକନାଥ ପିଣ୍ଡାରେ ଆଶ୍ରା ନେଲେ । ଗେଲ୍‌ହୀ ସେ ଦିନ ବାଇଧରକୁ ଅଭିଶାପ ଦେଇ ଦେଇ କିଜାଣି ନୋଟାଏ ପାଣି ପିଇଛି ।

 

ବିଦିଆର ସବୁ ଗଲା, ବାସ ନାହିଁ, ଦାନା ନାହିଁ କନା ନାହିଁ, ବେକରେ କୋଡ଼ିଏ ବରଷର ଝିଅ ବନ୍ଧା, ଭାରିଯାର ଏ ଅବସ୍ତା । ଭାବି ଭାବି ତାକୁ ଜର ହେଲା । ଜରରେ ବିଦିଆ ସେ ପୁରକୁ ଗଲା । ଗେଲ୍‌ହୀ ବିଧବା ହୋଇ ଆହୁରି ଦୁଃଖରେ କାଳ କାଟିଲା । ସେ ବି ଆଉ କାମକୁ ପାରିଲା ନାହିଁ । ରତନୀ ଏବେ କରିବ କଣ ? ତାକୁ କିଛି ବୁଦ୍ଧି ବାଟ ଦୁଶିଲା ନାହିଁ । ଅଣ୍ଟାରେ ଲୁଗା ଭିଡ଼ି ଦାଣ୍ଡକୁ ବାହାରିଲା । ତା’ ଖୋରଣୀ ପଣ ସକାଶେ ତାକୁ ମୂଲ ବି ବେଶି ମିଳୁ ନ ଥାଏ । ଶେଷକୁ ବୁଦ୍ଧି କରି ଟାଙ୍ଗିଆ ଧରି କାଠକଟାଳୀ ବାଉରାଣୀଙ୍କ ସାଙ୍ଗେ ବଣକୁ ଗଲା । ତା’ ଦେହରେ ଭାରି ବଳ କାଠ ହାଣିଲା, ବିଡ଼ା ବାନ୍ଧିଲା, ମୁଣ୍ଡରେ ମୁଣ୍ଡେଇ କାଠ ବିକିଲା, ସେଇଥିରେ ଦୁଃଖେ ସୁଖେ ତା’ ଦିନ ଗଲା । ତା’ ଆଗକୁ କେହି ନାହିଁ ପଛକୁ କେହି ନାହିଁ ସେ କରିବ କଣ ? ଘରେ ଲାଜ କରି ବସିଲେ ତ ଆଉ ଭାତ ମୁଠାଏ କେହି ଦୟାକରି ଦବ ନାହିଁ ।

 

ହେଲେ ଝିଅର ଅର୍ଜନ ଖାଇ ଗେଲ୍‌ହୀ ମନରେ ସୁଖ ନ ଥାଏ । ଦୁନିଆଯାକ ଲୋକେ ବାହା ହେଉଛନ୍ତି ତା’ ଝିଅଟାକୁ ବର ମିଳିଲା ନାହିଁ, ଶେଷକୁ ବୁଢ଼ୀ ହୋଇ ଘରେ ବସିଲା, ଜମି ଗଲା ବାଡ଼ି ଗଲା, ଘର ଗଲା ଦ୍ୱାର ଗଲା, ବାପ ମଲା । ରତନୀ ଏଡ଼େ ହୀନିମାନୀ ହବା ପାଇଁ କଣ ଜନମ ପାଇଥିଲା ? ଏ କଥା ଭାବି ଭାବି ଥରେ ଥରେ ତା’ ମନ କଣ ହୁଏ ସେ ଭାରି କାନ୍ଦେ-। କିନ୍ତୁ ତା’ କାନ୍ଦ ଦେଖୁଛି କିଏ ?

 

ଲୋକା ଯେତେବେଳେ ଘରକୁ ଆସେ ସେତେବେଳେ ଗେଲ୍‌ହୀ ଲୋକା ସାଙ୍ଗେ ଭାରି ଲଗାଏ, ତୁ ରତନୀକି ହାତକୁ ଦି ହାତ କର । ହେଲେ ଲୋକା କଣ ରତନୀ ପାଇଁ ଚକରେ ବରଟା ଗଢ଼ିବ ନା ସରଗରୁ ତୋଳି ଆଣିବ ? କିନ୍ତୁ ଗେଲ୍‌ହୀ ସେଇଟା ବୁଝିଲେତ ହୁଏ । ଦିନେ, ପିଣ୍ଡାରେ ବସି ରାଗରେ ତମ ତମ ହୋଇ କହିଲା ମୋ’ ଝିଅ କାଣି ନୁହଁ କି କୁଜୀ ନୁହଁ, ଓଲେଇ ନୁହଁ କି ଚୋରଣୀ ନୁହଁ ତାକୁ ପୁଣି ବର ମିଳିବେ ନାହିଁ । ତା’ ଗୋଡ଼ତଳକୁ ଗଣ୍ଡା ଗଣ୍ଡା ବର ଆସିବେ । ଆମ ହିନ୍ଦୁକୁଳ ବୋଲି ନେହୁରା ପଡ଼ିଛି; ନଇଲେ ମିନିଚିନିପାଟଣାର ସଦେଇ ମହାରାଣା ଝିଅ ବିନ୍ଦୁ କେମିତି ଆପଣା ରାଜିରେ ବା’ ହେଇଗଲା । ସେମାନେ କିରିସ୍ତାନୀ ! ତାଙ୍କ କଥା ଦୋସରା; ନୋହିଲେ ଛାର ଲୋକାଟାର ଗୋଡ଼ ଧରନ୍ତି କିଆଁ । ତା’ ବୋଉଠୁ କଣ ମୋ ଝିଅ ଭଲ ନୁହଁ ? ପାଣୁ ମାଁଟା ଏବେ କି ସୁନ୍ଦର ଟାକୁଆ ଗାଲୀ; ଉଞ୍ଚକପାଳୀ, ନଳି ଗୋଡ଼ି !-

 

ଆର ଘରେ ସାରଦା ବସି ରାନ୍ଧୁଥିଲା, ତା’ ମାଁ କତିରେ ବସିଥିଲା । ସେ ବୁଢ଼ୀ ବି ଭାରି ଖୋରଣୀ; ତା’ କାନରେ ଗେଲ୍‌ହୀର ବୟାନ ବାଜିଗଲା । ସେତ ରନ୍ଧାଘରୁ ବାହାରି ପଡ଼ି, ହାତ ହଲେଇ, ମୁହଁ ହଲେଇ ନାକଛିଞ୍ଚାଡ଼ି କହିଲା ‘‘ମୋ ଝିଅଟାକୁ ବାହୁନିବୁ ଲୋ ଅଇଁଠା ଖାଇ ତୋର ଏଡ଼େ ଗରବ । ଏବେ ବାହାର ମୋ ଘରୁ ଏବେ ବାହାର୍‌ କିଛି ନ କହିଲାରୁ ମୁହଁ ବଢ଼ି ଯାଉଛି ।’’ ଏ କଥାରେ ଗେଲ୍‌ହୀ କି ତୁନି ହବା ଲୋକ । ସେ ଉଠି ଲୁଗାକୁ ଅଣ୍ଟାରେ ଭିଡ଼ି ଦେଇ ଲୋକା ମାଁ ସାଙ୍ଗେ ଦିନଯାକ କଜିଆ କଲା ।

 

ଶେଷକୁ ସଞ୍ଜ ଗୁଞ୍ଜୁ ଗୁଞ୍ଜୁ ମାଁ ଝିଅ କଂସା ଦି’ପଟି, ଦିଖଣ୍ଡ ମଶିଆ ଛିଣ୍ଡା ଗୁଦୁଡ଼ି, ଆଉ ଆଉ ତାଙ୍କର ଛୋଟିଆ, ମୋଟିଆ ଚିଜସବୁ ବାନ୍ଧିଲେ । ଗେଲ୍‌ହୀ ପାଟି କରୁଥାଏ ଶୋଧୁଥାଏ, କହୁଥାଏ, ମଲା ମୋର ଦୁଃଖ ଧନ୍ଦା କଲେ ପେଟ ପୋଷିବୁ, ବାର ଲୋକଙ୍କ କଥା କିଆଁ ସହିମୁଁ । ଲୋକା ନ ଥାଏ, ଭଗବାନପୁରରେ ତା’ କଚିରୀଠି ଥାଏ । ସେ ଥିଲେ କେଜାଣି ଗେଲ୍‌ହୀ ବାହାରି ଯାଇ ନ ଥାନ୍ତା ।

 

ମାଁ ଝୁଅ ଯୋଉଠୁ କିଛି କହିଲେ ନାହିଁ, ଗେଲ୍‌ହୀ ବି ଆପଣା ପିଲା ହାତ ଧରି ଚିଜତକ ମୁଣ୍ଡରେ ମୁଣ୍ଡେଇ ବାହାରି ଗଲା । ସେତେବେଳେ ପାଣି କହୁଛି ମୁଁ, ପବନ କହୁଛି ମୁଁ । ଘଡ଼ ଘଡ଼ ଘଡ଼ଘଡ଼ି ମାରୁଛି, ଝମ ଝମ ମେଘ ପକାଉଛି, ଝିଲ୍‌ ଝିଲ୍‌ ବିଜୁଳି ମାରିଦଉଛି । ହେଲେ ମାଁ ଝିଅଙ୍କ ଦେହ ଅକାଠ । ରାଗରେ ବି ଆହୁରି ଅକାଠ ହେଇଥାନ୍ତି ।

 

ମାଁ ଝିଅ ବାହାରି ଗଲେ । ମୁହଁକୁ ମୁହଁ ଦୁଶୁନାହିଁ, କିଟି କିଟି ଅନ୍ଧାର ମାଡ଼ି ଆଇଲାଣି । ଖୋରଧା ବାଟ ଧରିଥିଲେ, ବାରି ନ ପାରି ଅନ୍ୟ ସଡ଼କରେ ଯାଇ ଉଠିଲେ । ଚାଲୁଛନ୍ତି ବାଟରେ ପରିଯନ୍ତ ନାହିଁ; ସେତେବେଳେ ଜ୍ୟେଷ୍ଠ ମାସ । ଦିନ ଯାକ ଟାଣ ଖରା ହୋଇଥିଲା, ସଞ୍ଚ ପହରୁ ଧରିଛି ବରଷା, ଜହ୍ନ ଉଠିବାକୁ ନାହିଁ । ବାଟ ପାଖରୁ ମହୁଲ ବାସନା ନାକରେ ବାଜି ଯାଉଛି । ମହୁଲ ଖାଇବାକୁ ଭାଲୁମାନେ ଭାରି ଭଲପାନ୍ତି । ସତକୁ ସତ ଗୋଟାଏ ମହୁଲ ବୁଦା ମୂଳେ ଭାଲୁଟାଏ ସୁଡ଼ୁ ସୁଡ଼ୁ ହଉଥାଏ । ଗେଲ୍‌ହୀ ତାକୁ ଦେଖି ସାଇଲାଣି । ଯେତେ ହେଲେ ମାଇକିନା ଲୋକ, ତା’ ଛାତିରୁ ନିଆଁଟାଏ ଖସି ପଇଲା । ହାତରେ ଅସ୍ତ୍ର ଭିତରେ ଗୋଟିଏ କୁର୍‌ହାଡ଼ି ଆଉ ରତନୀ ହାତରେ ଥାଏ ଟାଙ୍ଗିଆଟା ।

 

ବାଘ ହଉ ଭାଲୁ ହଉ, ଯମ ତ ଭେଟିଲେ ଗେଲ୍‌ହୀ ଆଉ ନ ଫେରନ୍ତି । ଆଉ ବା ଯିବ କୁଆଡ଼େ । କତିରେ ଗାଁ ଗଣ୍ଡା ଦୁଶୁନାହିଁ । କେଉଠି ଟିକେ ଆଲୁଅ ନାହିଁ, ଜନ ପ୍ରାଣୀର ଶବଦ ନାହିଁ-। ନିଛାଟିଆ ନିଶୁନ ରାତି ! ପୁଣି ପ୍ରାଣ ଉପରେ ତ ପଡ଼ିଛି । ଗେଲ୍‌ହୀ ମନେ ମନେ କହୁଛି ଯା ହବାର ହବ । ବାଘ ଆସୁ ଭାଲୁ ଆସୁ ଏଇ ଟାଙ୍ଗିଆରେ ଏକା ଚୋଟେ ଦେବି ଯେ ଦି’ ଗିରିହେଇ ପଡ଼ିଥିବ । ତା’ ମନ କଥା ମନରେ ଅଛି, ମଣିଷ ଗନ୍ଧବାରି ଭାଲୁତ ଗର୍ଜନ କରି ଧାଇଁ ଆଇଲା । ଗେଲ୍‌ହୀକି ବିଧାତା ବଳ ଦେଲା ପରି ସେ ଆଉ କିଛି ନ ପାଇ କୁରାଡ଼ିରେ ଦେଲାତ ଏକାଚୋଟେ ତା’ କାନ୍ଧରେ କିନା ? ବଡ଼ ଜନ୍ତୁ ହେଲେ କଅଣ ହବ ଭାଲୁ ବଡ଼ ଡ଼ରକୁରା । ସେ ତ ରଡ଼ିଛାଡ଼ି ପଳେଇଛି ଜଙ୍ଗଲକୁ । ଗେଲ୍‌ହୀବି ବଡ଼ ଜୋରେ ମାରିଥିଲା । ଭାଲୁର ନିଶ୍ଚେ ଜାଗାଏ ଦି’ ଜାଗା ଖଣ୍ଡିୟା ହେଇଥିବ । ସେତେବେଳକୁ ଚାନ୍ଦ ଉଇଁଆଇଲାଣି । ବରଷା ବି ଛାଡ଼ି ଗଲାଣି ସାହାସରେ ପୁଣି ମାଁ ଝିଅ କିଛି ଦୂର ଗଲେ । ନିବୁଜ ବଣ ଭିତରୁ ଗୋଟିଏ ଟିକି ଆଲୁଅ ହଠାତ୍‌ ଦୁଶିଗଲା । ଗେଲ୍‌ହୀ ବିଚାରିଲା ଆଲୁଅ ଯେତେବେଳେ ଦୁଶିଲାଣି, ଏଠି ନିଶ୍ଚେ ଗାଁ ଗଣ୍ଡା ଅଛି । ମଣିଷ ନ ଥିଲେ ଆଲୁଅ ଜଳେଇବ କିଏ ? ଆଲୁଅକୁ ଅନେଇ ଅନେଇ ମା ଝିଅ ଚାଲିଲେ କ୍ରମେ ଜଙ୍ଗଲ ପାରିହୋଇଁ ପଶିଲେ ଗୋଟିଏ ଗାଁ ଭିତରେ । ସେଠି ଅନେକ ଲୋକ । ସାନ କୁଡ଼ିଆଟିମାନ, ପତର ଛିଆଣି ଲୋକଙ୍କ ଚେହେରା ଯମଦୂତ ପରି ଆକାର ପ୍ରକାରରୁ ଶଅର ଶଅରୁଣୀ ପରି ଦୁଶୁଥାନ୍ତି । ଗେଲ୍‌ହୀ ଆଉ ରତନୀକି ଦେଖି କେତେ ଲୋକ ପିଲା, ଯୁବା, ବୁଢ଼ା ପୁରୁଷ ସ୍ତ୍ରୀ ଧାଇଁ ଅଇଲେ । ‘‘ତେମେ କିଏ ଲୋ’’ କି ଜାଣି ଶହେ ଜଣଙ୍କ ମୁହଁରୁ ବାହାରିଲା । ତାଙ୍କ କଥାରେ ପଦେ ଦି’ପଦ ଜବାବ ଦେଇ ଗେଲ୍‌ହୀ ଗୋଟାଏ କାଠ ମୁଣ୍ଡିଆ ଉପରେ ବସିଗଲା । ତା’ କତିରେ ରତନୀ ବସିଲା । ମୁଣ୍ଡରୁ ଚିଜ ଓହ୍ଲେଇ ଭୂଇଁରେ ଥୋଇଲେ । ଲୁଗାପଟା ସବୁ ପାଣି ସଡ଼ ସଡ଼ ହୋଇଥାଏ-। ତାକୁ ଚିପୁଡ଼ିଲେ ।

 

ଶଅର ଛୋଟ ଜାତି ହେଲେ କଅଣ ହବ, ତାଙ୍କପରି ମାୟାମମତାଶୀଳ କେଇଟାଜଣ ଅଛନ୍ତି ? ସେହିକ୍ଷଣି ତାଙ୍କୁ କିଏ ଘରକୁ ଡ଼ାକିଲା, କିଏ ଖାଇବାର ଯାଚିଲା । ହେଲେ ଗେଲ୍‌ହୀ ତାଙ୍କ ହାତରୁ ପାଣି କେମିତି ଛୁଇଁବ, ସେ କହିଲା ଏଠି ଚଷା ଖଣ୍ଡେଇତ ଘର କି, ଗୁଡ଼ିଆ, ଗଉଡ଼ ଘର ନାହାନ୍ତି । ଗେଲ୍‌ହୀ କଥାରେ ଜଣେ ବୁଢ଼ୀ କହିଲା; ହଉଲୋ ନାନୀ ଆଜି ରାତିକି ଏଠି ରହ କାଲି ସକାଳେ ତେତେ ଆମ ସାଆନ୍ତ ଘର କତି ବିଶିପଢ଼ାରେ ଛାଡ଼ି ଦବୁ । ସେଠି ଅନେକ ଚଷାଘର ।

 

ବଡ଼ କଷ୍ଟରେ ରାତି ପାହିଲା । ଶଉରୁଣୀ ବୁଢ଼ି ଆପଣା କଥାମତେ ମାଁ ଝୁଅଙ୍କୁ ନେଇ ଦନେଇ ପାତ୍ର ଘରକତି ଗାଁରେ ଛାଡ଼ିଦେଲେ । ସେଠି କିଜାଣି ଦିଇଶ ଘର ଚଷାଥିବେ । ମଣିଷକୁ ମଣିଷ ଆଶ୍ରା । ଗେଲ୍‌ହୀକି ବି କାଳୁ ପରିଡ଼ା ଘରେ ବାସ ମିଳିଗଲା ।

 

ଗେଲ୍‌ହୀ ଆପଣା ଦୁଃଖ ଧନ୍ଦା କରେ; କାଳୁ ପରିଡ଼ାର ଢେଙ୍କି ଚାଳିଆରେ ମାଁ ଝିଅ ଦି’ ମୁଠା ଫୁଟେଇ ଖାଆନ୍ତି, କାନିପାରି ଶୁଅନ୍ତି । କାଳୁଘରର ବୋଲବାଣୀଟା ନିତି ନାଁ କରି ଦିଅନ୍ତି । କାଳୁ ପରିଡ଼ା ପରି ଲୋକ ତେମେ ପାଇବ ନାହିଁ । ବଡ଼ ସରଳ, ଛନ୍ଦ ଫନ୍ଦ କିଛି ଜାଣେ ନାହିଁ । ତା’ ଭାରିଜାଟି ବି ଦୁର୍ଗାଟିଏ । ରୂପ ଯେମିତି ଗୁଣ ସେମିତି । ହେଲେ ମାଣିକ ପେଟରୁ ଘଷୁଡ଼ ଜାତ । କାଳୁର ପୁଅ, ନାଲୁ ପରିଡ଼ା ତୁଚ୍ଛା ଗୋଟିଏ ଶଇତାନ । ଗୋଟିଏ ବୋଲି ପୁଅ, ବାପ ମାଁ ବଡ଼ ଗେଲ ବସରରେ ବଢ଼େଇଥିଲେ । ସେଇଯୋଗୁ ସେ ନାଁ ବାପକୁ ମାନେ ନାଁ ମାକୁ ମାନେ । ଯେମିତି ବଜାରୀ, ସେମିତି ଦୁଷ୍ଟ । ଭାରିଯାକୁ ତ ଚୁଲ୍ଲି ଚାଳରେ ବାସ ଦିଏନାଁ । ପଇସାଟିଏ ଦିନେ ରୋଜଗାର ନାହିଁ, ହେଲେ ଘରୁ ମାଁର ସୁନା ପଇଁଚି, କଣ୍ଟି କଡ଼ି ଯାଇ ବଣିଆ ଦୋକାନରେ ବନ୍ଧା ପକେଇ ଦବ । ବାକ୍ସ ଫିଟେଇ ଟଙ୍କା ଘେନି ଚାଲିଯିବ ।

 

ଲାଲୁ ପରିଡ଼ା ରତନିକି ଦେଖିଲା ଦିନୁ ତା ମନେ ମନେ ଥାଏ ରତନିକି ବାହା ହେବ । ହେଲେ ମା ବାପ ତା କରେଇ ଦେବେ ନାହିଁ । ଦୁଷ୍ଟ ତ, ଶେଷକୁ ମନରେ ଗୋଟିଏ ବୁଦ୍ଧି ପାଞ୍ଚିଲା । ରତନିକି ନେଇ କଲିକତା ଗଲେ ବୋପା ମାଁ କରିବେ କଣ ? ଏକଥା ଭାବି ଦିନେ ରତନିକି କହିଲା । ଭାବିଥିଲା ରତନି ରାଜି ହେଇଯିବ । ରତନି ଏ କଥା ଶୁଣି କି ଆଉ କି ଥୟ ଧରେ । ଲାଗିଲା ଧୁମାଧୁମ କଜିୟା । ଗେଲ୍‌ହୀ ତାକୁ ମାରିବାକୁ ଗୋଡ଼େଇଲା । ନାଲୁ ମାଁ କେତେ କାନ୍ଦିଲା-। ତା ଭାରିଯା ରତନିକି ଅଭିଶାପ ଦେଲା । ସେଠୁ ମା ଝିଅଙ୍କ ବାସ ଉଠିଲା । ଗଲେ ନିଧି ବାରିକ ଘରେ ରହିଲେ । ତା ବୋଉ ଭାରି ଖୋରଣୀ । ସେ କିଛିଦିନ ୟାଙ୍କ ସାଙ୍ଗେ ଭଲରେ ଚଳିଲା, ପୁଣି ସେଠିବି କଜିଆ ନଗେଇ ଯାଇ ଏକାବେଳେ ରହିଲେ ବ୍ରାହ୍ମୁଣ ସାହୀ ଅର୍ଜୁନ ମିଶ୍ର ଘରେ ।

 

ଅର୍ଜୁନ ମିଶ୍ର ବ୍ରାହ୍ମଣ, ପୁଣି ବଡ଼ ଲୋଭୀ, ତାର ଗାଈ ବାଛୁରୀ ପରି ପଲେ ପିଲା; କୁଟୁମ୍ୱ ହେଇ ଦଶପନ୍ଦର ଜଣ, ଭାବିଲା ମାଁ ଝିଅ ଦିଟା ଯାକ ଖଟିବେ, ଭାତମୁଠାଏ ଲୁଗା ଖଣ୍ଡକୁ ଏମିତି ପୋଇଲି କେଇଟା ମିଳିବେ । କିନ୍ତୁ ଗେଲ୍‌ହୀ ଗୁଣ ସେ ଜାଣି ନ ଥିଲା । ଗେଲ୍‌ହୀକି ନେଇ ବିଚରା ବଡ଼ ବିପଦରେ ପଡ଼ିଲା । ତା ଘର ହେଲା କଳହପୁରୀ । ସକାଳେ ଦେଖ କଜିଆ, ସଞ୍ଜେ ଦେଖ କଜିଆ, ଦି ପହରେ ଦେଖ କଜିଆ । ରାତି ଅଧରେ ଦେଖ କଜିଆ । ରତନି ତ ଅଣ୍ଟାଭିଡ଼ି ତା ପିଲାଙ୍କ ସାଙ୍ଗେ କଜିଆ କଲା । ବେଳେବେଳେ ଦିଟା ଥୋଇ ଦେବାକୁ ବି ଭୁଲିଲା ନାହିଁ ।

 

ଏମିତି ହେଇ ୟାଙ୍କର ଦିନ ଗଲା । ଖୋରଣୀକି ବାସ ମିଳିବ ପୁଣି କେଉଁଠି ?

ଏ ମାଁ ଝିଏ ତ ବିଶିପଡ଼ାରେ ରହିଲେ ଏଣେ ଲୋକା ୟାଙ୍କ ଖବର ପାଇ ମହା ମୁସ୍କିଲ୍‌ରେ ପଇଲା । ପିଲାଟିକାଳୁ ଗେଲ୍‌ହୀକି ମା ପରି ରତନୀକି ଭଉଣୀପରି ମାନି ଥିଲା, ମାୟାମମତା ବି ଲାଗି ଯାଇଥିଲା, ଭାରିଯାକୁ ଶାଶୁକୁ ବହେ ଶୋଧିଲା; ଶେଷକୁ ବାବୁକୁ କହି ଗାଁ ଗାଁ ଲୋକ ପଠେଇ ଖୋଜେଇଲା ।

 

ବିଶିପଡ଼ା ସରଦେଇପୁରକୁ ବାଟ ତିନି କୋଶ ହବ । ଲୋକାକୁ କିଏ କହିଲା ଗେଲ୍‌ହୀ ରତନୀ ସେଇଠି ଅଛନ୍ତି । ଲୋକା ଯାଇ ବଡ଼ କଷ୍ଟରେ ତାଙ୍କୁ ସେଠୁ ବୁଝେଇ ବାଝେଇ ଘରକୁ ଆଇଲା ।

 

ସେତେବେଳକୁ ସାରଦାର ପିଲାପିଲୀର ସମ୍ଭାବନା । ସେବି କାମଟା ତୁଲେଇ ନବା ଆଶାରେ ମୁହଁ ଉପରେ ଆଉ କିଛି କହିଲା ନାହିଁ । ଘରେ ତ ଲୋକା ୟାଙ୍କୁ ଥୟ ଥାୟ କରି ଦେଇଗଲା । ଏଣେ ଜାତିବାଲା ତାକୁ କଲେ ଜାତିରୁ ଅଟକ । ଗେଲ୍‌ହୀ ଆଉ ତା’ଝିଅ ଏତେ ଦିନ କୁଆଡ଼େ ଥିଲେ । ବାଉରୀ ହାଣ୍ଡିରେ ଖାଇଛନ୍ତି କି ହାଡ଼ି ହାତରେ ଖାଇଛନ୍ତି କିଏ ଜାଣେ । ମାଇକିନାଁ ଝୁଅ ଘରୁ ଗୋଡ଼ କାଢ଼ିଛନ୍ତି, ତାଙ୍କୁ ପୁଣି ଏ ଘରେ ପୂରେଇଲା ।

 

ମାତ୍ର ଲୋକା ଜାତିକି କୋଉ ଖାତର କରେ । ତା’ ଭାରିଯା ଚିଡ଼ିଚିଡ଼ି ହେଲାରୁ କହିଲା, ‘‘ମ, ଏଣ୍ଡୁରୁ ସାଇବ କଣା, ମୋ’ ଆଣ୍ଠୁ ଆଡ଼ୁ ବୁଝାମଣା;’’ ଏଇ ଅଲ୍‌ହୀଆ ଜାତିକି ମୁଁ ଡରିବି । ଲୋକେ ମଦ ଗଞ୍ଜେଇ ଖାଇଲେ ତାଙ୍କ ଜାତି ଯାଉନାହିଁ । ରାଣ୍ଡ ଅରଖିତଙ୍କ ଜମିବାଡ଼ି ବୁଡ଼େଇ ଦେଲେ ତାଙ୍କୁ ପାଞ୍ଚ ପଞ୍ଚୁରୁ ସଜା ନାହିଁ । ଲୋକ ଦି’ଟାକୁ ଆଶ୍ରା ଦେଲାରୁ ହେଲା ମୋର ମହାପାପ-। ଥାଉନ୍ତୁ ତାଙ୍କ ଜାତି ନେଇ ସେହିମାନେ । ମୁଁ ତାଙ୍କୁ ଡ଼ରେ ନାହିଁ । ତା’ ଭାରିଯା ଚୂପ । ଏଗାରତୁଣ୍ଡୀ, ନଅତୁଣ୍ଡୀ ସକାଶେ ଲୋକନାଥ ଜାତିରୁ ଅଟକ ହେଉଛି, ଏ କଥା ଜମିଦାର ବାବୁ ଶୁଣିପାରିଲେ । ଦିନେ ଲୋକନାଥକୁ କହିଲେ, ଚାଲ ଗୋଟାଏ ମଉଜ କରିବା ନଅତୁଣ୍ଡୀ ଯେମିତି ଖୋରଣୀ ତାକୁ ଠିକ ସେମିତି ଗୋଟିଏ ବର କରି ବାହା ଦେଇ ଦବା । ତମ ଉପରୁ ବୋଝ ଭାରଟା ଯିବ । ଲୋକନାଥବାବୁର ଆଗ କଥା ମନେ ପଡ଼ିଗଲା । କିନ୍ତୁ ସେ ହଉଛନ୍ତି ମୁନିବ ତାଙ୍କୁ କଣ କହି ହବ । କହିଲା, ‘‘ହଉଆଜ୍ଞା ସତକଥା, ରତନୀ ବାହା ହେଇ ଗଲେ ଜଞ୍ଜାଳ ଯାଏ ।’’ ହେଲେ ଏଡ଼େ ଖୋରଣୀକୁ ସତରେ କିଏ ବାହା ହବ ଭାବିଲା । ବାବୁ ତା’ ମନ କଥା ଜାଣିପାରି କହିଲେ, ‘‘ଲୋକନାଥ, ଆମ ରଇତ ଭିତରୁ ଗୋଟାଏ ଚଷା ଟୋକା ଦେଖି ବାହାକରି ଦବା । ମୁଁ ପଛେ ତାକୁ ଦି’ମାଣ ଜମି ଯଉତୁକ ଦେବି । ଗୋଟାଏ ପୂଣ୍ୟ କାର୍ଯ୍ୟତ ହବ । ଲୋକନାଥର ଏଥିରେ ନାହିଁ କରିବାର କଣ ଥିଲା ?

 

ବାବୁ କଥା ଠିକଣା ହେଲା । ଲୋକନାଥ ଘରକୁ ଆଇଲା । ତା’ ଭାର୍ଯ୍ୟା ଏ କଥା ଶୁଣି ରତନୀ କାନରେ ପକେଇଲା । ସେତ ରାଗରେ ଗୋଟାକୁ ଗୋଟା । ତାକୁ ପୁଣି ବାହା ହବ ଏଡ଼େ ଛାତି କାହାର ? ତା’କଥାରେ ସାରଦାର ଦେହ ଜଳି ଗଲା । ତା’ ସକାଶେ ଏମାନେ ଏକଘରକିଆ ଏ କଥା ସାରଦା ମୋଟେ ଭୁଲି ପାରୁ ନ ଥାଏ । ତା’ ଇଚ୍ଛା ହେଉଥାଏ ଏଇକ୍ଷଣି ରତନୀ କି ପୁଣି ଘରୁ ତଡ଼ିଦବ । ହେଲେ ସ୍ୱାମୀ ମୁହଁକୁ ଚାହିଁ ଆଉ କିଛି କହିପାରୁ ନ ଥାଏ । ମାତ୍ର ଲୋକା ଶାଶୁ ବା କାହିଁକି ସହିବ ? ସେ ଆଉ ସମ୍ଭାଳି ପାରିଲା ନାହିଁ । ଝିଅକୁ ଦେଖେଇ କହିଲା, ‘‘ଏ ସବୁ ଅର୍ଖିତ ଟାଣ, ଥୋଇ ଦଉ ତା’ ବୋପା ଭାଇ ଘରେ ଏଠି ମୋ’ ଝିଅ ଉପରେ କର୍ତ୍ତାପଣିଆ କରିବାକୁ କିଏ କହିଲା ମ ଅଇଁଠା ଖାଇକି ? ରତନୀ ବଡ଼ ଛୋଟ ମାନିବା ଜନ୍ତୁ ନୁହେଁ । ସେ ବି ବୁଢ଼ୀକି ଖୁବ୍‌ ବତେଇଲା । ଶେଷକୁ ରାଗରେ ରତନୀ ଘରୁ ବାହାରି ଗଲା । ଗେହ୍ଲୀ ଯାଇଥାଏ ଏ ଆର ଗାଁକୁ ଧାନ କୁଟି । ଲୋକା ସାହିରେ, କାହା ଘରକୁ ବୁଲି ଯାଇଥାଏ । ରାତି ନଅଟା ବେଳକୁ ଆସି ଶୁଣିଲା ରତନୀ ଘରୁ ବାହାରି ଗଲାଣି । ତାକୁ ଅନ୍ଧାର ଦୁଶିଲା । କାଲି ତା’ ବାହାଘର ଆଜି କନିଆ ପଳେଇଲାଣି, ବାବୁ କଣ ଭାବିବେ, ତାଙ୍କ ସାଙ୍ଗେ ଥଟା କରୁଛି । ବଡ଼ ବ୍ୟସ୍ତ ହୋଇ ଭାର୍ଯ୍ୟାକୁ ବକି ବକି ଲଣ୍ଠଣ ଧରି ଖୋଜି ବାହାରିଲା । ଗେଲ୍‌ହୀ ଆସି ଏ ଖବର ଶୁଣି କୋହକୁ ମାରିବ କି ତାରିବ-। ସେବି ଲୋକା ସାଙ୍ଗେ ବାହାରିଲା । ଘଡ଼ିଏ ଖଣ୍ଡେ ଏଣେ ତେଣେ ଖୋଜୁ ଖୋଜୁ ଆମ୍ୱ ତୋଟାରେ ତାକୁ ପାଇଲେ । କଇଁ ଫୁଲପରି ଜହ୍ନ ପଡ଼ିଛି । ସୋରିଷ ବୁଣି ଦେଲେ ଖୁଣ୍ଠି ହେଇଯିବ-। ଗୋଟାଏ ଆମ୍ୱଗଛ ମୂଳେ ଏକାଟିଆ ରତନୀ ବୁଲୁଥାଏ । ଏମିତି ଜାଗାକୁ ଯିବାକୁ ପୁରୁଷ ଡରିବେ । ରାଗରେ ତାର ଡରଭୟ ନ ଥାଏ । ଲୋକନାଥ କେତେ କୁହା ପୋଛା କରି ଶେଷକୁ ହାତ ଧରି ତାକୁ ଘରକୁ ନେଲା । ସେତେବେଳକୁ ରାତି ବାରଟା । ଦୁହେଁ ଘରକୁ ଗଲେ । ଏଣେ ସାରଦା ମୁହଁ ଫୁଲେଇ ବସିଥାଏ । ସଭିଙ୍କି ବୁଝାଉ ବୁଝାଉ ରାତି ତିନିଘଡ଼ି ହେଲା ।

 

ସେ ଦିନ ଉଠୁ ଉଠୁ ତାଙ୍କୁ ବେଳ ପ୍ରାୟ ଆଠଟା ହେଲା । ଏମିତି ସମୟରେ ଗୋଟିଏ ଲୋକ ଆସି ହାଜର । ଲୋକା ତ ତାକୁ ଘଡ଼ିଏ ଖଣ୍ଡେ ଏକା ଦୃଷ୍ଟିରେ ଅନେଇ ରହିଲା । ଚଷା ଚାଷେଣ୍ଡିୟା ଚେହେରା, ଭୂତ ମୁଣ୍ଡିଆ, ଖଣ୍ଡେ ଲେଙ୍ଗୁଟି ମାରିଛି, କଳା ମୁସୁମୁସୁ ଚେହେରା । ଆସି ହଠାତ୍‌ ଲୋକା ଗୋଡ଼ ତଳେ ଲମ୍ୱଦଣ୍ଡା ହୋଇ ପଡ଼ିଗଲା । ଲୋକା ଏକାବେଳେ ହତବୁଦ୍ଧି । ଲୋକଟା ହଠାତ୍‌ ଉଠି ବାୟାଙ୍କ ପରି ସ୍ୱରରେ କହିଲା, ମଣିମା, ସାଆନ୍ତେ ମେତେ ବଟେଇଛନ୍ତି ବା’ ହବାକୁ ମୋ’ ନାଁଟି ଫକିରା ମୋ’ ବାପା ନାଁଟି ଭିକାରିଆ, ମୋ’ ଜେଜେବାପା ନାଁଟି ଭରତିଆ ମୋ’ ଅଣ ଜେଜିବାପ ନାଁଟି ଆରତିଆ, ମୋ’ ପଣ ଜେଜିବାପ ନାଁଟି ସାରତିଆ- ‘‘ଲୋକା ତା’ ସ୍ୱରରେ ଚିଡ଼ି ଉଠି ଗୋଡ଼ରୁ ଖଡ଼ଉ କାଢ଼ିଲା । ମାରିବାକୁ ଗୋଡ଼ାଇଗଲା । ବର ଖଣ୍ଡେ ଦୂର ଦୌଡ଼ି ଯାଇ, ପୁଣି ନେଉଟି ଆଇଲା । ଲୋକନାଥ ସେତେବେଳକୁ ଭିତରକୁ ପଶି ଗଲାଣି । ଲୋକଟା ଆସି ଦୁଆରେ ଡାକିଲା । ଗେଲ୍‌ହୀ ବାହାରି ପଇଲା । ତା’ ବିଭୀଷଣ ମୂର୍ତ୍ତି ଦେଖି ଗେଲ୍‌ହୀ ଆଉ ସମ୍ଭାଳି ନ ପାରି କହିଲା, ‘‘ମାଁ ଲୋ କି ଅପରଛିନୀୟା ଅବରଜିୟାଟା ଏ କୋଉ ଗାଢ଼ରୁ ଉଠିଆଇଛି ।’’ ଲୋକଟା କଟମଟ ହେଇ ଗେଲ୍‌ହୀ ମୁହଁକୁ ଦଣ୍ଡେକାଳ ଚାହିଁ କହିଲା, ‘‘ମୁଁ ବା’ ହବାକୁ ଆଇଚି ।’’

 

ଗେଲ୍‌ହୀ ଘୃଣାରେ ମୁହଁ ବୁଲେଇ ଦେଇ କହିଲା ତୁ ଛତରାଟା କାହାକୁ ବାହା ହବୁକିରେ? ‘‘ତୋର ଯୋଉ ରୂପ ଲୋକେ ଖାଲି ଧାଇଁ ପଡ଼ିବେ ଝୁଅ ଦବାକୁ । ଗେଲ୍‌ହୀ ଆଉ କଣ କହିଥାନ୍ତା, ବରଟା ତ ଦୁମକିନା ତା ଗୋଡ଼ ତଳେ ପଡ଼ିଗଲା । ବଡ଼ ପାଟି କରି କହିଲା, ‘‘ମାଉସୀ ଲୋ ମୁଁ ବା’ ହବାକୁ ଆଇଚି, ଆଖି ଛୁଁ ଚି ମୁ ବା ହବାକୁ ଆଇଚି, ଦାନ୍ତରେ କୁଟା ହଉଚି ମୁଁ ବା’ହବାକୁ ଆଇଚି, ତୋ’ରାଣ ମୁଁ ବାହା ହବାକୁ, ତୋ’ ଗୁରସ୍ତରାଣ ମୁଁ ବା’ହବାକୁ ଆଇଚି, ତୋ’ଝିଅ ରାଣ ମୁଁ ବା’ ହବାକୁ ଆଇଚି; ତୋ’ ପୁଅ ରାଣ-’’ ଗେଲ୍‌ହୀ ଆଉ ସହି ପାରିଲାନାହିଁ, ଝାଡ଼ୁରେ ଦି’ ପାହାର ଦେଲା, ଗୋଡ଼ରେ ଗଡ଼େଇ ଦେଇ ପାଟି କରି କହିଲା ‘‘ମଲା ମୋର ଅଫଳାଟା ନିଆଁ ଲଗାଟା,’’ ତା’ ପାଟିରେ ଲୋକା ବି ଦଉଡ଼ି ଆଇଲା, ରତନୀ ବି ଦଉଡ଼ି ଆଇଲା । ସେତେବେଳକୁ ଲୋକଟା ‘‘ବାପ ଲୋ ମାଁ ଲୋ, ହାଡ଼ ଭାଙ୍ଗିଲା ଲୋ କହି ଏଡ଼େ ପାଟି କଲା ଯେ ସାଇଯାକ ଦଉଡ଼ି ଆଇଲେ । ସେମାନେ ତ ୟାକୁ ଦେଖି ଅବାକ୍‌। ଏମିତି ଅପରଛନ୍ନ ମୂର୍ତ୍ତି, ଯମଦୂତପରି ଚେହରା ଦେଖି ପିଲାଏ ବି ଡରିଗଲେ । ତାଙ୍କ ଡର ଦେଖି ସେ ତାଙ୍କ ପଛେ ପଛେ ଗୋଡ଼େଇଲା । ବଡ଼ ପାଟିରେ ହସିଲା, ତା’ ମୁହଁରୁ ନାଳ ବୋହି ପଡ଼ୁଥାଏ । ଏଠି କଚାଡ଼ି ହ, ସେଠି ବାଡ଼େଇ ହ, ଯା ଗୋଡ଼ ଧ’, ତା’ ଗୋଡ଼ ଧ’ ଲୋକ ଥାଟ ପଟାଳି ଜମିଗଲେ । ସେ ବାହୁନି ନାଗିଚି, ଆଉ କାନ୍ଦୁଚି;

 

ଆରେ ମାଇଲେ ଲୋ, ହାଡ଼ ଭାଙ୍ଗିଲେ ରକ୍ଷାକର ରକ୍ଷାକର ।

ପୋଡ଼ି ଯାଉ କିନାଁ       ବାହାଘର ।

ଶାଶୁ ମୋ’ ବାଘୁଣୀ, ଭାରିଯା ନାଗୁଣୀ

ମଲାଣୀ ଶଶୁର ବିଦିଆଧର । ଆରେ ଗାଁ ବାଲା ରକ୍ଷାକର ।

 

ତା’ କାନ୍ଦ ତା’ ଢଙ୍ଗରେ ଲୋକେ କିଛି ବେଳ ଛିଡ଼ାହେଇଗଲେ । ଗେଲ୍‌ହୀ ତାକୁ, ତୁଚ୍ଛା ବାୟାଟାକୁ, ଝାଡ଼ୁରେ ପିଟିଛି, ଏକଥା କେହି ସହ୍ୟ କରିପାରିଲେ ନାହିଁ । ଲୋକା ଭାରି ରାଗିଯାଇ କହିଲା, ‘‘ତୋର ମାଉସୀ ଏ କି ଗୁଣ ! ଲୋକଟା ତୋ’ ଝିଅକୁ ବାହାହବ କହିଲା ମାତ୍ରେ କଣ ବା’ ହେଇଯାଉଛି ନାଁ ସତେ ଆମେ ଦେଇ ଦଉଚେ ।’’

 

ଲୋକା କଥାରେ ବାୟା ଭାରି ଖୁସି । ହାତ ହଲେଇ ମୁଣ୍ଡ ହଲେଇ କହିଲା, ‘‘ଯାଇଁଲ ! ମୋ’ ନାଁଟି ଫକିରା, ମୋ’ ବାପ ନାଁଟି ଭିକାରିଆ, ତା’ ବାପ ନାଁଟି ଭରତିଆ, ତା’ ବାପ ନାଁଆଟି ଆର୍ତ୍ତିଆ, ତା’ ବାପ ନାଁଟି ସାରତିଆ । ଆମେ ଜାତିରେ କରଣ ଖଣ୍ଡେଇତ, କରଣ ଖୁରାରେ ଦଣ୍ଡବତ । କିଅ ଲୋକି ମହାରଣା, ବାବୁ ମେତେ ବଟେଇଚନ୍ତି ବା’ ହବାକୁ, ଆମ ଖବର ବୁଝୁନା କିଆଁ ? ଆଲୋ ମାଉସୀ, ତୋ’ ଗୋଡ଼ ଧରୁସି, କନିଆ ଆଣି ଦେ, ବାହା ସା’ ହୁଏଁ, ଘରକୁ ଯାଏଁ, ବେଳ ଯେ ମାଡ଼ି ଆଉଚି ! ଆଲୋ ମାଉସୀ, ମାଇଲେ ପଛେ ମାର, ଦେ’ ଦିଟା ଝାଡ଼ୁ ପାହାର, ମୁଁ ସହିବି, ପାଟି ବୁଜିବି, ଆଖି ବୁଜିବି, କନିଆଟି ଆଣ ଦାଣ୍ଡରେ ଥୁଅ, ଭଲେ ଭଲେ ମେତେ ବିଦାକି ଦିଅ ।’’ ତା’ ଗୀତ, ତା’ ସ୍ୱରରେ ସଭିଏଁ ଖୁବ୍‌ ହସିଲେ । ସାଇ ମାଇପେ ରତନୀକି ଥଟ୍ଟା କରି କହିଲେ, ଆଲୋ ରତନୀ ତୋ’ ବର ଲୋ ।’’ ରତନୀଟି ରାଗରେ ଗୋଟା ଗୋଟା ! ଏଣେ ବର ତାକୁ ଦେଖି ତାଳି ମାରି ନାଚି ନାଚି କହିଲା :- ‘‘ଏଇ ମୋ’ କନିଆ, ଏଇ ମୋ’ କନିଆ ! ଆଲୋ ଚେପିଟୀ ନାକୀ, ଛାମୁ ଦାନ୍ତୁରୀ, ନାକ କାନ୍ଦୁରୀ, ମାଧିଆ ମାଁ ମୁଁ ତୋ’ ବର ଲୋ ବର ଲୋ ! ମୋତେ ଅନା ଲୋ !’’ ‘‘ଆରେ ନିଁଅସିଆ ତୋ’ ବରପଣିଆ ଚୁଲ୍ଲୀରେ ଯାଉକିନା’’ ରତନୀ ତାକୁ ଖଣ୍ଡିଆ ଝାଡ଼ୁମୁଠା ଧରି ମାରି ଗୋଡ଼େଇଲା ! ‘‘ଆଲୋ ମେତେ ମାର ନାଁ ଲୋ ! ମୁଁ ତୋ’ ବରଲୋ !’’ ବର ପାଟି କରୁଥାଏ ।

 

ସେତେବେଳକୁ ସେଠି ଆଉ ଦି’ଜଣ ହାଜିର ! ବାବୁର ଭଣ୍ଡାରୀ ଟୋକା ଦାମା ବାରିକ, ତା’ ସାଙ୍ଗରେ ଗୋଟାଏ ବୁଢ଼ା ନାହାକ । ବାଡ଼ି ଖଣ୍ଡେ ଧରିଚି, ଠୁକେଇ ଠୁକେଇ ଚାଲୁଚି । ତା’ ମୁଣ୍ଡର ବାଳ ଝୋଟପରି । ତା’ କାଖରେ ବିଡ଼ାଏ ତାଳପତ୍ର, ହାତରେ ଗୋଟାଏ ପୁରୁଣା ଫଟା, ଉଇକଟା ପାଞ୍ଜି, ତା’ ମଲାଟ କୁଆଡ଼େ ଗଲାଣି ! ବୁଢ଼ା ଥରେ ଥରେ କାଶୁଚି, ଥରେ ଥରେ ଛିଙ୍କୁଚି, ଥରେ ଥରେ ନାସ ଟିପେ ଟିପେ ଶୁଙ୍ଘୁଚି । ଆଉ ଅଡ଼ଂ ବଡ଼ଂ ବ୍ୟାଂ ତ୍ୟାଂ କରି ଶୋଳକ ବୋଲୁଛି । ତା’ ଦେହରେ ଗୋଟିଏ ସହସ୍ର ଗଣ୍ଠିୟା ଛିଣ୍ଡା କବଟା, ଏଡ଼େ ମସିଆ ଯେ କିଜାଣି ବରଷେ ହେଲା ଧୋବାଘର ମୁହଁ ଦେଖିନାହିଁ; କାନ୍ଧରେ ତେଲ ଚିକିଟା ଚିରା ଗାମୁଛା; ତାର ବି ସେଇ ଦଶା; ବୁଢ଼ା ଏତେ ପାନ ଖାଇଛି ଯେ ଓଠ ଏ ମୁଣ୍ଡ ସେ ମୁଣ୍ଡ ପାଚି କଳା ପଡ଼ି ଥୋଡ଼ି ଯାକେ ନାଲି ବୋହି ପଡ଼ିଛି ।

 

ଦାମା ବାରିକ, ଭଣ୍ଡାରୀ ଟୋକା ବଗୁଲିଆ, ସେ ବୁଢ଼ାକୁ ବକୁଚି, ଗାଳି ଦଉଚି, କହୁଚି, ଚଞ୍ଚଳ ଚାଲ ହେ ଅଜା ଉଛୁର ହେଲାଣି, ବର ଗଲାଣିଭାରି ଆଗ ।

 

ଦାମା ବାରିକ ସ୍ୱର ଶୁଣି, ଲୋକା ପଚାରିଲା ତୁ କୁଆଡ଼େ; ଦାମା ଅଣ୍ଟା ଖୋସଣୀରୁ ଖଣ୍ଡେ ମସିଆ କାଗଜ ବାହାର କଲା, କହିଲା, ଏଇ ଭାଷା ଜମିଦାର ବାବୁ ଦେଇଚିନି, ଭିକାରିଆ ପୁଅ ଫକିରାକୁ ପଠେଇଚିନି, ତମ ଅତନୀ ନାନିକି ବା’ ହବ । ଏଇ ନାହାକି, ଉଆ ବାହ୍ମଣହରିକା, ପାଲିଙ୍କିହରିକା ପଛରେ ଆଉଚି, ସଞ୍ଜଠେଇଁକି ଆସି ପହଞ୍ଚିବେ ଆଗ ଖଡ଼ି ପକେଇ ଜାତକ ସୁଜ !

 

ଲୋକା ତ କାବା ! ମାଗିଖିଆ ବୁଲା ଫକିରଟାକୁ ବାବୁ ବରକରି ପଠେଇଛନ୍ତି । ଭାଷା ବି ପଢ଼ିଲେ । ହାକିମତ ! ତାଙ୍କୁ ସୂରଯ ଚନ୍ଦର ଡରିବେ । ମଣିଷ କଥା କଣ ! ଗେଲ୍‌ହୀ ଏ କଥା ଶୁଣି ଭାରି ଖପା ! ସେ ପାଟି କରି ଜମିଦାରବାବୁକୁ ଖୁବ୍‌ ଶୋଧିଲା । ଲୋକା ଖାଲି ତା’ ଗୋଡ଼ ଧରୁଥାଏ ମାଉସୀ, ତୁନି ହ’ ! ମୋ’ ଚାକିରୀଟା ଛଡ଼ା ନାଁ । ଏ ଦାମା ସବୁ ଯାଇ ମୁନିବ କାନରେ କହିବ । ସଂସାର କରିଥିଲେ ଛାତିରେ ପଥର ପଇଲେ ସହି । କଥା କହନ୍ତି ଯେତେ ଭାଇ ସେତେ ଘର, ଯେତେ କନିଆ ସେତେ ବର । ବରଟା ଏବେ କଣ ଅସୁନ୍ଦର ହେଇଁଚି କି ଖଣ୍ଡିୟା ନାଁ, କଣା, କୁଜା । ଖାଲି ବର୍ଣ୍ଣଟା ମସିଆ ! ଆଉ ସଂସାରରେ ମର୍ଦପୁଅର ରଙ୍ଗ କିଏ ବାଛୁଥାଏ । ବାବୁ ଜମି ୧୦ ମାଣ ଦେବେ, ଘର କରିଦେବେ । ତୋ’ ନାଗି ମୁଁ ଜାତିପାଟକରୁ ଅନ୍ତର ହେଇଚି ସବୁ କଥା ଜାଣୁ; ପୁଣି ଏଡ଼େ ଅବୁଝ । ଲୋକା ରତନୀ ମାଁକୁ ବୁଝଉଛି । ଏଣେ ଦୁଆରେ ତାଙ୍କର ତାମସା ଲାଗିଛି । ଯାତ୍ରା ଦେଖିବାକୁ ଯେମିତି ଲୋକେ ମାଡ଼ି ଆସନ୍ତି ସେମିତି ଲୋକ ଜମିଗଲେଣି । ନ ଜାଣିବା ଲୋକେ ନାହାକକୁ ପଚାରୁଛନ୍ତି, ‘‘ହଇକିଏ ମଉସା, ଏ ବାୟାଟା କିଏ !’’ ମଉସା ସେଥିରେ ନାକକୁଞ୍ଚି, କପାଳ କୁଞ୍ଚି ଥରେ ଛିଙ୍କି କହିଲେ, ‘‘ଭଲା ରାଇଜକୁ ଅଇଲି, ଏ ତମ ଘର ଜୁଆଁଇ ଚିହ୍ନିନାଁ ଆରେ ବୋଇଲା କଣନାଁ :- ସେଠୁ ସ୍ୱର ବାହାରିଲା :-

 

ପଦିଁଆ ନାତୁଁଣୀ ବିଦିଁଆ ଝିଅଁ ଖୋରଣୀ ନଁ ତୁଣ୍ଡୀ

ରଁତନୀ ବରଁ, ଧୋଁଇ କଁରି ଘଁରକୁ ନିଅଁ

ସିଧାଁ ଦେଇଁ ମେଁତେ ବିଦାଁୟ କରଁ ।-

 

ଆଁ କଣ ବୋଇଲା :- ଆଁରେ ଆଣ ଆଣ ନଁଡ଼ିଆ, ଆଣ ଆଣ ସରୁଁ ଚୂଁଡ଼ା ଦୋଁପାଗିଁ ଉଖୁଁଡ଼ା- ଏଁ ଆଣ ଆଣ ଧୋଁତୀ ଚାଁଦର । ଆଜି ମୂଳା ନକ୍ଷେଁତ୍ରେ ବାହାଘର । ବର ନାଁଟି ଫକିଁରା ୟା କହୁ କହୁ ସେହିକ୍ଷଣି ଲୋକା ପିଣ୍ଡାରେ ଖଡ଼ି ପଇଲା ନାହାକ ଆଙ୍ଗୁଳି ଗଣି କହିଲା- ‘‘ବୁର୍ଚ୍ଛିକ, କଁକଡ଼ା ମୀନଷ୍ୟ ବିପ୍ରା’’- ଆରେ ଫକିରା :- ନାଁରୁ ହଉଛି, କକଁଡ଼ାରାଶି, ପୂରୁଁବା ଆଷଁଢ଼ା ନଇଖତ୍ର- କନିଆଁ ନାଁଟା, ରତନୀଁ ଦେଇଁ- ହଉଛି, ବୃର୍ଚ୍ଛିକଁ, କରଁକଟ ମୀନସ୍ୟ ବିପ୍ରା :- ଏଁ ହଁଉଚି, ମଘାଁ ସିଂହ । ରାଶିଁକିଁ ସୁଜୁଁଚି, ଏ ବୋଲେ ବିନାଁ :- ‘‘ଆପଣାଁ ଉଦଁର ପୂରିଁଲେ ତୋଷ; କୋର୍‌ଧୀ ମାଁସ ଲୋଁଭୀ ଅଟେ ବିଶେଁଷ, ବନ୍ଧୁଁ ମେଳେଁ ତାରଁ ନ ଥାଇଁ ମନ, କଟା ଚଇଁଖୁ, ଇଚ୍ଛେଁ ବନଗମଁନ ! ଏଁ ତକ ଗୁଣ ସିଁହ ରାଶିଁର । କେତେ ଲୋକ ନାହାକ ଆଇଚି ଦେଖି ଆବୁଡ଼ି ପଇଲେ, କିଏ ହାତ ଦେଖେଇଲା, କିଏ ରାଶି ଗଣେଇଲା । ନାହାକ ସଭିଙ୍କି ପଚାରୁ ଥାଏ, ଗୋଁଟାଏ ଫଳଁ ନାଁ କହିଲଁ ? ଉତ୍ତରରେ ଜଣେ କହିଲା ଡାଳିମ୍ୱ । ନାହାକ ତାକୁ ଗଣି ଗାର କାଟି ବଡ଼ ବଡ଼ କରି ସଂସ୍କୃତ ପଢ଼ି ଉତ୍ତର କଲା

 

ସେଣେ ବର କଣ କରିଛି ନାଁ ସୁଅଙ୍ଗ କରୁଚି । ପରସ୍ତେ ନାଚି ଯାଉଚି, ପରସ୍ତେ ବୁଲି ପଡ଼ୁଚି, ହାତରେ ତାଳି ମାରୁଚି ଆଉ ଗାଉଚି :-

 

      ବାଇଧରର ଅପାର ଗୁଣ:-

      ପଖାଳ ଭାତରେ ନ ଖାଏ ନୁଣ-

      ପଦିଆ ଉଦିଆ ଏକାମାଁଆର

      ବାଇଧର ଭାଇ ବିଦିଆଧର

      ବାଇଧରର ଅପାର ଗୁଣ ।-

      ଭାଇ ଭାଉଜକୁ ଦୂରୁ କାଢ଼ିଲା

      ପଟା ପାଉତୀକି ଚିରି ପୋଡ଼ିଲା

      ବାଇଧରର ଅପାର ଗୁଣ,-

      ତପତି ସାଥିକି ନାହିଁ ତୁଲଣା-

 

ବାଇଧର ପୁଅ ବଟୁ ଶୁଣୁଥିଲା । ତା’ ବାପ ନାଁରେ ଗୀତ ଶୁଣି ସେ ଲୋକଟାକୁ ଧାଇଁ ଆସି ଚାପୁଡ଼ାଏ କଶି ଦେଲା । ଲୋକେ ସବୁ ମିଶି ଗଲେ । କିଏ ବାୟାପକ୍ଷ କିଏ ବଟୁ ପକ୍ଷ । ସେଠୁ ଲାଗିଲା କଳି କନ୍ଦଳ, ଗୋଳମାଳ । ବାୟାକୁ ନେଇ ସେମାନେ ଗଲେ ବାଇଧର କତିକି ।

 

ସେତେବେଳକୁ ଦିନ ଦି’ପହର । ବାଇଧର ଘରେ ବିଶ୍ରାମ କରୁଥାଏ । ସେବି ଆସି ଦୁଆରେ ପଚାରିଲା, କଣ କଥା, ବଟୁ ତାକୁ ସବୁ କହିଲା । ବାବୁ ଆଇଲେ, ଦେଈ ଝରକା ବାଟେ ଚାହିଁଲେ । ବାୟା ଗୀତ ଗାଉଛି ।

 

ବାଇଧରର ଅପାର ଗୁଣ, ବଡ଼ କୃପଣ

ପଖାଳ ଭାତକୁ ନ ଖାଏ ନୁଣ ।-

 

ବାଇଧରର ଭାରି ରାଗ ହେଲା । ସେ ତାକୁ ଧରିଆଣିବାକୁ ହୁକୁମ ଦେଲା । ବାୟା ଆସି ନମ୍ୱ ଦଣ୍ଡା ତାଙ୍କ ଗୋଡ଼ ତଳେ ପଡ଼ିଗଲା । ବାଇଧର ପଚାରିଲା, ‘‘ତୁ କିଏ ?’’ ସେ ବଡ଼ ପାଟିରେ ହସି କହିଲା, ମୋତେ ଚିହ୍ନି ନାଁ- ମୁଁ ପରା ସରଦେଇପୁରୁ ଗାଁ ଫକିରା ଓଲୁ ! ମୋ’ ନାଁଟି ଫକିରା, ମୋ’ ବାପ ନାଁଟି ଭିକାରିଆ, ତା’ ବାପ ନାଁଟି ଭରତିଆ, ତା ବାପ ନାଁଟି ଆରତିଆ, ତା’ ବାପ ନାଁଟି ସାରତିଆ ବାଇଧର ଦେଖିଲା ତୁଚ୍ଛା ବାୟା ! ରାଗିକିନି ଘର ଭିତରକୁ ଗଲେ । ଦେଈ ଝରକା ବାଟେ ଅନେଇଛନ୍ତି । ବାୟା ତାଙ୍କୁ ଦେଖି ଆଉ ଗୋଟିଏ ସ୍ୱର ବାହାର କଲା :-

 

‘‘ଆଲୋ ଫଟା ସୁନ୍ଦରୀ ଲୋ, ଫଟା, ସୁଦୂରୀ; ଫଟା ସୁଦୂରୀ, ଆପଣାମାନେ ମୁଁ ଆପେ ସୁନ୍ଦରୀ ଲୋ, କଳି ଦୁନ୍ଦରୀ ଲୋ, ବୁଢ଼ୀ ବାନ୍ଦରୀ ଡୋଲିକ ଚାଉଳ ଓଳିଏ ଖାଉ ଶାଶୁ ପଚାରିଲେ ମୁହଁ ଶୁଖାଉ, ଗୁରସ୍ତ ଆଗରେ ଖଚ ମିଛ କହୁ, ମନ ଭଙ୍ଗାଉ, ଆଲୋ ଫଟା ସୁଦୂରୀ ଲୋ, କୋଦି ଗୋଦରୀ- ଫଟା ସୁଦୂରୀ ।-

 

ବ୍ରହ୍ମକୃପାହି କେବଳମ୍‌

ପାଞ୍ଚକଥା

 

ରତନୀର ବାହାଘର ହବ । କନିଆ ତ ରତନୀ ବରତ ଫକୀରା ବାୟା । ତାଙ୍କ ବାହାଘରେ ପୁଣି କି ରୋଷଣୀ କି ଜାକଜମକ । ଗହଣା ଭିତରେ ପିତଳ ଖଡ଼ୁ ମୁଠାଏ । ଲୁଗା ଭିତରେ ରଙ୍ଗ ସୁରୁବଲୀ ଶାଢ଼ୀଟା, ଜାନି ଜଉତୁକ କିଛିନାହିଁ । ନାକକୁ କାନକୁ କିଛିନାହିଁ ବେକକୁ ଗୋଡ଼କୁ କିଛିନାହିଁ । ଲୋକନାଥ ତ ଏକଘରକିଆ, ପୁଣି ସେ ଜାତିରେ ଦରଜି, ଏମାନେ ଚଷା । କୁଟୁମ ସଙ୍ଖୋଳା ନାହିଁ, କି ଖାନା ଭୋଜିନାହିଁ ।

 

ରାତି ଦଶଘଡ଼ି ହେଲା । ବର ଆଇଲା । କେହି ଜାଣିଲେ ନାହିଁ ଯେ ବର ଆଇଲା ବୋଲି-। ସୋର ଶବଦ କିଛି ନାହିଁ । ଗୋଟିଏ ଦଦରା ପାଲୀକୀରେ ଆସିଥାଏ ବର, ଆଉ ଆଇଥାନ୍ତି ପଞ୍ଝାଏ ଗଉଡ଼’ ଜଣେ ଥୁରୁଥୁରିଆ ବ୍ରାହ୍ମଣ, ସେଇ ପୁରୋହିତ । କନ୍ୟାକୁ ଘୋରି ପୋରି ଆଣି ପିଢ଼ାରେ ବସେଇଲେ । ଏଣେବର ବେଦିରେ ବସିଲା । ହାତଗଣ୍ଠି ପଇଲା । ସାଙ୍ଗେ ସାଙ୍ଗେ ପାଲିଙ୍କିରେ ବସି ବର କନିଆ ବିଦା ହେଲେ । ବିଧି ନାହିଁ କି ବରତ ନାହିଁ; ସବୁ ଅଦଭୂତ ଢ଼ଙ୍ଗର ।

 

ପାଲିଙ୍କିଟା ବଡ଼ ଦଦରା । ସେଥିରେ ପୁଣି ଦିଜଣ ବସିଲେଣି । ଗଉଡ଼ କାନ୍ଧେଇ ହୁମୁରା ଭାଇରେ ଭାଇରେ କହି ଦଉଡ଼ୁଛନ୍ତି ।

ସେତେବେଳକୁ ରାତି ଗୋଟାଏ । ହଟାତ୍‌ କିନା ପାଲିଙ୍କିର ପଟାଟା ଛାଡ଼ି ପଇଲା । ବଡ଼ ହଟହଟା କଥା; ଗଉଡ଼ ପାଲିଙ୍କି ତଳେ ଥୋଇଦେଲେ । ଏବେ ଯିବେ କେମିତି; ଆସି ପାଏ ବାଟରେ ହେଲେଣି । ଚାରିଆଡ଼େ ଘୋର ଜଙ୍ଗଲ । ଗାଁ ଗଣ୍ଡା କିଛି ଦୁଶୁନାହିଁ । ନିଶା ସାଇଁ ସାଇଁ ଗରଜୁଚି । ବରଟା ଡ଼େଇଁ ପଡ଼ିଲା, କନିଆକୁ ଟାଣି ବାହାରେ ଛିଡ଼ା କରିଦେଲା । ରତନୀ ଏତେବେଳଯାଏ ଘୋରିପୋରି ହେଇ ବସିଥିଲା । ଏ ବିପଦରେ ପଡ଼ି ତା’ ଲାଜ କୁଆଡ଼େ ଗଲା । ସେ ମୁହଁରୁ ଓଢ଼ଣା କାଢ଼ି କହିଲା ‘‘ମଲା ମୋର ! ଏଇ ଦଦରା ପାଲିଙ୍କିଟା ତେତେ ମିଳିଥିଲା । ଏବେ କଣ କରିବୁ କର୍‌। ମୁଁ ଯାଉଚି, ତୁ ଥା’ । ଫକୀରା ତ ବାୟା । କନିଆ କଥା ଶୁଣି କହିଲା, କିଲୋ କୁଆଡ଼େ ଯିବୁ, ମୁଁ ତେତେ ଏଇ ଛିଣିକା ବା, ହେଲି, ହାତଗଣ୍ଠି ପଇଲା, ତୁ ନୂଆ ଭୂଆଶୁଣିଟା ତୁ ମୋ’ ହାତ ମୁଠାରୁ ପଳେଇବୁ । ଦେଖରେ ମଉସା ! ଆରେ କଣ୍ଡୁରିମଉସା ଦେଖିଲୁ ଏ କନିଆର ଢଙ୍ଗଢ଼ାଙ୍ଗ ! ଗଉଡ଼ କଣ୍ଡୁରିଆ କହିଲା, ‘‘ହଁରେ ପୁଅ ଏବକାଳ ମାଇପଙ୍କୁ ପାରିବ କିଏ ! ଆଚ୍ଛା ଦି’ପାହାର ଥୋ ! ମାଡ଼କୁ ମହାଦେବ ଡରେ ! କିବା ଛାର ଟୋକିଟା !’’ ରତନୀ ତା’ କଥାଶୁଣି କହିଲା କୋଉଠି ଥିଲୁରେ ମୁଣ୍ଡ ପୋଡ଼ା ନିଆଁ ନଗାଟା ! ମେତେ କହୁଛି ଫେଣେ ମାର୍‌, ମୁଁ ତୋ’ ଖପୁରୀ ଉଡ଼େଇ ଦେବି ନାହିଁ । ଖଢ଼ୁମୂଷା ଦେଖିଚୁ !’’ କଣ୍ଡୁରିଆ କହିଲା, ‘‘ଆମେ କିଆଁ କହିବୁଲୋ ! ତମ ଭଲକୁ କହୁଥାଇ ! ରହ ବା ଯା’ ତେତେ ଯେ ବା, ହେଇଚି ସେ ଜାଣେ ଏବେ ଆମ ମୂଲ ଦେଇ ପଳାଅ । ଗିରସ୍ତ ଭାରିଯା ଯେଉଠି ଇଚ୍ଛା ସେଠିକି ଯାଅ ! ଦିଅ ଆମକୁ ଯା, ଚୁକୁତି କରିଥିଲ ।’’ ଆର ଗଉଡ଼ଟା କହିଲା, ‘‘ତମ ପାଲିଙ୍କି ଭାଙ୍ଗିଲା, ଆମର ସେଥିରେ ଯାଏ କେତେ ଆସେ କେତେ ? ଆମକୁ ଦି’ ଟଙ୍କା ଜବାବ କରିଚ ଦି’ ଟଙ୍କା ଦିଅ । ଆମେ ଭଲରେ ଘରକୁ ଯାଉ । ମଣିଷ କି ହଟହଟାରେ ପଇଲା ରେ । ମୁଁ ଏତେ ବାହାଘରେ ବରଯାତ୍ରୀରେ ଯାଇଚି ହେଲେ ଏମିତି ଦଦରା ପାଲିଙ୍କି କେବେ ମୋ’ ବୋପାକାଳେ ଦେଖିନାହିଁ । ଆଉ ଜଣେ କହିଲା, ହଁ ରେ ମଧୁଭାଇ ଯାହା କହିଲୁଟି ସତ, ଆମ ମୂଳ ଘିନି ଆମେ ଯିବା ।

 

ଫକିରା କହିଲା ତା’ ବେଶ୍‌ କଥାଟି । ତୋ’ କଥାଟି ତେତେ ସୁନ୍ଦର ମୋ ମଥାଟା ମେତେ ସୁନ୍ଦର । ଆରେ ଆମେ ଘରେ ପହଞ୍ଚି ମୂଲ ଦବୁଁ । ଟଙ୍କା କଣ ଗଛରେ ଫଳୁଛି ତମକୁ ଦମୁଁ । ଖଣ୍ଡେ ବାଟ ଯାଇଁ ନାଁ ପାଲିଙ୍କି ଭାଙ୍ଗିଲା । ସଉରିଆ କହିଲା ଆମେ ପାଲିଙ୍କି ଭାଙ୍ଗିଲୁ । ଗିରସ୍ତ ଭାରିଯା ଦି’ଟାଯାକ ଗୋଟାଏ ପାଲିକିରେ ପଶିଲ, ବେଶି ଖରଚ ହବ ବୋଲି । ଦଦରା ପାଲିଙ୍କିଟା କୋଉଠୁ ମାଗି ଆଣିଥିଲ ! ଏବେ ଆମ ଦୋଷ ହେଲା । ତେମେ ଚଢ଼ିଲ ଆମେ କାନ୍ଧେଇଲୁ ! ‘‘ମୋଟ ହେଇଚ ଯେ ମଲେ ବିଲୁଆ ଛମାସରେ ଖାଇବ ।’’ ଏଥର ରତନୀ କହିଲା- ମଲା, କି କଥା କହୁଚୁରେ, ଆମ ଗୋଡ଼ରେ କଣ ପଟି ବନ୍ଧା ହେଇଚି ନାଁ ବେଡ଼ି ପଡ଼ିଚି । ମୁଁ ତ ଏଇ ରାତିକା ରାତି ଦଶ କୋଶ ଚାଲି ଯିବି । ଆମକୁ ମାରିବୁ କିଆଁ କହୁଚି । ତୁ ମରନୁଁ । ଫକିରା କହିଲା, ‘‘ହଉ ତେବେ ଚାଲ୍‌, ଆଉ ବସିବା କିଆଁ । ରତନୀ କହିଲା ‘‘ଏମାନେ ଯେ ମୂଲ ମାଗୁଛନ୍ତି ?’’

 

ଫକିରା, କହିଲା ହଉ ହଉ ତମକୁ ଦିଆଯିବ । ସେହି ଭଙ୍ଗା ପାଲିଙ୍କିଟା ବହି ନିଅ । ଗଉଡ଼ତକ ପାଲିଙ୍କି ବହି ଆଗେ ଆଗେ ଗଲେ । ବର କନିଆ ଗଲେ ପଛେ ପଛେ ବାଟ ପାଏ ଖଣ୍ଡେ ଯାଇଛନ୍ତି, ‘‘ଫକିରା କହିଲା, ମେତେ ବଡ଼ ମଇଦାନି ମାଡ଼ିଲାଣି । ତୁ ଏକାଠଇ ଠିଆ ହ’କି ମୁଁ ଆଉଚି ।’’ ଆଉଚି ବୋଲି ଅଧ ଘଣ୍ଟା । ରତନୀ ରାଗରେ ଜଳି ପୋଡ଼ି ଅନ୍ଧାରରେ ଠିଆ ହେଇଥାଏ । ଆସିଲା ମାତ୍ରେ କହିଲା, ‘‘ଏତେବେଳଯାଏ କୁଆଡ଼େ ମରିବାକୁ ଗଲୁ ? ‘‘ଫକିରା କହିଲା, ‘‘ହଇଲୋ ଅରଖିତିଆଣି ଜାଣୁନୁଁ ପାଣି ଖୋଜୁଥିଲି ।’’ ରତନୀ କହିଲା, ‘‘ମଲା ତୋ’ ପେଇଁ ବଣପର କିଏ କୂଅ ଖୋଳିଚି କି ? ନିଆଁନଗାଟାକୁ ଏତିକି ବେଳେ ମଇଦାନ ମାଡ଼ିଲା । ନିଦରେ ମଣିଷର ଦିହ କଣ ହେଲାଣି । ଏ ମେତେ ରାତି ରାତି ଯାକ ଚଲେଇବ ଦେଖୁଚି’’ । ‘‘ଫକିରା କହିଲା, ଚିଡ଼ିଲୁ କିଲୋ ! ହଉ ନିଦ ମାଡ଼ଛି ତ ଏଇନେ କାନି ପାରି ଦେଲି ଶୋ’ ଘଣ୍ଟାକ ପରେ ଯିବା, ଆମ ଗାଁ ତ ହେଇ ଦୁଉଛି । ରତନୀ କହିଲା ‘‘ହଇରେ ହୁଣ୍ଡା ! ବଣରେ ବାଘ ଭାଲୁ ଏଠି କୋଉ ନୋକଟା ଶୋଇବ ।

 

ଫକିରା ବାଘ ଭାଲୁ ନାଁ ଶୁଣି ଅତର୍ଚ୍ଛ ହେଇ ଗୋଟାଏ ଆମ୍ୱ ଗଛରେ ଚଢ଼ିଗଲା । ରତନୀ ଦେଖି କାବା ! ଗଛ ଉପରୁ ଫକିରା ତାକୁ ଡାକୁଚି । ‘‘ଆଇଲା କିଲୋ । ଦେଖ୍‌ ଦେଖ୍‌ ମୋତେ ଯେମିତି ନ ଖାଏଟି ! ତୋ’ରାଣ୍‌ ମେତେ ଯେମିତି ନ ଖାଏଟି । ମୁଁ ମୋ’ ମାଁର ଏକଇର ବାଳା ବିଶି କେଶନ’’! ‘‘ରତନୀ ତାକୁ ଖୁବ୍‌ ଶୋଧି ଶୋଧି କହିଲା, ‘‘ଓଲା, ତତେ ଏକା ବାଘ ଭାଲୁ ଆଉଚି, ବଣରେ ରାତି ଅଧରେ ନାଟ କରୁଚି ମୁଣ୍ଡ ପୋଡ଼ାଟା ।’’ ‘‘ହଇଲୋ ଗାଳି ଦଉଚୁ’’ କହି ଫକିରା ତଳକୁ ଆସି ରତନୀ ପିଠି ଆଉଁସି ଦେଇ କହିଲା, ଚାଲ୍‌ଯିବା । ପୁଣି ଖଣ୍ଡେଦୂର ଚାଲିଲେ । ଫକିରା ଗୋଡ଼ରେ ଗୋଟାଏ କଣ୍ଟା ପଶିଲା । ଏବେ ଉପାୟ କଣ । ଛୋଟେଇ ଛୋଟେଇ ବସି ପଇଲା । ‘‘ଇଲୋ ମୋ’ ଗୋଡ଼ ଗଲା ଲୋ କହି ମାଟି ଉପରେ ଶୋଇ ପଇଲା, ।’’ ରତନୀକି କହିଲା ମତେ ଆଉଁସ୍‌। ରତନୀ କହିଲା, ‘‘ତୋ ବେଲି, ତୋ ସୁଆଙ୍ଗ ରଖି ଦେଇଥା । ମୁଁ ତତେ ଆଉଁସି ପାରିବିନାହିଁ । ବାଟଯାକ ନାଟ କରୁଚି, ‘‘କହି ଖଡ଼ୁମୂଷାରେ ପାହାର ପିଟିଲା । ‘‘ଇଲୋ ମାରି ପକାଇଲା ଲୋ, ଇଲୋ ମାରି ପକାଇଲା ଲୋ କହି ବାୟାଟା ତ ଭୂତପରି ଠିଆ ହେଲା । ପୁଣି ଚାଲିଲେ । ବାୟା ଛୋଟଉଥାଏ, ବସୁଥାଏ, ଉଠୁଥାଏ, ଏଇମିତି ହଉହଉ ସକାଳ ପାଇଲା, ଗାଁ ଗଣ୍ଡା ଦୁଶିଲା । ବାୟା ରତନୀକି କହିଲା ‘‘ଦେଖ୍‌ ଗାଁ ଦୁଶିଲାଣି, ଶଶୁର, ମଳାଶୁର ବିଲରେ ଥିବେ, ମୁଣ୍ଡରେ ଓଢ଼ଣା ଟାଣ । ନଇଲେ କହିବେ ବଡ଼ ଅଲାଜୁକ ଘର ଝୁଅ ! ତାକୁ ନିଆଜ ସରମ ଅଛି, ନାଁ ତାର ଢଙ୍ଗ ଢପ ଅଛି । ଆଲୋ ମାଧିଆ ମା ମୁଣ୍ଡରେ ଓଢ଼ଣା ଟାଣ ।’’ ରତନୀ ଏ କଥାରେ ଭାରି ଚିଡ଼ି ଉଠିଲା । ରାତିଯାକ ତ ଯୋଉ ନାଟ ସୁଆଙ୍ଗ ହେଲାଣି । ସେବି କହିଲା ‘‘ମଲା ତୋ ନିଆଁନଗା ଶଶୁର ମଳାଶୁରକୁ ମୁଁ କିଆଁ ଡରିବି ।’’ ଫକିରା ପାଟିକରି କହିଲା, ‘‘ହଁ, ଅଲ୍‌ବତ୍‌ ଡରିବୁ, ମୋ’ ଶଶୁର ମଳାଶୁରକୁ ଡରିବୁଁନୁ !’’ ବାଟରେ ମାଇକିନାଁ ପଞ୍ଝାଏ ଗାଧୋଇ ଯାଉଥିଲେ, ଫକିରା ତାଙ୍କ କତିକି ଦଉଡ଼ିଗଲା । ଡାକି ଡାକି କହିଲା ଆଲୋ ମାଉସୀ, ଆଲୋ ଅପା ଶୁଣ ଲୋ ମୋ’ ବୋହୂଟା ନୂଆ ଭୁଆସୁଣୀଟା କହୁଚି ଶଶୁର ମଳାଶୁରଙ୍କୁ ଗୋଇଠା ମାରିବ, ତେମେ ନିଷାପ କର । ମାଇପେ ତ କାବା ! ଦଣ୍ଡେ ଫକିରାକୁ ଅନଉଥାନ୍ତି, ଦଣ୍ଡେ ରତନୀକି ଅନଉଥାନ୍ତି । ଶେଷକୁ ବୁଢ଼ୀଟିଏ କହିଲା ‘‘ହଇରେ ପୁଅ ଏ କିଏ ?’’ ଫକିରା କହିଲା, ‘‘ତେମେ ଚିହ୍ନିବ ? ଏ ପରା ମୋ’ ଶାଶୁ ଶଶୁର ଝିଅ ! ଏ ପରା ମୋ’ ବୋପାର ବୋହୂ ଏ ପରା ମୋ’ ଭାରିଯା ସାଆନ୍ତାଣୀ, ନଅତୁଣ୍ଡୀ ।’’ ବୁଢ଼ୀଟା ଖପା ହେଇଁ କହିଲା, ‘‘ତୁ ବାୟାଟା କିରେ ! ଯା’ ଯା’ ତୋ’ ବାଟରେ ଯା’ । ‘‘ସେମାନେ ଗଲେ ଗାଧୋଇ ୟାଙ୍କ କାଣ୍ଡ ଦେଖି ତାଙ୍କ ଭିତରୁ ଟୋକୀଗୁଡ଼ିକ ହସି ହସି ନୋତରା କୋତରୀ ହେଉଥାନ୍ତି ।

 

ରତନୀ ଚିଡ଼ିଭିଡ଼ି ହଉଥାଏ, ଫକିରା କିଆଁ ମାନିବ, ତାକୁ ନେଇ ସେ ଗାଁ ବଡ଼ ଦାଣ୍ଡର ଗୋଟାଏ କୋଠା କତିରେ ଆଣି ଛିଡ଼ାକଲା । କହିଲା ଏଇ ମୋ’ ଘର । ରତନୀ ଦେଖିଲା ସତକୁସତ ଭଙ୍ଗା ପାଲିଙ୍କିଟା ଆଣି ଗଉଡ଼ମାନେ ସେଇଠି ଛିଡ଼ା ହେଇଚନ୍ତି । କୋଠାର ଏଇଟା ପଛପଟ । ଗୋଟାଏ ସାନ ଦୁଆର ଥାଏ । ବାୟା ତାକୁ ସେଇଠି ଠିଆ କରି ଦେଇ କହିଲା ଈଶରା ମା ତତେ ଆସି ଘିନିଯିବ ତୁ ଏଇଠି ଠିଆ ହେଇଥା, ମୁଁ ବଜାରୁ ଆସେ । ଏଇକ୍ଷଣି ଆସିବି ନେଇ ଜଳଖିଆ, ୟା କହି ଚଲ୍‌। ଈଶରା ମା ଆସି ତୋତେ ଘେନିଯିବ ତୁ ଏଇଠି ଠିଆ ହେଇଥା, ମୁଁ ବଜାରରୁ ଆସେ । ଏଇକ୍ଷଣି ଆସିବି ନେଇ ଜଳଖିଆ, ୟା କହି ଚଲ । ଇଶ୍ୱର ମା ଆସିବବୋଲି ରତନୀ ଠିଆ ହେଇଛି, ଈଶରା ମା ନା ଫିସରା ମା । କାହାରି ଦେଖା ଦରଶନ ନାହିଁ । ଫକିରା ବି ଫେରି ନାହିଁ । ତାକୁ ବଡ଼ ବିରକ୍ତ ଲାଗିଲା । ସେ ଗୋଟାଏ ଗଉଡ଼କୁ ପଚାରିଲା, ହଇ ହେ ମଉସା ଏ ଘର କାହାର ?’’

 

ଗଉଡ଼ କହିଲା, ‘‘ଏଇଟା ବାବୁ ସାଆନ୍ତଙ୍କ ଘର ।’’ ରତନୀ ବୁଝିପାରି ତୁନି ହେଲା । ତା’ ଇଚ୍ଛାଥିଲା କାହାକୁ ଡାକନ୍ତା । ବାବୁ ସାଆନ୍ତ ନାଁ ଶୁଣି ଟିକେ ଭୟ ହେଲା । ଆଉ ବା ଡାକିବ କାହାକୁ ? କେହି ତ କୁଆଡ଼େ ଦେଖାନାହିଁ । ଖାଲି ଗଉଡ଼ ଚାରିଟା ଆଉ ସେ ଏକାଟିଆ । ଗଉଡ଼ ଭିତରୁ ଜଣେ ଦୟାକରି ପଚାରିଲା, ‘‘ହଇଏ ! ତୁମକୁ ତ କେହି ଡାକୁନାହାନ୍ତି କେତେ ଆଉ ଖରାରେ ଠିଆହବ, ଏ ପାଲିଙ୍କିଟା ପଡ଼ିଚି ବସିଥାଅ ।’’ ରତନୀ ଭାବିଲା, ଗୋଡ଼ି ଭାଙ୍ଗି ଛିଡ଼ାହବା ଅପେକ୍ଷା କଣରେ ଆଉଜି ବସିଲେ ଭଲ । ରାତିଯାକ ଚେଇଁଚି, ବାଟ ଚାଲିଚି, ନିଦରେ ଆଖିପତା ବୁଜିହୋଇ ଆସୁଚି । ଯାଇ ପାଲିଙ୍କି ଭିତରେ ଆଉଜି ବସିଗଲା । ଚାହୁଁ ଚାହୁଁ ନିଦ ମାଡ଼ିଆଇଲା ।

 

ହଠାତ୍‌ ବଡ଼ ଗୋଳମାଳ ପାଟିରେ ତା’ ନିଦ ଭାଙ୍ଗିଗଲା । ଛାତିଟା ଦାଉଁକିନି ହୋଇଗଲା-। ରତନୀ ବାହାରକୁ ଅନେଇବ କଣ ଦେଖିଲା, ଗୋଟାଏ ପାଞ୍ଚହାତ ଡେଙ୍ଗା ଧୋବଧାଉଳିଆ ମଣିଷ, ବେତ ଖଣ୍ଡେ ଧରି ଗଉଡ଼ଙ୍କୁ ପିଟିନାଗିଚି । ଗଉଡ଼ ବିକଳ ହୋଇ ପାଟିକରି ତା’ ଗୋଡ଼ତଳେ ପଡ଼ୁଛନ୍ତି, ହାତତଳେ ପଡ଼ୁଛନ୍ତି । ‘‘ସାଆନ୍ତେ ଆଉ ମାରନାଁ, ଆଉ ପଇସା କଥା ମୁହଁରେ ଧରିବୁନୁଁ, ତମର ଶହେବରଷ ଗୋଲାମୀ ଖଟିବୁ । ତମ ଗୋଡ଼ ଧରୁଛୁ, ଦାନ୍ତରେ କୁଟା ହଉଚୁ ।’’ ସାଆନ୍ତେ କାହିଁକି ମାନିବେ । କହିଲେ ‘‘ପଇସା ମାଗୁଚି, ପଇସା ଧୋଇ ପାଣି ଦେବି, ମୋ’ ରାଇଜରେ ରହିଲ, ସୁଖରେ ଘରକଲ, ବୋଲବାଣୀଟା କରିଦେଲ ପୁଣି ପଇସା ମାଗୁଚ ।’’ ୟା କହି ତାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ । ତାଙ୍କ ମାଡ଼ ଦେଖି ରତନୀର ହଲକ ଶୁଖିଗଲା । ସେ ପାଲିକି କଣରେ ଯାକିଯୁକି ହେଇ ବସିଲା । କିନ୍ତୁ କଣହବ । ସାଆନ୍ତ ତାକୁ ଦେଖିସାଇଲେଣି । ଘଡ଼ିଏ ବେଳ କଟମଟେଇ ଅନେଇ କହିଲେ, ‘‘ତୁ କିଏ ?’’ ରତନୀ କହିଲା, ‘‘ମୁଁ- ମୁଁ- ରତନୀ ।’’ ‘‘ଏଠିକି କେମିତି ଆଇଲୁ ?’’ ରତନୀ କହିବ କଣ ଘଡ଼ିଏ ଭାବି କହିଲା ସାଆନ୍ତଙ୍କ ବେହେରା ଫକିରି ସ୍ୱାଇଁ ମୋତେ ଆଣିଛି ।’’ ସାଆନ୍ତ କାବା ହେଇ କହିଲେ, ‘‘ଏଠିତ ମୋ’ ବେହେରା ଫକିରି ସ୍ୱାଇଁ କେହି ନାହିଁ ।’’ ରତନୀ ବୁଦ୍ଧିକରି କହିଲା, ‘‘ଲୋକି ମହାରଣାଙ୍କୁ କହିଲେ ଜାଣିବେ, ସେ ମୋ’ ଧରମଭାଇ ।’’ ସାଆନ୍ତେ ପୁଣି କହିଲେ, ‘‘ଏଠି ତ ଲୋକି ମହାରଣା କେଇନାହିଁ ।’’ ଏଥର ରତନୀ ଆଉ କାହା ନାଁ କହିବ, କହିଲା, ଈଶରା ମା ଜାଣେ । ‘‘ସାଆନ୍ତେ କହିଲେ, ‘‘ଈଶରା ମା କିଏ ?’’ ଆଉ ଏ କଥାକୁ ରତନୀ ଜବାବ ନ ଦେଇ ତୁନି ହେଲା । ଫକୀରା ଉପରେ ତା’ ହାଡ଼ କଡ଼କଡ଼ ଡାକୁଥାଏ । ଆପୁ ଆସିଲେ ସିନା ତା’ ମଜା ବୁଝିବ ? ସାଆନ୍ତେ ତା’ଠୁ କଥାର ଉତ୍ତର ନପାଇ ଘର ଭିତରକୁ ଗଲେ । ଦଣ୍ଡେ ଛାଡ଼ି ଆଇଲା ଗୋଟାଏ ମାଇପି ଲୋକ । ରତନୀ ଭାରି ଖୁସି ହେଇଗଲା-। ଭାବିଲା ଈଶରା ମା ଆଇଛି, ଏଥର ତାକୁ ଘରକୁ ନବ । ମାଇପି ଲୋକଟି ସିଧା ପାଲିଙ୍କି କତିକି ଆଇଲା, କହିଲା, ‘‘ଝିଅଲୋ କାହୁଁ ଆଇଲୁ ? ରତନୀର ମହାରାଗ ହେଲା । କହିଲା କିଛି ଜାଣିନାହଁ ଯେମିତି, କହିଲା କାହୁଁ ଅଇଲୁ, ନଙ୍କାରୁ ଆଇଲି ।’’ ତା’ କଥା ଶୁଣି ସେତ ମାର ମୁଷ୍କିଲ୍‌। କହିଲା କଥାପଦକୁ କାମୁଡ଼ି ଗୋଡ଼ଉଚୁ ଘରେ ନପଶୁଣୁ ଚାଳ ବାଜିଲାଣି । ଏ ପୁଣି କି ଘର କରିବ, ତା ପାଟିରେ ଆଉ ଗୋଟାଏ ମାଇକିନାଁ ଭିତରୁ ବାହାରିପଡ଼ି କହିଲା, ହଇଲୋ ଧଡ଼ିଆବୋହୂ କାହାସାଙ୍ଗେ ନଢ଼ୁଚୁ ? ଧଡ଼ିଆବୋହୂ ସେତେବେଳକୁ ଅଗ୍ନିମୂର୍ତ୍ତି ! ସେ ତାକୁବି ଶୋଧିଦେଲା । ରତନୀ ପାଲିଙ୍କି ଭିତରୁ ବାହାରିପଡ଼ି କହିଲା, ଦେଖିଲୁ ମାଉସୀ, ତୁଚ୍ଛେଇଟାକୁ ମୋ’ ସାଙ୍ଗେ ନଗେଇଚି । ମୁଁ ଭଲା ତାକୁ କିଛି କହିଥାନ୍ତି । ମୁଁ ପଚାରିଲି ତୁ ଈଶରା ମାଁ କି ?’’ ଆରଜଣ ଥାଇ କହିଲା, ‘‘ମୁଁ ଈଶରା ମା । ତୁ ଫକୀରା ବୋହୂକିଲୋ ! ଆ’ଆ’ ଘରଭିତରକୁ ଆ’, ମତେ ଫକୀରା କୋଉକାଳୁ କହିଲାଣିଟି । ଏ ନିଆଁନଗା ମନକୁ କଣ କହିବିଟି । ଟୋକାଟା ଏଇକ୍ଷଣି ବଜାରରୁ ଆସିବ । ଆଉ ତୁ ବାହାରେ ବଇଚୁ । ହଇଲୋ ତୋ’ପାଟିରେ କଣ ବେଙ୍ଗ ବନ୍ଧା ହେଇଥିଲା । ମତେ ଡାକଟାଏ ଦେଲୁନାହିଁ । ଆ’ ଆ’ ।’’

 

ରତନୀ ଆଶ୍ରାପାଇ ବଡ଼ ଖୁସିରେ ଘର ଭିତରକୁ ଗଲା । ଦେଖିଲା, ଖଟ ପଡ଼ିଛି, ମେଜ ଥୁଆ ହେଇଚି, ଚଉକି ସଜା ହେଇଚି, କାନ୍ଥରେ ମାଳ ଅଇନା ଆଉ ଚିତ୍ର । ଖଟରେ ଶୋଇଛନ୍ତି ସାଆନ୍ତେ । ଟୋକାଟିଏ ଗୋଡ଼ ଘସୁଚି । ଈଶରା ମା ଘରକୁ ପଶିଯିବ କଣ ତା’ମୁଣ୍ଡ ବାଜି କାଚର ଗୋଟାଏ ବଡ଼ ଅଇନା ଧୂମ୍‌କିନା ତଳେପଡ଼ି ଚୂନଭୂତ । ସାଆନ୍ତଙ୍କର ତ ନିଦ ଲାଗିଆସୁଥିଲା ଏ ଶବଦରେ ଉଠିପଡ଼ି ଆଗ ଦି’ଚାପୁଡ଼ା ଦେଲେ ଭଣ୍ଡାରୀ ଟୋକାକୁ, ସେଠୁ ଦି’ ଦି’ ବେତ ଦେଲେ ଏ ତିନିଜଣଙ୍କୁ । ହଠାତ୍‌ ଘରେ ପଶି ଅକାରଣେ ମାଡ଼ଖାଇ ରତନୀର ରାଗରେ ବୁଦ୍ଧି ହଜିଗଲା । ସେ ଆଉ ସମ୍ଭାଳି ନପାରି କହିଲା, ‘‘ଏଇଟା କାହିଁକି ମତେ ମାଇଲା ଲୋ ! ଈଶରା ମା ଆରଶୀ ଭାଙ୍ଗିଲା, ମୁଁ ଖାଇଲି ମାଡ଼ ।’’ ସାଆନ୍ତେ ଭାରି ରାଗିଯାଇ କହିଲେ ବେଶି ବକ୍‌ବକ୍‌ କରନା । ଏଠି ଚାକିରାଣୀ ଯେମିତି ସାଆନ୍ତାଣୀ ସେମିତି, ଦୋଷକଲେ ମାଡ଼, ସାଆନ୍ତାଣୀ ହେଇଚ ବୋଲି କଣ ମୁଣ୍ଡ କିଣିଚ ? ଉଠ ଯାଇ ଭଙ୍ଗା କାଚତକ ଗୋଟାଇ ଗଦା କର । ରତନୀ ଆଖିପୋଛି ଯାଇ କାଚତକ ଗୋଟେଇ ଗଦାକଲା । ବାବୁ ବାହାରକୁ ଚାଲିଗଲେ । ଭଣ୍ଡାରୀ ଟୋକାଟାବି ଆସି ସାଙ୍ଗରେ ମିଶିଗଲା । କାଚ ଗୋଟଉ ଗୋଟଉ କହିଲା, ଦେଖିଲ ମାଁ ସାଆନ୍ତାଣି, ସାଆନ୍ତେ ଆମର ଭାରି ଚିଡ଼ିଲା ମଣିଷ । ଯେମିତି ନଙ୍କାମରିଚଟି ତ ! ତାଙ୍କ ସଭାବ ବୁଝି ଚଳିବ । ତେମେ ନୂଆ ଲୋକ ବୋଲି କହି ରଖିଲି । ରତନୀ ସୁଯୋଗ ପାଇ ପଚାରିଲା, ହଇରେ ତୋ ନା କଣ ? ଟୋକା କହିଲା ମୋ’ନା ଦାମା । ମୁଁ ବାବୁଙ୍କର ଗୋଡ଼ ଘସେ, ପଙ୍ଖା ଟାଣେ, ବୋଲ ହାକ କରେ । ‘‘ରତନୀ କହିଲା, ଆଉ ଫକିରା କଣ କରେ ? ଦାମା କହିଲା, କିଏ ରତନୀ କହିଲା ଏଠି ପରା ସେ ଥାଏ ।’’ ଦାମା କହିଲା ଏଠି ତ ଫକିରା ବୋଲି କେହି ନାହିଁ । ରତନୀକି ତ ଭାରି ଆଶ୍ଚର୍ଯ୍ୟ ଲାଗିଲା । ସେତେ ବେଳକୁ ଈଶରା ମାଁ ଆସି ଡାକିଲା, ଆଲୋ ବୋହୂ ଗାଧେଇବୁ । ରତନୀ ଉଠିକରି ଗଲା ଈଶରା ମାଁ ତାକୁ ନେଇ ପୋଖରୀ ତୁଠରେ ବସିଲା । ମୁଣ୍ଡାଏ ସାବିନି, ଗିନାଏ ବାସନା ତେଲ ଧରି ବସି ଥାଏ । ଅଇନା ପାନିଆ ସବୁ ଆଣିଥାଏ ।

 

ପୋଖରୀ ତୁଠରେ ଭାରି ନିର୍ଜନ, ଚାରିଆଡ଼େ ପାଚେରି ବନ୍ଧା । ପକ୍କା ବେଦୀ, ତୁଳସିଚଉରା, ବାଡ଼ିଟା ଭାରି ସୁନ୍ଦର, ଫୁଲଗଛ ମାଳମାଳ, ନଡ଼ିଆଗଛ, ଆମ୍ବଗଛ, କଦଳିଗଛ, ପଣସଗଛ ମାଳ ମାଳ । ରତନୀ ଏ ସବୁ ଦେଖି ତା’ ଆଖି ଖୋସି ହେଇଗଲା । ସେ ଘଡ଼ିଏ ସବୁଆଡ଼େ ଚାହିଁଲା ।

 

ଈଶରା ମା ଟିକେ କଡ଼ାସ୍ୱରରେ କହିଲା, କଣ କଲବଲ କରି ଅନଊଚୁ ଘର ବାରି କଣ କେବେ ଦେଖିନୁଁ । ତୋରି ସାଆନ୍ତର ତ । ଏଠି ରାଣୀ ହେଇ ରହିବୁ । ଭଲ ଗୁଣକଲେ କପୁର ଚୂରିବୁ । ଆମେ ତ ଚାକରବାକର ଲୋକ । ‘‘ରତନୀ ଟାଣିହେଇ କହିଲା, ‘‘ମୋର କଣ ମନ୍ଦଗୁଣ ଦେଖିଲୁ କି ? ଈଶରା ମା କହିଲା, ସାଆନ୍ତେ କହୁଥିଲେ, ତୁ କୁଆଡ଼େ ପକ୍କା କଜିଆଖୋରଣୀଟା ।’’ ଆପଣା ନିନ୍ଦା ଶୁଣି ରତନୀ ଖପା ହେଇ କହିଲା, ‘‘ମୁଁ ପକ୍କା କଜିୟାଖୋରଣୀ ଆଉ ତୋ’ ସାଆନ୍ତଟା ଭାରି ଭଲ । ସେଇଟା କିଆଁ ମୋ’ ସାଙ୍ଗେ ନାଗିଚି ମତେ ସଖାଳୁ ଦି’ ପାହାର ବାଡ଼େଇଲାଣି । ହଇଲୋ ତେମେସବୁ ଏଠି କେମିତି ଚଳ ? ଈଶରା ମା ବଡ଼ ଦୁଃଖରେ କହିଲା ‘‘ମାଡ଼ ଗାଳି ଖାଇ ଚଳୁ । ମାଡ଼ ଖାଇ ଖାଇ ହାଡ଼ ଭାଙ୍ଗିଲା । ସାଆନ୍ତେ ଭାରି ପ୍ରତାପୀ; ଏବେ ତମ ହାତରେ ଆମ ଚୁଟି । ମାଇଲେ ଧଇଲେ ଯିବୁଁ ଆଉ କୁଆଡ଼ିକି ? ଜମି ଧରିଚୁ ।’’ ୟା କହି ଟାଣିନେଇ ରତନୀକି ତଳେ ବସେଇଲା । ପିତ୍ତଳ ଖଡ଼ୁତକ ତାର ବଡ଼ ହୁଗୁଳା ତିଆରି ହେଇଥାଏ । ତାକଥା ଶୁଣି ରତନୀ ଆଖିରୁ ଟପ ଟପ ଲୁହ ଗଡ଼ିଗଲା । ଘଣ୍ଟାକ ଆଗର ଗହଣା ପିନ୍ଧି ଯୋଉ ସୁଖ, ଶୂନ୍ୟରେ ମିଶିଗଲା । ଆଉ ତାର ଭାବନାର ବେଳ ନଥିଲା । ବଡ଼ ବଡ଼ କଞ୍ଚନ ଥାଳିରେ କି ଜାଣି ୨୫ ଲୋକର ରାନ୍ଧିବା ଦରବ ଘିନି ଚାରିଟା ପୂଝାରୀ ଆସି ହାଜର । ରତନୀକି ହୁକୁମ ହେଇଛି ରାନ୍ଧିବବୋଲି । ତା’ ଛାତି ଥର ଥର । ସେ କି ରନ୍ଧା ଜାଣେ ? ଯା’ ହଉ ରନ୍ଧା ଘରକୁ ଗଲା-। ଜିନିଷପତ୍ର ଥୋଇଦେଇ ପୂଝାରୀ ବାହାରିଗଲେ । ରତନୀ ବୁଦ୍ଧିକରି ଚୁଲ୍ଲି ଜଳେଇଲା ଭାତ ଫୁଟେଇଲା । ଶାଗଟା ଖରଡ଼ିଲା, ଡାଲିଟା କଲା । ବଡ଼ ମାଛକୁ ବେସର କରିଦେଲା । ଆଉ ତ କିଛି ଜାଣିନାହିଁ । ପୁଣି ଭାବିଚିନ୍ତି ସନ୍ତୁଳାଟା କଲା । ଆଉ ସବୁ ଜିନିଷ ପଡ଼ିଥାଏ । ସେକି ଜାଣେ ଖିରିମୋହନଭୋଗ, ଆଉ କଲିଆ କୁରୁମା !

 

ରାତି ନଅଟାକୁ ବାବୁ ଆସି ପିଣ୍ଡାରେ ବସିଲେ । ରତନୀକି କହିଲେ; ଭାତ ବାଢ଼ । ତା’ ହଲକ ଶୁଖିଗଲା । ଏଡ଼େବଡ଼ ଲୋକକୁ କେମିତି ଭାତଦବ କଣ କରିବ । କେହି ସାହାଯ୍ୟ କଲେନାହିଁ । କଷ୍ଟେମଷ୍ଟେ ଥାଳିରେ ଥାଳିଆରେ ଭାତ ତିଅଣ ପରଶିଲା । ସାଆନ୍ତେ ଖାଇ ବସିଲେ-। କହିଲେ ଭାରି ସୁଆଦ ହେଇଚି । ରତନୀ ମନ କୁଣ୍ଢେ । ଡାକିଲେ, ‘‘ଆସ ଖାଇବ’’ । ରତନୀକି ଭାରି ଲାଜ ମାଡ଼ିଲା । ତୁନିହେଇ ରହିଲା । ସାଆନ୍ତେ ପୁଣି ଡାକିଲେ, ନଶୁଣିଲାରୁ ରାଗ ହେଇ ଉଠିଲେ । ଥାଳି, ଥାଳିଆ, ଗିଲାସ, ବାସନ, ଭାତ ତରକାରୀ ସବୁ ଫୋପାଡ଼ି ଦେଲେ । କହିଲେ, କଣ ମୋ’ କଥା ଅମାନିଆ ।’’ ସାଆନ୍ତର କାଣ୍ଡ ଦେଖି ରତନୀର ଛାତିରୁ ଅଧେ ରକ୍ତ ଶୁଖିଗଲା । ସେହିକ୍ଷଣି ଈଶରାମାଁକୁ ଡକରା ହେଲା । ସାଆନ୍ତ ରାଗରେ ତମତମ ହେଇ କହିଲେ, ଏ ମୋ’ କଥା ଅମାନିଆ କରିଛି, ୟାକୁ ପଖାଳଭାତ ପିତାଶାଗ ଏହିକ୍ଷଣି ଆଣିଦିଅ ।’’ ସେହିକ୍ଷଣି ପଖାଳଭାତ ପିତା ଶାଗ ଖରଡ଼ା ଆସିଲା । ସାଆନ୍ତ କହିଲେ, ‘‘ବସ୍‌ଖାଇବାକୁ ।’’ ରତନୀ ଭୟରେ ଖାଇ ବସିଲା । ସାଆନ୍ତ କଣେଇ କଣେଇ ଭାତ ତାଟିଆକୁ ଅନେଇଁ ଥା‘ନ୍ତି । ପୁଣି ରାଗରେ କହିଲେ ‘‘ ହଇଲୋ ଈଶରା ମା ହାଣ୍ଡିଏ ଗୋରୁ ତୋରାଣୀ ବାଢ଼ି ଦେଇଛୁ । ଏତେ ଖାଇବ ସେ ! କାଢ଼୍‌ଫୋପାଡ଼୍‌, ସେହିକ୍ଷଣି ଈଶରା ମାଁ ସବୁ ଅଜାଡ଼ିଦେଲା, ରହିଲା ଖାଲି ଶାମୁକାଏ ତୋରାଣୀ । ସାଆନ୍ତେ କହିଲେ, ଏଇ ତୋରାଣୀ, ଆଉ ପିତାଶାଗ, ମୋ’ କଥା ଅମାନିଆ କଲେ ଏଇ ଖାଇବାର ମିଳିବ । ରତନୀ ଲୁହ ପୋଛୁଥାଏ ଖାଉଥାଏ, ତା’ କଇଁକଇଁ ସ୍ୱର ଶୁଣି ସାଆନ୍ତେ ଝଟ ତା ପିଠିରେ ବେତଟିଏ ବଜେଇଲେ । କହିଲେ ‘‘କାନ୍ଦିଲେ ଏ ଶାସ୍ତି । ରତନୀ ତୁନିହୋଇ ସେତକ ଖାଇଲା ।

 

ଖାଇ ଉଠିଲାମାତ୍ରେ ସାଆନ୍ତେ ଗଲେ ଆର ପିଣ୍ଡାକୁ; ସେଠି ଚଟେଇ ସତରଞ୍ଜି ପଡ଼ିଲା । ହାରମୋନିଅମ୍ ସିତାର ଥୁଆଗଲା । ବାବୁ ବସିଲେ ବାଜା ବଜେଇ ଗୋଟିଏ ଗୀତ ଗାଇଲେ । ତାଙ୍କ କଣ୍ଠ ଭାରି ମଧୁର ରତନୀ ଶୁଣୁଥାଏ । ସାଆନ୍ତେ କହିଲେ, ‘‘ଆସ ବାଜା ବଜେଇବ ।’’ ଆଉ ସେ କିଛି ଉତ୍ତର ନ ଦେଇ କତିକି ଗଲା । ବାବୁ ତାକୁ ବାଜା ଶିଖେଇ ବସିଲେ । ସେ ବୁଝୁ ନ ବୁଝୁ ହୁଁ ହାଁ ମାରୁଥାଏ । ଘଣ୍ଟାଏ ଗଲା, ସାଆନ୍ତେ କହିଲେ ଚାଲ ଶୋଇବା । ଖରାଦିନ, ବଡ଼ ଗରମ, ପିଣ୍ଡାରେ ବିଛଣା ହେଲା । ଦିବ୍ୟସୁନ୍ଦର ବିଛଣା, ଗଦୀ, ତୋଷକ, ଲେପ, ତକିଆ, ପୁଣି ମଲ୍ଲିଫୁଲ ମାଳ । ସାଆନ୍ତେ ଶୋଇଲେ । ଦଣ୍ଡେ ଯାଇନାହିଁ ସାପ ମାଇଲା ପରି ଉଠିଲେ । ବିଛଣା ବଡ଼ କାଟିଲା । କଥା କଣ, ରାମା ବେହେରା, ଦାମା ବାରିକ ଦଉଡ଼ି ଆଇଲେ । ବାବୁ ସବୁ ବିଛଣା ଅଗଣାରେ ଫୋପାଡ଼ି ଦେଲେ । କଥା କଣ, ଖୋଜଖାଜ ସାତ ପରସ୍ତ ଗଦୀତଳେ ଗୋଟାଏ ଖଡ଼ିକା । ଏଇଟା କାଟୁଥିଲା । ବାବୁ ଖଡ଼ିକାଟି ପାଇ ସେହିକ୍ଷଣୀ ରାମା ବେହେରାକୁ ଦି’ବିଧା ଦାମା ବାରିକକୁ ଦି’ଚଟକଣା ବସେଇଲେ । କହିଲେ, ଆଣ ଖଜୁରାପଟି । ତାଙ୍କ କଥାମତେ ଗୋଟିଏ ସାତଛିଣ୍ଡା ଖଜୁରୀପଟ୍ଟି ଆସି ପଡ଼ିଲା । ପିଢ଼ା ଗୋଟିଏ ମୁଣ୍ଡତଳେ ଦେଇ ସାଆନ୍ତେ ଶୋଇଲେ । ରତନୀକି ଡାକିଲେ ଗୋଡ଼ ଘସି । ତାଙ୍କ କାଣ୍ଡଦେଖି ରତନୀର ପିଳେହୀ ପାଣି । କିଛି ଉତ୍ତର ନ ଦେଇ ଗଲା ଗୋଡ଼ ଟିପିଲା ।

 

ମୁଠାଏ ଦି’ମୁଠା ନ ଦଉଣୁ ସାଆନ୍ତେ ଏମିତି ଗୋଇଠାଟିଏ ଦେଲେ ଯେ ଛାଟିହେଇ ଖଣ୍ଡେ ଦୂରରେ ପଡିଲା ‘‘ଆଲୋ ବୋପାଲୋ’’ ହେଇ କାନ୍ଦି ଉଠିଲା । ସତେ ଯେମିତି କିଛି ଜାଣି ନାହାନ୍ତି, ସାଆନ୍ତେ ଧଡ଼ପଡ଼ ଉଠିଯାଇ କଅଁଳେଇ କହିଲେ, ‘‘ଆହା କାଟିଲା କିଅ ! ହଉ ଆସ ଘସା ଥାଉ, ଶୋଇ ପଡ଼ ରାତି ବାରଟା ହେଲାଣି । ଭୟରେ ଭୟରେ ରତନୀ ଗୋଟାଏ କୋଣରେ ଶୋଇଥାଏ । ତା’ ଆଖିକି ନିଦ ନାହିଁ । ସାତପାଞ୍ଚ ଭାବୁଥାଏ । ମାଁ କଥା ମନେ ପକେଇ ଆଖିରୁ ନୁହ ଗଡ଼ି ଯାଉଥାଏ । ଲୋକାଭାଈର ଛଳକଥା ଚିନ୍ତି ତା’ବୁକୁ ଫାଟିପଡ଼ୁଥାଏ । ଏ କଣ ହେଲା, କୁଆଡ଼େ ଥିଲା, କୁଆଡିକି ଆଇଲା । ଫକୀରା କିଏ, ଏ ସାଆନ୍ତେ କିଏ, ଏମାନେ ୟାକୁ ନେଇ ଏତେ ରଙ୍ଗ କିଆଁ କରୁଛନ୍ତି କିଛି ବୁଝିପାରିଲା ନାହିଁ । ଉଠିବସି ସୁଉଁ ସୁଉୁଁ ହେଇ ଅନେକବେଳ କାନ୍ଦିଲା । ତା’ସୁଉୁ ସୁଉୁଁରେ ସାଆନ୍ତର ନିଦଭାଙ୍ଗିଲା । ବିରକ୍ତ ହେଇ କହିଲେ କଣ ରାତି ଗୋଟାକ ଶୁଆଇ ଦବନାହିଁ କହ ! କାହିଁକି କାନ୍ଦୁଛ ?’’ ଏଥର ରତନୀ ସମାଳି ନପାରି ଆହୁରି ବଡ଼ ପାଟି କରି କାନ୍ଦି ଉଠିଲା । ସାଆନ୍ତ ତାର କତିକି ଯାଇ ଠିଆହୋଇ କହିଲେ, ‘‘କଅଣ କାହିଁକି କାନ୍ଦୁଛ ମତେ କୁହ । ଆପଣା ସ୍ୱାମୀକି ନ କହିବ ତ ଆଉ ଦୁଃଖ କଥା କହିବ କାହାକୁ ?’’ ସାଆନ୍ତ କଥାରେ ରତନୀର ଗୋଡ଼ଠୁ ମୁଣ୍ଡଯାକ ଜଳି ଉଠିଲା । ଭାବିଲା ମଲେ ମରିବି ପଦେ କହିବି । ଝଟ ଉଠିଯାଇ କହିଲା, ‘‘ମଲାମୋର ତେତେ କୋଉଦିନ ବାହା ହେଲି ? ଫକୀରା ମଲାନାହିଁ ମତେ ଆଣି ଏଠି ଏତେ ରଙ୍ଗ କରାଉଛି, ଲୋକା ମଲାନାହିଁ ମତେ ପୂରେଇ ଏଠି ନାଟ ଦେଖୁଛି ।’’ ଏହା କହି ଦୁମ୍‌କିନା ତଳେ କଚାଡ଼ି ହେଇପଡ଼ି ମୁଣ୍ଡ ବାଡ଼େଇଲା । ସାଆନ୍ତେ ମହା ବ୍ୟସ୍ତହେଇ ତାକୁ ଟାଣି ଓଟାରି ସେଠୁ ଉଠେଇଲେ ଅନେକ ବୁଝେଇ ସୁଝେଇ ତୁନିକଲେ । ହେଲେ ରତନୀ ମୋଟେ ତୁନି ହେଉ ନଥାଏ । ଖାଲି କାନ୍ଦୁଥାଏ କହୁଥାଏ ଏ ଜୀବନ ଆଉ ରଖିବି ନାହିଁ । କାଲି ସକାଳେ ପୋଖରୀକୁ ଡ଼େଇଁ ପଡ଼ିବି । ଅର୍ଖିତ ଜୀବନ ଏଡ଼େ ହୀନସ୍ତା ହେଲା । ଜଣେ ବାହା ହେଲା, ଆଉଜଣେ କହିଲା ସ୍ୱାମୀ ! ମୁଁ ମୂଲିଆ ମୁଣ୍ଡର ଝୁଅବୋଲି କଣ ମୋର ଇଜତ ମହତ ନାହିଁ । ତମ ଘରେ ବାରପାଇଟି କରିବି ବୋଲି କଣ ମୋ ମାନ ମହତ ଗଲା । ମୁଁ ପଛେ ଗଳାରେ ଦଉଡ଼ି ଦେବି’’

 

ଆଉ ବେଶି ବଢ଼ିବାର ନୁହେଁ ଦେଖି ସାଆନ୍ତେ ଆପେ ଆସି କତିରେ ବସିଲେ । ପ୍ରବୋଧ ଦେଇ କହିଲେ, ‘‘ଆରେ ଶୁଣ, ମହାପୁରୁ ସାକ୍ଷୀ, ଦିଅଁ ଦେବତା ସାକ୍ଷୀ ମୁଁ ତୁମକୁ ବାହାହେଇଚି ଫକୀରା କେହି ନୁହେଁ । ମିଛରେ ମିଛରେ ସେତକ ଭେଳିକି ହୋଇଥିଲା । ତୁମେ କଜିଆଖୋରଣୀ ବୋଲି ତୁମକୁ ଏ ଦଣ୍ଡ ।’’

 

ରତନୀ ଟିକେ ଥଣ୍ଡା ହେଲାରୁ ସାଆନ୍ତେ କହିଲେ ଥିରହେଇଁ ଶୁଣ ! ମୁଁ ଆଗରୁ ଲୋକାକତିରୁ ଶୁଣିଥିଲି ତୁମେ ଭାରି ଖୋରଣୀ, ଭାରି ସାହାସୀ । ଦିନେ ମନେଥିବ ତୁମର, ମୁଁ ଯାଇଥିଲି ତମଗାଁକୁ ମାଛମାରି, ସେ ଆଜିକି ପାଞ୍ଚ ବରଷ କଥା । ସେଦିନ ତୁମର ଯୋଉ ସାହାସ ଦେଖିଲି, ମୋ’ମନ ମାନିଗଲା । ମୁଁ ସାହାସକୁ ଭାରି ସୁଖପାଏ । ହେଲେ ତମ ଖୋରଣୀପଣଟା ଛଡ଼େଇବା ସକାଶେ ଏତକ ଭିଆଣକରି ବାହାହେଲି । ଏଥର ମନ ମାନିଲା !’

 

‘‘ରତନୀ ଏତକ ଶୁଣି ଗୋଡ଼ତଳେ ପଡ଼ିଗଲା । ସାଆନ୍ତେ ଆଦରରେ ପାଖରେ ବସେଇ କହିଲେ ଏଥର ରତନୀ ନଅତୁଣ୍ଡୀ ହେଲ, ରତ୍ନାବତୀ ଦେଈ ମଙ୍ଗଳ ଚଣ୍ଡୀ ।’’ ରତନୀ ମୁହଁରେ ଆଉ କଥାନାହିଁ ।

 

ଛ’ କଥା

 

ଆରଦିନ ଦିନ ୯ ଘଡ଼ି ହେଇଚି, ସାଆନ୍ତେ କଚିରୀଠାଇଁ ଅଛନ୍ତି, ରତନୀ ବଇଚି ମଝିଘରେ, ଈଶରା ମାଁ ଭଣ୍ଡାରୁଣୀ ତା’ ଗୋଡ଼ରେ ଅଳିତା ଦଉଚି, ଆଇଲା ଫକୀରା ବାୟା ! ତା’ ହାତରେ ପତର ଠୁଙ୍ଗାଟି ।

 

ଫକୀରାକୁ ଅନେଇଦେଇ ରତନୀର ଗୋଡ଼ଠୁଁ ମୁଣ୍ଡଯାକେ ଥରିଗଲା । ଏଇନାଁ ସାଆନ୍ତ କହିଥିଲେ ଫକୀରା ବୋଲି କେହି ନାହିଁ, ଏ ପୁଣି ଜୀଅନ୍ତା ଫକୀରା କାହୁଁ ଅଇଲା ? ତେବେ ସାଆନ୍ତବି ମିଛ କହିଲେ ? ଏ କଣ ମାୟାପୁରି ?’’ ଫକୀରା ଘଡ଼ିଏଖଣ୍ଡେ ରତନୀକି ଅନେଇ କହିଲା, ‘‘ମଲୁନୁ ପୋଡ଼ା ମୁହିଁ, ମୁଁ ଏ ବଜାର ସେ ବଜାର, ଏ ଗାଁ ସେ ଗାଁ, ଏ ବିଲ ସେ ବିଲ ତେତେ ଖୋଜିଲିଣି, ଆସି ତୁ ସାଆନ୍ତଙ୍କ ଉଆସରେ ପଶିଲୁଣି ! କହନ୍ତିନେଇଁ କଥାରେ କାହା କପାଳରେ ଖିରିଖିରିଷା କାହା କପାଳରେ ନଡ଼ୁ, ଆରେ ଏ ପୋଡ଼ା ଫକୀରା କପାଳରେ ଖାରିଆ ଖଡ଼ା ଚୋବେଇ ଚୋବେଇ ମରୁ !’’ ତୁ ଏଠି ତୁଅଣ, ତେର ଭଜା, ପନ୍ଦର ପିଠା, ଦଶ ଗଇଁଠା ଖାଇ ମଉଜ କରୁଚୁ, ଆଉ ଫକୀରା ଓଲୁ ତେତେ ମାଜଣା ମଙ୍ଗଳପୁର ବୋଲି ଖୋଜି ଆଇଲାଣି । ଚାଲ ଘରକୁ ଯିବୁ । ଶାଶୁ ଅନେଇଥିବ, ଶଶୁର ଅନେଇଥିବ, ଅନେଇଥିବ ମାଧିଆ, ମାଧିଆ ବୋପା ତ ଘରେ ବଇଚି, ମାଧିଆ ମାଁକୁ ନେଲା କିଲୋ ଗଧିଆ ! ‘‘ଚାଲ୍‌ଚାଲ୍‌, ଆଲୋ ଉଠୁଚୁ ?’’ ଏହା କହି ତା’ ବାହାଧରି ଝିଙ୍କି ପକେଇଲା । ରତନୀ ଅକର୍ତ୍ତବ୍ୟ ହେଇଁ ଉଠି ଠିଆ ହେଇ ଆଗେ ତାକୁ ଗୋଡ଼ଠୁଁ ମୁଣ୍ଡଯାକେ ଅନେଇଲା । ଇଲୋ ସେଇ ବାୟା ତ । ସାଆନ୍ତ କଥା ମନେକରି ତାର କଲିଜା ଦୁହିଁ ହେଇଗଲା । ସେ କଣ କରିବ କିଛି ବୁଝି ନପାରି କାଠପରି ଛିଡ଼ା ହେଇ ରହିଲା । ଈଶରା ମା କହିଲା, ‘‘ଇଲୋ ଯାଆଲୋ, ଡ଼ାକୁଚି ! ଶାଶୁ ଶଶୁର ଅନେଇଥିବେ, ପାଞ୍ଚ ପାଇଟି ପଡ଼ିଥିବ । ଆପଣା ଘରକୁ ଯିବାକୁ ଏତେ ହାତଧରା ଗୋଡ଼ଧରା !’’ ଏଥର ରତନୀର ପାଟି ଫିଟିଲା । ଈଶରା ମାଁକୁ ବହେ ଶୋଧି ମୁଣ୍ଡ ବାଡ଼େଇ କାନ୍ଦି ବସିଲା । ସେତେବେଳକୁ ସାଆନ୍ତ ଆସି ହାଜର । ସାଆନ୍ତକୁ ଦେଖି ସରମରେ ରତନୀ ମାଟିରେ ମିଶିଗଲାଣି । ତାଙ୍କ କଜିଆ ଗୋଳ ଦେଖି ସାଆନ୍ତ କହିଲେ, ‘‘କିଅ ଫକୀରଚରଣ, ଆମ ଉଆସ ଭିତରେ ଏତେ ଗଣ୍ଡଗୋଳ କିଆଁ ଲଗେଇଚ ?’’ ସାଆନ୍ତ କଥା ଶୁଣି ଫକୀରା ଟିକେ କାନ୍ଦି ପକେଇଲା, ଟିକେ ନୁହ ପୋଛି ପକେଇଲା କହିଲା ସାଆନ୍ତେ ହଜୁର ନିଶାପ କର । ପଅରଦିନ ରାତିରେ ବାହା ହେଲି କାଲି ସଖାଳେ ଗାଁକୁ ଅଇଲି, କନିଆକୁ ଈଶରାମାଁ କତିରେ ଛାଡ଼ି ଗଲି ବଜାରକୁ, ଏଣେ କନିଆଟି ତମ ଘର ପିଠା ସୁଆଦ ପାଇ ଆମ ଗରିବଗୁରୁବା, ମୂଲିଆ ମୁଣ୍ଡର ପଖାଳ ଭାତ ପିତା ଶୁଖୁଆ ମଣୋହୀରେ ଆଉ ରାଜି ନୁହନ୍ତି । ଆଉ ଠା’ରୁ ଉଠୁନାହାନ୍ତି । ଏ ଈଶରା ମାଁ ଭଣ୍ଡାରୁଣୀ ତାକୁ ଭଲା ସୁଆଦ ଚଖେଇଲା ! କିଲୋ ତୋ ସାଆନ୍ତ ଘର ଖିରି ଖିରିଷା ତେତେ ବଡ଼, ଆମ ହଳିଆ ମୂଲିଆଙ୍କ ପେଜ ତୋରାଣୀ ଆମକୁ ବଡ଼ । କିଲୋ ଜାତି, ଭଣ୍ଡାରୁଣୀ ଗୁଣ ପ୍ରକାଶ କରୁଛୁକି ? ରଖି ଦେଇଥା ସୁଆଗ ତୋ’ ସାଆନ୍ତ ଘରେ । ‘‘ଈଶ୍ୱର ମାଁ ବି ଛାଡ଼ିଲାବାଲୀ ନୁହେଁ ।’’ ସେ କହିଲା, ‘‘ଆରେ ନିଆଁନଗା, ମୁଣ୍ଡପୋଡ଼ା ସାଆନ୍ତ ବୋହୂକୁ କୁଆଡ଼େ ନବାକୁ ବଇଚୁ ? ହାଣି ଦେବିଟି ତେତେ ?’’ ହଣା ନାଁରେ ବାୟା ଚପିଗଲା । କାନ୍ଦି ପକେଇ କହିଲା, ‘‘ଆଲୋ ଈଶରାମାଁ ଲୋ, ହାଣ୍‌ନାଁ ଲୋ, ଦାନ୍ତରେ କୁଟା ଦଉଚି, ଗୋଡ଼ ଧରୁଛି, ହାତ ଧରୁଛି, ହାଣ୍‌ନାଁ ଲୋ, ଖୁର ଘସନାଁ ଲୋ ! ମୁ ପରା ମୋ’ ବୋପା ମାଁର ଏକଇର ବଳା ବିଶିକେଶନ । ନେ ନେ ମିଠେଇ ମଧୁରା ଖା ।’’ ୟା କହି ମିଠେଇ ଠୁଙ୍ଗାଟା ଈଶରା ମା ଉପରକୁ ଅଜାଡ଼ି ଦେଲା । ଈଶରା ମା ତାକୁ ଦି’ଚଟକଣା ବସେଇ ଦେଲା ।’’ ବାୟା ପୁଣି କାନ୍ଦିପକେଇ ସାଆନ୍ତ ଗୋଡ଼ତଳେ ପଡ଼ିଗଲା କହିଲା ଦେଖିଲେ ସାଆନ୍ତ ଈଶରା ମାଁ ଗୁଣ ! କହନ୍ତି ନେଇଁ ଜାତି ଭଣ୍ଡାରୁଣୀ, ନହୁରୁଣୀରେ ଖୋବେ ଦବ । ତାକୁ କି ବିଶ୍ୱାସ ! ଏବେ ନିଶାପ କର ! ଭଲରେ ଭଲରେ ଆମକୁ ବିଦା’ ଦିଅ ।

 

‘‘ବିଦା ନବୁକିରେ !’’ ଏହା କହି ଦାମା ବାରିକ ପଛାଡ଼ୁ ଆସି ଫକୀରା ପିଠିରେ ଦି’ ବିଧା କସିଦେଲା । ଯେମିତି ହାଡ଼ ଭାଙ୍ଗିଗଲେ ଲୋକେ ଛଟେଇ ହୁଅନ୍ତି, ଫକୀରା ଠିକ୍‌ ସେଇପରି ହେଇ ତଳେ ପଡ଼ିଯାଇ କହିଲା, ‘‘ଇଲୋ ମଲି ଲୋ, ମଲି ଲୋ, ମୋ’ ହାଡ଼ ଭାଙ୍ଗିଲା, ମୋ’ ଜୀବ ଛାଡ଼ିଗଲା’’ ୟା କହି ମୋହ ଗଲା ।

 

ରତନୀର ଆଉ ସହ୍ୟ ହେଲା ନାହିଁ । ଈଶରା ମାଁକୁ କହିଲା, ‘‘ମଲା ଲୋକଟାର ଚେତା ବୁଡ଼ିଗଲାଣି, ମୁହଁରେ ପାଣି ଛାଟି ଦେ ! ଇଲୋ ଏ କଣ ହଉଚମ ସବୁ ।’’ ସାଆନ୍ତେ ଦାମାକୁ କହିଲେ, ଆଣରେ ଦାମା ପାଣି ଢାଳେ । ଦାମା ଗରାଏ ପାଣି ଆଣି ରତନୀ ଗୋଡ଼ କତିରେ ଦୁମକିନା କଚି ଦେଲା । ଈଶରା ମାଁ ଥିଲା ଥିଲା ପାଣି ଗରାକ ଉଠେଇ ଫକୀରା ମୁଣ୍ଡରେ ଓଜାଡ଼ି ଦେଲା ।’’ ଆରେ ସାଇଲେ ସାଇଲେ କହି ଫକୀରା ଉଠି ପଡ଼ି ମୁଣ୍ଡଟା ଏଡ଼େ ଯୋରେ ଝାଡ଼ି ଦେଲା ଯେ ପରଚୂଳଟା ତା’ ମୁଣ୍ଡରୁ ଖସି ହାତେ ଦୁରରେ ପଇଲା । ସାଆନ୍ତେ ହୋ’ ହୋ’ ହୋଇ ହସି କହିଲେ, ‘‘ଏଥର ଧରା ପଇଲୁ ଗୁରୁଚରଣ !’’ ଗୁରୁଚରଣ ଟିକେ ଅପ୍ରସ୍ତୁତ ହେଇ କହିଲା, ଆଉ ଏ ଈଶରା ମାଁଟା ମୋ’ ଚୁଟି ଝିଙ୍କି ଦେଲା ।

 

ରତନୀ ତା’ କାଣ୍ଡ ଦେଖି ହସିବ କି କାନ୍ଦିବ କିଛି ବୁଝି ପାରିଲା ନାହିଁ ।

ସେଠୁ ସାଆନ୍ତେ, ଗୁରୁଚରଣ, ଦାମା ବାରିକହରିକା ଗଲେ ପୋଖରୀକି ଗାଧୋଇ !

ଜେଁ ରାଧାଁ କୁଷ୍ଟଁ କିଁ ଜେଁ- ଏଁ -ଏଁ ବଡ଼ ପାଟିରେ ଡ଼ାକି ଡ଼ାକି ଦୁଆରକୁ ଆଇଲା ଗୋଟିଏ ନାହାକ । ଈଶରା ମାଁ ଯାଇ ତାକୁ ଭିତର ଅଗଣାକୁ ଘେନିଆସିଲା । କହିଲା, ‘‘ନାହକେ ଖଡ଼ି ପକେଇଲ ? ନାହାକ କାଶି କାଶି ଘଣ୍ଟାଏ କଲା । ରତନୀ ଅନେଇଲା, ଦେଖିଲା ଅଗଣାରେ ବଇଚି ଗୋଟାଏ ସତୁରି ବରଷର ବୁଢ଼ା ମଣିଷଟି, ତା’ ବାଳ ଝୋଟପରି, ତା’ ନାକ ଅଗକୁ ଗୋଟାଏ ବଡ଼ ପ୍ରଚକ୍ଷୁ । କାଖରେ ବିଡ଼ାଏ ତାଳପତ୍ର, ଫଟା ପାଞ୍ଜି ଗଣ୍ଡାଏ । ତା’ ରୂପ ଭେକ ଠିକ ଯେମିତି ଗୋଟିଏ ପାତିମାଙ୍କଡ଼ପରି । ବୁଢ଼ା ଖାଲି ଥରୁଛି, କାଶୁଚି, ଛିଙ୍କୁଚି, ଥରେ ଥରେ ଗଳାଖଙ୍କାରୁଚି । ତା’ ଢଙ୍ଗ ଦେଖି ରତନୀକି ଭାରି ଚିଡ଼ି ମାଡ଼ିଲା । ସେ କହିଲା, ‘‘ଈଶର ମାଁ ଏଇ ଥୁରୁଥୁରୁଆ ନାହାକଟାକୁ କିଆଁ ଡାକି ଆଇଁଲୁ ?’’ ଚାଉଳ ଦେ ସେ ଯାଉ ।’’ ରତନୀ କଥା ନାହାକ କାନରେ ପଇଲା କ୍ଷିଣ ସେ ଉଠି ପଡ଼ି କହିଲା, ‘‘କିଁଲୋ ଯଦିଆଁ ନାତୁଣୀ, ବିଦିଆଁ ଝୁଅଁ ! ତୋରିଁ ଏଡ଼େଁ ଚାତଁର । ବାହାଁ ସାହାଁ ହେଲୁଁ । ଜାତକ ସୁଜେଁଇଥିଲିଁ, ଖଁଡ଼ି ପକେଁଇଥିଲିଁ, ଆମଁ ସିଦ୍ଧା ଗଣ୍ଡାଁକ ମାଁରିବୁକିଲୋ ? ଆଣେ ଆଣେ ସରୁଁଚୂଡ଼ା, ଦୋପାଁଖି ଉଖୁଁଡ଼ା, ନଡ଼ିଆଁ ପାଞ୍ଚପୁଞ୍ଜା, ମନକୁଁ ବୁଝାଁ, ଆଁରେ ବୋଇଁଲା କିନାକନିଆଁ ରତନୀ ନଅତୁଣ୍ଡୀ, କଳିଁହୁଡ଼ିଁ ଉଗୁରଁଚଣ୍ଡୀ- ବରଁନା କୁଷ୍ଟଁଚନ୍ଦ୍ର ରାଉଁତୁରା, ଛାତିଁ ଥୁରୁଁ ଥୁରୁଁ ହେସଁ ହଗୁଁରା ।’’ ବିଲେଇଁ ଦେଖିଲେ ବେଲଁଇ ବାଘ, ଖାଏଁ କୁଣ୍ଡାଁପିଠାଁ କଳଁମସାଗଁ, ଡାଳୁଅଁ ଚାଉଁଳ କୋଳଁଥ ଡାଲିଁ, ପିନ୍ଧେଁ ଛିଣ୍ଡାଁକନ୍ଥାଁ ସହସ୍ରେଁତାଁଳି ।’’

 

ଗୀତ ଗାଇସାରି ନାହାକ ବସି ପାଞ୍ଜି ଫିଟେଇଲେ । ଆଙ୍ଗୁଠି ଗଣିଲେ । ‘‘ମେଷ, ବୁରୁଷଁ ମିଥୁନଁ, କଁରକଁଟ, ସିଂହ, କନିଆଁ, ତୁଳାଁ, ବୁରୁଁଛିକ, ଧନୁଁ, ମକର, କୁମ୍ଭଁ, ମୀନଁ । ଆରେଁ ବୋଇଲାଁ କିନଁ ବୁର୍ଚ୍ଛିଁକ କକଁଟ ମୀନସ୍ୟ ବିପ୍ରଃ, କନିଆଁ-କନ୍ୟାଁ ରତନୀ ଏଁ- ମେଷଁ, ବୁରୁଁଷ, ମିଥୁନଁ, କକଁଡ଼ା, ସିଂହ, କନିଆଁ- କନ୍ୟାଁ ରାଶିନଇକ୍ଷତର ଏଁ ଅଶ୍ୱିଁନୀ ଦୁଇଟାଁ, କୁରୁତିଁକା, ରୋହିଣୀଁ, ମୁରୁଗ ଶିଁରା, ଆରେଦ୍ରାଁ- ଏଁ ବୋଇଲାକିନାଁ କନ୍ୟାଁ ରାଶିଁ ଅଶ୍ୱିନୀଁ ନୈକ୍ଷେତ୍ର । ଫଳହେଲା- କନ୍ୟାଁ ସୁଲଇକ୍ଷଣାଁ ପୁତ୍ରକନ୍ୟାଁ, ଧନ ଧାନ୍ୟଁ, ପୁରୁନାଁ, ଡ଼ାହାଁଣଯାଏଁ ଲକ୍ଷ୍ମୀଁ ବାଁ ଯାଏଁ ହତଁଶିରୀଁ । ଗୁରୁସ୍ତଁ ମାରୀ, ପୁଅଁ କଚାଡ଼ିଁ ।

 

ନାହାକଙ୍କର ଗଣା ଶେଷ ନୋହୁଣୁ ସାଆନ୍ତେ ଗୁରୁଚରଣ ଗାଧେଇ ଆସିଲେ । ଗୁରୁଚରଣ ନାହାକ କତିରେ ବସିଗଲା, କହିଲା, ଅବଧାନେ ମୋ’ ରାଶି କହିବଟି । ନାହାକ ପ୍ରଚକ୍ଷୁ ଟେକି ତା’ ମୁହଁକୁ ଚାହିଁଲା କହିଲା, ‘‘ତମ ନାଁ କହଁ ।’’ ଗୁରୁଚରଣ କହିଲା ‘‘ମୋ ନାଁଟି ଫକୀରା, ମୋ’ ବୋପା ନାଁଟି ଭିକାରିଆଁ, ମୋ’ ଜେଜେ ବାପା ନାଁଟି ଭରତିଆ, ମୋ’ ଅଣଜେଜେ ବାପା ନାଁଟି ଆରତିଆ, ମୋ’ପଣ ଜେଜି ବାପ ନାଁଟି ସାରତିଆ । ୟା କହି ଦଉଡ଼ିଯାଇ ନାହାକର ଚୁଟି ଟାଣି ଦେଲା । ସେତ ପରଚୂଳା ଉପୁଡ଼ିପଇଲା । ନାହାକ ଭିତରୁ ହରି ବାହାରିପଡ଼ି ରତନୀ ଗୋଡ଼ତଳେ ପଡ଼ିଯାଇ କହିଲା, ବୋହୂ ସାଆନ୍ତାଣୀ କ୍ଷମା କର, ବାଳକ କଥାରେ ଦୋଷ ନଧର । ଆମେ ପିଲାଜାତି ଅତି ଅବୁଝା, ତୋଷ ଆମକୁ ଦେଇ ଉଖୁଡ଼ା ଚୂଡ଼ାଭୁଜା ।’’

 

ସେଦିନ ତାଙ୍କ ଘରେ ହେଲା ଭାରି ହସ । ହସି ହସି ସଭିଙ୍କର ପେଟ ପରାସ ହେଲା ।

ସଞ୍ଜବତୀ ଲାଗିଲା । ରତନୀ ବସି ପାନ ଭାଙ୍ଗୁଥିଲା । ଗୁରୁଚରଣ ଆସି କହିଲା, ଆସ ଘରକୁ ଯିବ, ‘‘ଅନାଇଁ ଥିବେ ଶାଶୁ ଶଶୁର ।’’ ରତନୀ ଉଠିପଡ଼ି ଧାଇଁଯାଇ ମଝି ପିଠିରେ ଦୁମକିନା ବିଧାଟିଏ ଦେଲା । ଗୁରୁଚରଣ ହସି ହସି ଦାଣ୍ଡକୁ ପଳାଇଗଲା । ସେହିଦିନୁ ଗୁରୁଚରଣ ଆଉ ହରି ତା’ ସାଙ୍ଗେ ବଢ଼ନ୍ତି ନାହିଁ । ସାଆନ୍ତଙ୍କ ଶିକ୍ଷାରେ ନଅତୁଣ୍ଡୀ ଭାରି ବଦଳି ଗଲା । ଆମ ମଣିଷ ଆଉ ସେ ନୁହେଁ । ଯେମିତି ସଭ୍ୟ, ସେମିତି ଭଲ । ତା’ ଖୋରଣୀପଣ କୁଆଡ଼େ ଗଲା । ସାଆନ୍ତେ ତା’ ପାଇଁ ଗୋଟାଏ ମାଷ୍ଟରାଣୀ ଆଇଁଲେ ଛମାସରେ ସେ ସବୁ ପଢ଼ି ପକେଇଲା । ତାର ଭାରି ବୁଦ୍ଧି, ଯାହା ଧରୁଥାଏ ତା’ ଶିଖୁଥାଏ । ସାଆନ୍ତେ ଘର ପାଖରୁ ଭଲ ସୁଆର ମଗେଇ ତାକୁ ଅନେକ ଅନେକ ପ୍ରକାର ରନ୍ଧାବଢ଼ା ପିଠାପଣା ଶିଖେଇଲେ । ନିଜେ ଗାଉଣା ବାଜଣା ଶିଖେଇଲେ । ଅରଟରେ ସେ ଏଁମିତି ସରୁସୂତା କାଟି ଶିଖିଲା ଯେ ସେ ଗାଁରେ ତା’ଠୁ ବଳି ଆଉ ଭଲ ସୂତା କେହି କାଟି ପାରୁ ନଥିଲେ । ସେ ଦୁଃଖୀ ଘର ଝୁଅ ଏଠି ସୁଖରେ ରହିଲା, ବାର ଚିଜ ପିନ୍ଧିଲା । ଆଉ ସ୍ୱାମୀଟିଏ ଦିଅଁ ଲେଖା । କି କଥାକୁ ତାକୁ ଦୁଃଖ ।

 

କଥା ଲୁଚି ରହିଲା ନାହଁ । ପୁତୁରା ଆଉ ଘରକୁ ବେଶି ଆସୁନାହିଁ । ଘରେ ତାରପରା ବୋହୂ । ନାରେଣୀ ଦେଈ ବଡ଼ ମନ ଦୁଃଖରେ କାଳ କାଟନ୍ତି । କୃଷ୍ଣକୁ ବୋହୂ କଥା କହିଲେ, କୃଷ୍ଣ ମୁହଁ ମୋଡ଼ନ୍ତି, କହନ୍ତି ତୋ ମନ ଇଚ୍ଛା ବୋହୂ କରିଛୁ । ତୋ’ ଘର ଆଲୁଅ କରି ବସିଥାଉ । ଯେ ସ୍ୱାମୀକୁ ମାନିଲା ନାହିଁ ସେ କି ସ୍ତିରୀ । ଘରେ ପାଟ ପତନୀ ପେଡ଼ିରେ ଖୁନ୍ଦା ହେଉଚି, ସିନ୍ଦୂକେ ଅଂଳକାର । ପୋଇଲୀ ପରିବାରୀ ଅଛନ୍ତି ଖଟିବାକୁ । କୋଉ ସୁଖରେ ଊଣା ଯେ ସ୍ୱାମୀ ନ ହେଲେ ଚିନ୍ତା କଣ ?

 

ଉମା ସୁନ୍ଦରୀ ଭାରି ଅଭିମାନୀ । ଅଭିମାନ ଆହୁରି ଗଉଁ ଧରି ବସନ୍ତି । ସେ ବଡ଼ଘର ଝିଅ; ଟିକେ କଥା ହେଲେ କହନ୍ତି ମୋତେ ଛାଡ଼ିଦିଅ ମୁଁ ବାପ ଘରକୁ ଯିବି । ଏଠି ବାର ଲୋକର ବାର ବୋଲଣା ସହି ପାରିବି ନାହିଁ । ମଲା ମୋର, ମୋ’ ବାପରେ କିସର ଅଭାବ ଯେ ଏଠି ପଡ଼ି ପୋଇଲୀଙ୍କ ହାଉଳି କଥା ଶୁଣିବି ?

 

ଥରେ କୃଷ୍ଣ ତା’ କଥାରେ ଭାରି ଖପା ହେଇ ବାପ ଘରକୁ ପଠେଇ ଦେଲେ । ସେହିଦିନୁ ଆସି ଦେଢ଼ ବରଷ ହେଲା ଉମା ବାପ ଘରେ । ଏହି ଭିତରେ ସାଆନ୍ତେ କାହାକୁ ନକହି ନ ବିଚାରି ରତନୀକି ବିଭା ହେଲେ । ହେଲେ କଥାଟା ଲୁଚିବ କୁଆଡୁ । ବିଭା ହବାର ଛ ମାସ ନ ଯାଉଣୁ ଉମା ବାପଘର ଖବର ପାଇଲେ । ଉମା ଏ କଥା ଶୁଣି ପହିଲି ତା’ ମନଟା କେମିତି ହେଇଗଲା, ପରେ କହିଲା, ହ ଯେତଟା ବାହା ହେଲେ ମୋ’ ଗୋଡ଼ ତଳକୁ ତ । ଉମା ମାଁ ସଂସାରି ମଣିଷ । ନାରେଣୀ ଦେଈ ଏ କଥା ଶୁଣି ତାଙ୍କ ମୁଣ୍ଡରେ ଆକାଶ ଛିଣ୍ଡି ପଇଲା । ସେ ସେହିକ୍ଷଣି ସୁଆରୀରେ ବସି, ଆରଦିନ ସକାଳେ ସରଦେଇପୁରରେ ହାଜର ।

 

ଘରେ ଗୋଡ଼ ଦେଲାମାତ୍ରେ ରତନୀକି ଦେଖି ଆଗେ ବହେ ଗାଳିଦେଲେ । ରତନୀ ଆଗ ଶାଶୁର ଚର୍ଚ୍ଚା- ବୁଝିଲା । ସେ କିନ୍ତୁ କାହାରି ପାଣି ଛୁଇଁଲେ ନାହିଁ । କହିଲେ ତୁ କି ଘରବୋଲି କି ଘର ଝୁଅ ତୋ’ ହାତରୁ ପାଣି ଛୁଇଁବି ।’’ ଏ ଅନ୍ୟାୟ କଥା ବରଦାସ୍ତ କରିବା ଭଳି ପ୍ରକୃତି ରତନୀଠି ନଥିଲା ସେ କହିଲା, ‘‘ମୋତେ ମିଛକୁ ଗାଳି ଦିଅନାଁ ତମ ପୁତୁରାକୁ ପଚାର ।’’ ସାଆନ୍ତେ ଘରେ ନଥିଲେ । ଆସି ଶୁଣିଲେ ଅପା ଆସିଛି ପତୁରାକୁ ଦେଖିଲାମାତ୍ରେ ନାରେଣୀ ଦେଈ ଆହୁରି ପାଟିକଲେ । କହିଲେ ମୋତେ ନବିଚାରି, ନପଚାରି ଗୋଟାଏ ଅଇଁଠାଖାଇଘର ଝୁଅକୁ ଆଣି ଆମ ବଁଅଶରେ ପୂରେଇଲୁ । ଆମ ଇଜତ ମହତ ଗଲା; ଆଉ ତୋ’ ହାତରୁ କିଏ ପାଣି ଛୁଇଁବ । ତୁ ପୁଣି ମୋତେ ମୁହଁ ଦେଖାଉଛୁ ।’’ ପୁତୁରା ତା’ କଥାରେ ପାଟି ନ ଫିଟେଇ କହିଲେ, ହଉ ବଜାରକୁ ସରବା ଯିବ ଜଳଖିଆ ଆଣିଦେବ ଖା’ । ବୁଢ଼ି କହିଲା, ନାଁ ମୁଁ ତୋ’ ମୁହଁ ଚାହିଁବିନାହିଁ , ଆଗେ ବତା ଏ ଅଲକ୍ଷିଣୀକି କୋଉଠୁ ଆଣିଛୁ । ତାରପରା ବୋହୂ ତୋତେ ପସନ୍ଦ ହେଲାନାହିଁ, ଏଇ ଚେପଟିନାକି, ଉଚ୍ଚୁକପାଳି ଥନ୍ତଲ ପେଟୀ ତୋର ପସନ୍ଦ ହେଲା । ଆଜି-କାଲିକା ପିଲାଏ ପରା ଭାରି ଅବାଧ୍ୟ । ଆମ ବଶରେ ଅଛନ୍ତି ଯେ ଆମେ କହିମୁଁ ବୋଲିମୁଁ ।’’ ଏହା କହି ବଡ଼ ପାଟିରେ କାନ୍ଦିବାକୁ ଆରମ୍ଭ କଲେ । ତାଙ୍କ ବ୍ୟସ୍ତରେ କୃଷ୍ଣ ତାଙ୍କ ଗୋଡ଼ତଳେ ପଡ଼ିଗଲେ, କହିଲେ ମାଁ ତୁ ଅପା ତୁ, ମାଇଲେ ମାର୍ ଜିଆଇଲେ ଜିଆ । ହେଲେ କଥାଟା ବୁଝ ! ତୁ କହୁଛୁ ତାକୁ ସେ କି ଘର, ହଉ ଆଗକରି କହ ମୁଁ କି ଘର, ମୋ’ ପିଇସା ଦନାର୍ଦ୍ଦନ ଛୋଟରା’ ମାଜଣା ମଙ୍ଗଳପୁରୁ ବାଇଧର ଜେନାର ମାମୁ ପୁଅ ଭାଇଟି । ଆଉ ଏ ବୋହୂ ତାରି ନିଜ ଝିଆରୀ । ପଦନ ଜେନା ଉଦୟ ଜେନା ଏକା ମାଁର ଦି’ପୁଅଟି । ଏ ବୋହୂ ପଦନର ପୁଅ ବିଦିଆର ଝିଅ ।

 

ବୁଢ଼ି ଏତକ ଶୁଣି ଟିକେ ନରମ ହେଲା । ରତନୀ ଆସି ଗୋଡ଼ତଳେ ପଡ଼ି ହାତଧରି ଉଠେଇଲା । ବାରରକମ ଆଣି କତିରେ ବସି ଶାଶୁକୁ ଖୁଆଇଲା । ଶୋଇଲାରୁ ନିଜେ ଯାଇ ଗୋଡ଼ ଘସିଦେଲା । ତା ଶିଷ୍ଟାଚାରରେ ବୁଢ଼ି କ୍ରୋଧ ଭୁଲିଗଲା । ଟିକେ ପ୍ରେମ ହେଇଗଲାରୁ କହିଲା, ୟା ପିଇସାର ବାପ ଆଉ ତୋ’ କକେଇ ବାଇଧର ମାଁ ଏକା ମାଁ ପେଟର ଭାଇଭଉଣୀ । ସେଇ ଲେଖାରେ ତୋ’ ବାପ ମୋ’ ଦିଅର । କୁଷ୍ଟ ବାହାହେଲା ଭଲକଲା ହେଲେ ମୋତେ ଟିକେ ବିଚାରିଥାନ୍ତା କି ଲୋଡ଼ିଥାନ୍ତା ।

 

ଏତିକିବେଳକୁ ହରି ଘର ଭିତରକୁ ପଶି ଆସୁଥିଲା । ଅପା କଥା ତା’ କାନରେ ପଡ଼ିବାରୁ ସେ କହିଲା, ‘‘ତୋତେ ବିଚାରିଥିଲେ ଆମ ବାହାଘରଟା ଆଉ ଉଠିଥାନ୍ତା, ବୋହୂକୁ ସମାନ ବୁଝିଛୁ ପକ୍କ କଜିଆଖୋରଣୀ ନଅତୁଣ୍ଡୀ । ରତନୀ ଲାଜରେ ମୁହଁ ତଳକୁ ପୋତିଲା ।

 

ଚାରିଟାବେଳେ ରତନୀଗଲା ରୋଷେଇ ଶାଳକୁ ରାନ୍ଧି, ଆଉ ଗୁରୁଚରଣ ହରି ବସି ଅପା ଆଗରେ ବାହାଘରର ସବୁ କାରଖାନା ଗୋଟି ଗୋଟି ବୟାନ କଲେ । ବୁଢ଼ୀ ଶୁଣି ହସି ହସି ତା’ ପେଟ ପରାସ । ଝରକାବାଟେ ରତନୀ ଚାହିଁଲା ଶାଶୁ ଭାରି ହସୁଛନ୍ତି । ଦାମା ଆସି କହିଲା, ‘‘ଜାଇଁଲ ସାଆନ୍ତାଣୀ, ଅପା ସାଆନ୍ତାଣିଙ୍କ ଆଗରେ ସାନ ସାଆନ୍ତେ ଆଉ ଗୁରୁଚରଣ ନନା ବାହାଘରର ସବୁ କଥା ବୟାନ କଲେଣି । ରତନୀକି ଶୁଣି ଆହୁରି ଲାଜ ମାଡ଼ିଲା ।

 

ପୁତୁରା କତିରେ ବୁଢ଼ୀ ରହିଲେ, ଦି’ମାସ । ବୋହୂର ଗୁଣକ୍ରିୟାରେ ପହିଲି ପହିଲି ଚିଡ଼ୁଥିଲେ । ତାଙ୍କର ଚିଡ଼ିବାର କାରଣ ରତନୀ ବେଶି ଲାଜ କରୁ ନ ଥିଲା । ସମସ୍ତଙ୍କ ସାଙ୍ଗରେ ମିଳାମିଶା କରୁଥିଲା । କିନ୍ତୁ ଦେଖିଲେ ସେ କାମରେ ଭାରି ଫୁର୍ତ୍ତି, ସ୍ୱାମୀର କଥାରୁ ପାଦେ ଟଳେ ନାହିଁ । ନିଜ ହାତରେ ନ ତିଅଣ, ଦଶ ଭଜା କରି ସ୍ୱାମୀ ଶାଶୁଙ୍କୁ ପରଶୁଛି, ସମସ୍ତେ ଖାଇ ସାରିଲେ ଆପେ ଖାଇ ବସୁଛି । ଚାକରଙ୍କ ଖିଆପିଆ ପ୍ରତି ତାର ଭାରି ଆଖି । କେହି ତା’ କଥାରୁ ବାହାର ନୁହେ । ଘର ଗୋଟାକ ଚଳେଇ ଏଣେ ଦି’ପହରିଆ ବସି ପାଠ ପଢ଼ୁଛି । ନିତି ଘଣ୍ଟାଏ ଅରଟରେ ସୂତା କାଟୁଛି, କଳ ଘରଘର କରି ଜାମା ଜୋଡ଼ ସିଲେଇ କରି ପକଉଛି । କାଁଇଶି ଡ଼ାଲା ଶିଉଁଚି, ଚିତ୍ର ଆଙ୍କୁଚି । କୋଉ କଥାରେ ଊଣା ନୁହେ । ତା’ଠି ପୁଣି ଫେସନ କିଛି ନାହିଁ । ସ୍ୱାମୀର ଇଚ୍ଛା ଯାହା ତା’ ଇଚ୍ଛା ତା’ହି । ତାଠି ଦେଖିବ ନାହିଁ ସରୁଲୁଗା, ବାସନା ତେଲ ଅତର । ତାଠି ଦେଖିବ ନାହିଁ ଅଳସପଣ ।

 

ଦିନେ ସଞ୍ଜୁଆ ପିଇସି ପୁତୁରା ପିଣ୍ଡାରେ ବସି ଦୁଃଖ ସୁଖ ହେଉଛନ୍ତି, ରତନୀ କଥା ପକେଇ ବୁଢ଼ୀ କହିଲେ ‘‘ତୋ ବୋହୂ ନାଁ ରତନୀ, ତା’ ଗୁଣ ରତନ ।’’ ପରେ ଦୀର୍ଘଶ୍ୱାସ ପକେଇ କହିଲେ, ଉମା ଏଇଭଳି ତୋ କଥା ମାନିଥିଲେ ଆଜି କପୁର ଚୁରିଥାନ୍ତା । ହେଲେ ସେ କଣ ଶୁଣିଲା ? ଆଗ ପଛ ବିଚାରିଲା ?

 

କୃଷ୍ଣ ଦୁଃଖରେ କହିଲେ ବଣର ବାଘକୁ ଆଣି ବଶ କଲି । ସେ ବଡ଼ଘର ଝିଅ ହେଇ କୁବୁଦ୍ଧି ଧଇଲା ! ହେଲେ ତାକୁ ମୁଁ ଛାଡ଼ିଦେଇ ନାହିଁ ଟିକେ ଚେତୁ, ତେବେ ଆଣିବି । ନୋହିଲେ ପରଙ୍କୁ ଆମେ କିଆଁ ଉପଦେଶ ଦବୁଁ ? ଆମ ଘରସୁନା ତ ଭେଣ୍ଡୀ, ଆମେ ପରକୁ ତିଆରିବୁଁ, ତମେ ଭଲ ହୁଅ, ସଉକି ଛାଡ଼, ଆପଣା ଦେଶର ମହତ ରଖ । ସେଦିନୁ କହିଥିଲେ ଲୋ ଅପା ବଡ଼ ଘର ଝିଅ ଆଣିବ ନାହିଁ । ବଡ଼ ଘରେ ଝୁଅ ଦେବ । ବଡ଼ଘର ଝୁଅ ଆଣି ଏ ହଟହଟା, ସେ ନା ସ୍ୱାମୀ କି ମାନିଲା, ନାଁ ଶାଶୁକୁ ମାନିଲା । ତାକୁ କି ସ୍ତିରୀ କହିବ ? ସେ ନିତାନ୍ତ ଅଲକ୍ଷ୍ମୀ । ଅଲକ୍ଷ୍ମୀ ପୁରୁଷ ପୁଅକୁ ଆଶ୍ରୟ କଲେ, ପୁରୁଷ ପୁଅ ସଇଲା । ଆମ ଦେଶର ଆଉ ଏଡ଼େ ଦୁର୍ଗତି କାହିଁକି ? ଝିଅଯାକ ଗୃହ ଲକ୍ଷ୍ମୀ ହବା ଦୂରେ ଥାଉ ଅଲକ୍ଷ୍ମୀ ହେଲେଣି । ସ୍ୱାମୀ ଭକ୍ତି ଗଲାଣି । ତାଙ୍କର ଚୁଲ୍ଲିରେ, ଗହଣା ଲୁଗା ହେଲାଣି ସାର ପଦାର୍ଥ । ମୁଁ ଉମାକୁ ଏଇ ଶିକ୍ଷା ଦେବା ମାନସରେ ୟା କଲି--କହିଲି ତ ହେଲା ନାହିଁ । ବୋଲିଲିତ ନାହିଁ । ପଦେ କହିଲେ ଗଳାରେ ଦଉଡ଼ି ଦବାକୁ ଗଲା-। ଟିକେ ଅସନ୍ତୋଷ ହେଲେ ବାପ ଘରକୁ ଧାଇଁଲା । ମୁଁ ଏବେ ମର୍ଦ୍ଦପୁଅ କାହାଁତକ ଜଳାଞ୍ଜଳୀ ହେବି-। ସେହି ଯୋଗୁଁ ଗରିବ ଘର ଝୁଅଟିଏ ବାହା ହେଲି । ସେ ହେଲେ ଗରିବ ଘର । ଆମେ ହେଲୁ ଗାଁ ଜମିଦାର । ଆମ ଘରେ ଆମ ବୋହୂମାନେ ଆମକୁ ଅମାନ୍ୟ କରିବେ ଆଉ ପରଜାଏ ଆମଠୁ ଦେଖି ଶିଖିବେ ତି ! ପ୍ରଜାଙ୍କ ଲାଗି ବିନା ଦୋଷରେ ଜାନକୀ ପରା ସତୀଭାର୍ଯ୍ୟାକୁ ଶ୍ରୀରାମ ବଣକୁ ପଠେଇଲେ । ସ୍ତିରୀ ଆମଠୁ ହାତେ ବଢ଼ିଲେ ଆଉ ଧର୍ମ୍ମ ରହିବ ?

 

ନାରେଣୀ କହିଲେ, ‘‘ହଁରେ ପୁଅ ଏବେ ବୁଝିଚି, ମୁଁଇ ତାକୁ ମୁହଁ ଦେଇ ସର୍ବନାଶ ବାଟରେ ନେଇଚି, ସେତେବେଳେ ମୋଠୁ ମୁହଁ ପାଇ ନ ଥିଲେ କିଜାଣି ଅବା ତୋ’ କଥା ମାନିଥାନ୍ତା । ମୁଁ ତା’ ପକ୍ଷ ହେଲାରୁ ସେ ତ ସମସ୍ତଙ୍କୁ ଗୋଡ଼ରେ ଦଳିଲା । ଏଇଟା ମୋର ବଡ଼ ଭୁଲ ।

କୃଷ୍ଣ କହିଲେ- ଯା’ ହବାର ହେଇଚି, ନେଡ଼ି ଗୁଡ଼ କହୁଣୀକି ବୋହି ଗଲାଣୀ । ହେଲେ ସେବି ବୋହୂ । ମୁଁ ତାକୁ ଫୋପାଡ଼ି ଦେବିନାହିଁ । ଯେତେ ଦିନ ରାଗରେ ବାପ ଘରେ ଅଛି ଥାଉ । ରାଗ ଭାଙ୍ଗିଲେ ଆସିବ । ନାରେଣୀ ଦେଈ ଦୁଃଖରେ ଦୀର୍ଘଶ୍ୱାଃସଟିଏ ପକେଇ କହିଲେ- ଆଉ ରାଗ କଣ ସଦାଦିନ ରହିବ । ମୁଁ ବୁଢ଼ୀ ହେଲିଣି, ଆଜି ଅଛି କାଲି ନ ଥିବି, ହେଲେ ମୋ’ ରାଣ ତାକୁ ମୋଟେ ଫୋପାଡ଼ିଦବୁ ନାହିଁ । ପାତର ଅନ୍ତର କରିବୁ ନାହିଁ । ତା’ ମାଫିକେ ତାକୁ ଚଳେଇବୁ-। କୃଷ୍ଣ ହଁ ଭରିଲେ । ବୁଢ଼ୀ ତୋଷ ହୋଇ ଜପ କରିବାକୁ ଉଠିଗଲେ । ରତନୀ ଶାଶୁର ଜପ କରିବା ଥାନଟି ଆପଣା ହାତରେ ପରିଷ୍କାର କରି କୋଥଳୀ ଥୋଇ ଫୁଲ ତୁଳସୀ ପତ୍ର ସଜାଡ଼ି ରଖିଥିଲା । ବୁଢ଼ୀ ତାର ଭକ୍ତି ଦେଖି କହିଲେ ମୁଁ କଲ୍ୟାଣ କରୁଚି ତୁ ଯେମିତି ସଭିଙ୍କ ମନ ନେଇଚୁ ପରିମେଶ୍ୱର ସେମିତି ଏକା ତୋତେ ଉତ୍ତମ ସୁନ୍ଦର ବାଳକ ଦିଅନ୍ତୁ ।’’

 

ଏମିତି ୟାଙ୍କ ଦିନ କଟିଲା । ହେଲେ ଗେଲ୍‌ହୀ ଖବର କଣ ବୁଝିବା । ରତନୀ ବାହାଦିନୁ ଗେଲ୍‌ହୀ ମନ ସୁଖ ନଥାଏ । ଦିନ ରାତି ଲୋକାକୁ ଶୋଧୁଥାଏ । କଜିଆ କରୁଥାଏ, ଆଉ କାନ୍ଦୁଥାଏ । ଲୋକା ଭାବିଲା ଆଉ ନୁଚେଇବା ଭଲ ନୁହେ । ଗୋଟିଏ ସୁଆରୀ ବନ୍ଦୋବସ୍ତ କଲା । କହିଲା, ମାଉସି ଚାଲ୍‌ ତୋ’ ଝିଅକୁ ଦେଖି ଆସିବୁ । ଗେଲ୍‌ହୀ ପହିଲି ପହିଲି ନାହିଁ କଲା । ମୋ’ ଝିଅ ମଲାଣି । କହି ଗାଳି ଦେଲା । ହେଲେ ଲୋକା ବଳାଜୋରି କରି ନେଇଗଲା । ପାଲିଙ୍କି ପହଞ୍ଚିଲା ସିଧା ଜମିଦାର ଓଆସରେ । ଗେଲ୍‌ହୀ କୋଠାବାଡ଼ି ଦେଖି କହିଲା, ‘‘ହଇରେ ଏଠି କୋଉଠି ଆଇଲୁଁ ? ଏଠି ରତନୀ ଅଛି ? ଲୋକା କହିଲା ଏଇଠି ଅଛି,’’ ଏ ସବୁ କୋଠାବାଡ଼ି ତାର-। ଗେଲ୍‌ହୀ ତ ଅବାକ୍‌। ମଝି ଅଗଣାକୁ ପଶିଗଲା ମାତ୍ରେ ଦେଖିଲା ରତନୀ ଖଣ୍ଡେ ମଠାଲୁଗା ପିନ୍ଧି ଚଉରାମୂଳେ ପୂଜା କରୁଛି । ତା’ ଦେହରେ ସୁନାରୂପା ଅଳଙ୍କାର ପୂରୀ ରହିଛି । ହାତରେ ମୁଠାଏ ସୁନା ଚୁଡ଼ି, ଖଡ଼ୁ, କାନରେ ସୁନାଫୁଲ, ବେକରେ ସୁନାମାଳ, ଗୋଡ଼ରେ ପାଉଁଜି, ଅଣ୍ଟାରେ ସରୁ ତାରାହାର । ସେତେ ଢଙ୍ଗର ଅଳଂକାର ବି କେବେ ଦେଖି ନ ଥିଲା । ତା’ ଆଖି ଖସି ପଇଲା-। ମାଁକୁ ଅନେଇ ଦେଇ ରତନୀର ଛାତି କୁଣ୍ଢେ ହେଲା । ଜମିଦାର ଜୁଆଁଇ ପାଇ ଗେଲ୍‌ହୀ ମହାଆନନ୍ଦ । ହେଲେ ବେଶି ଦିନ ଝିଅ କତିରେ ରହିଲାନାହିଁ । ସେହିଟା ଦାଣ୍ଡକୁ ଅଶୋଭା ଭାବି କୃଷ୍ଣଚନ୍ଦ୍ର ନିଜେ ତା’ ପାଇଁ ଲୋକା ଘର କତିରେ କୋଠା ଦି’ବଖରା କରିଦେଲେ । ପରମା ଆଉ ସତିଆ ମାକୁ ସାଙ୍ଗରେ ଦେଲେ । ବୁଢ଼ୀ ସୁଖରେ ବସି ଖାଇଲା । ତା’ ଖୋରଣୀପଣ ତୁଟିଗଲା । ବାଇଧର ଘର ଏ ଖବର ପାଇଲେ । ଏତେ ଦିନ ଗେଲ୍‌ହୀକି ପଚାରୁ ନ ଥିଲେ । ଏଥର ତା’ ଝିଅ ଜମିଦାରକୁ ବିଭା ହୋଇଛି ଶୁଣି ବଳେ ବଳେ ଯାଇ ତା’ ସଙ୍ଗେ ମିଶିଲେ । ଗେଲ୍‌ହୀ ମଧ୍ୟ ପୂର୍ବରାଗ ଭୁଲିଗଲା ।

 

ସେତେବେଳକୁ ବାଇଧରର ଉତ୍ତମା ବୋଲି ଷୋଳବରଷର ଭାରି ସୁନ୍ଦରୀ ଝିଅଟିଏ ଥାଏ-। ଗେଲ୍‌ହୀ ଠିକଣା କରି, ଝିଅକୁ ପଟେଇ ଶେଷକୁ ତାକୁ ହରିକି ଦି’ହାତ କଲେ । ଗୁରୁଚରଣକୁ ବି ଗୋଟାଏ ବାହା କରି ଦେଲେ । ତା’ ଭାରିଯା ନାଁଟି ମଞ୍ଜୁଳା । ଭାରିସୁନ୍ଦରୀ, ବାହାଘର ହେଲା । ଭାରି ଆନନ୍ଦ ହେଲା । ଏକା ଏଇଟା ପୁଣି ତାଙ୍କ ବଂଅଶର ଶେଷ ବାହାଘର । ବାହାଘରେ କଣ କରିବେ, ବଳେ ବଳେ ବଡ଼ ବୋହୂ ଉମାସୁନ୍ଦରୀକି ଆଣିଲେ । ଉମା ସାନ ସଉତୁଣୀକି ଦେଖି ପହିଲି ଭାରି ବିରସ ହେଲା । ପରେ ରତନୀ ତାକୁ ଆଦର କରି ବଡ଼ ଭଉଣୀପରି ମାନ୍ୟଯତ୍ନ କରି କତିରେ ରଖିଲା । ତାର ବି ମତି ଗତି ଫେରିଲା ।

 

କିଛିଦିନ ପରେ ରତନୀର ପୁଅଟିଏ ହେଲା । ବାପ ଆଦର କରି ନାଁ ଦେଲେ ହେମଚନ୍ଦ୍ର । ସୁଖର ସୀମା ରହିଲାନାହିଁ । ଦି’ ସଉତୁଣୀ ସ୍ୱାମୀର ମନ ଯହିଁରେ ସୁଖ ହବ ସେହି କଥା କରି ଚଳିଲେ । କୃଷ୍ଣ ବି ପାତର ଅନ୍ତର କଲେ ନାହିଁ । ଦୁହିଙ୍କର ପିଲାପିଲିରେ ଘର ପୂରିଲା ।

 

ସାତ କଥା

 

ଆଗରୁ ଶୁଣିଛ କୃଷ୍ଣବାବୁ ବାପ ଯଦୁମଣିଙ୍କର ଦୁଇ ସଂସାରଥିଲା । ସେ ମଲାବେଳେ ବଡ଼ ଭାରିଯା ପୁଅଙ୍କୁ ଜ୍ୟେଷ୍ଠ ଭାଗ, ସାନ ଭାରିଯା ପୁଅକୁ ସାନ ଭାଗ ଦେଇ ଯାଇଥିଲେ । ବଡ଼ ପୁଅ ଶିବ ସବୁ ବୁଝୁଥିଲେ । ଶିବଙ୍କର କାଳ ହେଇଗଲା । ତାଙ୍କ ବୋହୂ ଯାଇ ବାପଘରେ ଉଠିଲେ । ତାଙ୍କର ପିଲାପିଲି ନଥିଲା । ସେହି ସକାଶୁ ଶାଶୁ ମୋଟେ ତାଙ୍କୁ ଦେଖିପାରୁ ନଥିଲେ । ନବୀନ ତ ସନ୍ନ୍ୟାସୀ ହେଇ କୁଆଡ଼େ ଗଲେ ତା’ ଠିକଣାନାହିଁ । ବଡ଼ ଭାଗତକ ଦି’ ବାଣ୍ଟ ହେଇ ଗୋବିନ୍ଦ ଆଉ ବୀର ପାଇଲେ । ସାନଭାଗ ବାଣ୍ଟ ବଖରା ହେଲାନାହିଁ । କୃଷ୍ଣ ହେଲେ ଜମିଦାର, ହରି ବଡ଼ ଭାଇଙ୍କି ମାନି ଚଳିଲେ । ତାଙ୍କ କଚେରୀ ହେଲା ସରଦେଈପୁର । ସେଠି, ଉମା ରତନୀ ଆଉ ଉମା ରହିଲେ, ସୁଖରେ ଘର କଲେ ।

 

କୃଷ୍ଣବାବୁ ଭାରି ଦେଶଭକ୍ତ । କେମିତି ଆମ ଦେଶର ଭଲ ହେବ ଏଇଟା ତାଙ୍କର ଭାରି ଭାଳେଣି ଥାଏ । ସେ ଆପଣା ରାଇଜର ଭାରି ଉନ୍ନତି କଲେ । ଠା’ଠା’ କୂଅ ଖୋଳେଇଲେ, ଠା’ଠା’ ପୋଖରୀ ଖୋଳେଇଲେ, ଠା’ଠା’ ବାଗ୍‌ବଗିଚା କଲେ, ନୂଆ ନୂଆ ନଡ଼ିଆମାଳ, ଗୁଆମାଳ, ଆମ୍ୱତୋଟା ସବୁହେଲା । ତାଙ୍କର ହୁକୁମଥିଲା, ତାଙ୍କ ଇଲାକାରେ ଧାନ ଚାଉଳ ଅନ୍ୟଆଡ଼େ ଯିବନାହିଁ । ତେବେ ଯଦି ଧାନ ମହଙ୍ଗାହେଲା ଗରିବ ପ୍ରଜାଙ୍କ ଖଞ୍ଜଣା ମାଫି କଲେ, କୋଠରୁ ଧାନ ଦେଇ ତାଙ୍କ ପରିବାର ପୋଷିଲେ । ତାଙ୍କ ରାଇଜର ଛତିଶପାଟକ ଜାତି ଏକାଠି ମିଳିମିଶି ରହିଲେ-। ହେଲେ ଏକଥା ସବୁ ଏକା ଦିନକରେ ହେଇନଥିଲା । ଅନେକ ଟଙ୍କା ଖରଚ ଅନେକ ପରିଶ୍ରମ ପରେ ହେଲା । ପହିଲି କଣ ହେଲା ଶୁଣ । ସାଆନ୍ତେ ଦେଖିଲେ ପ୍ରଜାଏ ବଡ଼ ମୂର୍ଖ ! ୟାଙ୍କୁ ବିଦ୍ୟା ନ ଦେଲେ ତ ୟାଙ୍କୁ ଯେତେ ମାଠୁଥିବ ମାଠ୍‌ ସେହି ଦରପୋଡ଼ା କାଠ୍‌ ହେଇଁ ରହିବେ-। ୟା ଭାବି ଆପଣା ଇଲାକାରେ ଚାହାଳିଗୁଡ଼ିଏ ବସେଇ ଦେଲେ । ଅବଧାନ ସବୁ ରହିଲେ । ସେଠି ଓଡ଼ିଆ ପାଠ, ଅଙ୍କ, ପଟ୍ଟା ପାଉତୀ ପଢ଼ିବା ଏଇସବୁ ଶିକ୍ଷା ହୁଏ । ଆଉ ଗାଁଯାକ ହୁକୁମ ଦେଲେ ସଭିଏଁ ମାଗଣାରେ ଆପଣା ପିଲାଙ୍କୁ ସେଠି ପାଠ ପଢ଼ିବାକୁ ଛାଡ଼ିବେ । ନୋହିଲେ ଜୋରିମାନା । ଅବଧାନଙ୍କୁ କୋଠରୁ ଦରମା ମିଳିଲା । ଏହିପରି ପନ୍ଦରଟା ଷୋଳଟା ଚାହାଳି ବସିଲା । ପୁଅ ଝିଅ ସେଠି ସଭିଏଁ ଏକାଠି ପଢ଼ନ୍ତି । ପଢ଼ା ଖାଲି ଦୁଇ ଚାରି ବର୍ଷ ଯାକ । କିଲାସ ଉଠିଲେ କାଗଜ ନାହିଁକି ସାଟିଫିକେଟ ନାହିଁ । ବାବୁଙ୍କ ମତରେ ପାଠ ଘୋଷି ପରୀକ୍ଷାରେ ଲେଖି ଦେଇ ଗୋଟାଏ କାଗଜ ପାଇଲେ କିଛି ଦିଗ୍ଗଜ ପଣ୍ଡିତ ହବନାହିଁ । ପେଟରେ ପାଠଥିଲେ ଗଲା । ଓଡ଼ିଆଙ୍କୁ ଏ ପାଠ ବଡ଼ ଆରେଇଲା । କେତେଟା ବରଷ ପରେ ତାଙ୍କ ରାଇଜରେ ଆଉ କେହି ନିରକ୍ଷର ରହିଲେନାହିଁ-। ତାଡ଼ି ଖଟି ସବୁ ଉଠିଗଲା । ଗାଁ ଗାଁ ଭାଗବତ ଘର ବସିଲା । ସେଠି ନିତି ସନ୍ଧ୍ୟା ବ୍ରାହ୍ମଣ ପୋଥି ବୋଲିଲେ । ଗାଁବାଲା ଆସି ଶୁଣିଲେ । ଆଗ କାଳର ରାମଲକ୍ଷ୍ମଣ, ପଞ୍ଚୁପାଣ୍ଡବ ଆଦି କଥା ଶୁଣି ତାଙ୍କ ମନବି ଭଲ ହେଲା । ଭାଗବତ ଶୁଣିବାକୁ ବୁଢ଼ାମାନେ ବି ମେଳହେଲେ । ଭାଗବତ କୋଠରୁ ଖଞ୍ଜା ଆଉ ବରତନ ମିଳିଲା । ସେହିଠି ପାଞ୍ଚି ପଞ୍ଚୁ ନ୍ୟାୟ ନିଷାପକ କଲେ ।

 

ସେମିତି ପଠାଣସାହିମାନଙ୍କରେ ଗୋଟିଏ ଲେଖା ପଠାଣୀ ମୋଖତବ୍‌ ବସିଲା । ସେଠି ପଠାଣ ପିଲାଏ ମୌଲବି ପାଖରେ ଊର୍ଦ୍ଧୁ ଆରବୀ ପଢ଼ିଲେ । ସେହି ମୌଲବି ପୁଣି ତାଙ୍କୁ କୋରାଣ ପଢ଼ି ଶୁଣାଇଁଲେ ।

 

ପ୍ରତି ଗାଁରେ ଗୋଟିଏ ଖେଳ ଆଖଡ଼ା ହେଲା, ସେଠି ନିତିନାଁ ଶନିବାର ରବିବାର ଗାଁ ପିଲାଏ ଖେଳ ଦେଖେଇଲେ । କୁସ୍ତି ନଢ଼ିଲେ । ଜମିଦାର ପ୍ରଜାଙ୍କ ମନ ନବାରୁ ପ୍ରଜାବି ପାଞ୍ଚ କାମରେ ତାଙ୍କର ସାହାପକ୍ଷ ହେଲେ । ସାଆନ୍ତେ ଗାଁ ଗାଁରେ ଗୋଟିଏ ସାଧାରଣ ଚାନ୍ଦା ଖାତାଖୋଲି ସେ ଗାଁର ପାଞ୍ଚ ଭଲଲୋକେ ହାତରେ ସମର୍ପି ଦେଲେ । ସେଥିରେ ସେ ଗାଁର ଉନ୍ନତି ସକାଶେ ଯେ ଯାହା ସମର୍ପି ଦେଲେ । ସେଥିରେ ସେ ଗାଁର ଉନ୍ନତି ସକାଶେ ଯେ ଯାହା ସ୍ୱଚ୍ଛମନରେ ଦେଲା ସେହି ପାଞ୍ଚ ପଇସା ରହିଲା ଗାଁରେ କୂଅ ଖୋଳା ହଉ, ଗରୀବ ଦୁଃଖୀ ସକାଶେ ହଉ, ରୋଗ ବଇରାଗ ସକାଶେ ହଉ ସେଇ ପାଣ୍ଠିରୁ ଖରଚ ହଉଥିଲା । କାହା ଘରେ ନିଆଁ ଲାଗିଗଲା । ତାର ସର୍ବସ୍ୱ ପୋଡ଼ି ଜଳିଗଲା । ସେ ସେହିଥିରୁ ଘର ବନେଇବାକୁ ଟଙ୍କା ସାହାଯ୍ୟ ପାଇଲା । ଗାଁ ଗାଁ ପୁଣି ଅରଟ ଘର ବସିଲା । ଲୋକେ ସେଠି ସୂତାକାଟି ଶିଖିଲେ । ଖାଲି ଏତିକି ନୁହଁ ମାଇପି ଲୋକେ କେମିତି ଭଲ ହେବେ ଏ କଥାରେ ସାଆନ୍ତଙ୍କର ଭାରି ଚିନ୍ତା ଥାଏ । ହିନ୍ଦୁଘରେ ପଠାଣ ଘରେ ତ ଭାରି ପରଦା ସେ ତ ପଦାକୁ ବାହାରି ପାରିବେନାହିଁ । ଦେଶ ଚିନ୍ତା ତାଙ୍କୁ ପୁଣି କିଆଁ ଲାଗିବ । ହେଲେ ସାଆନ୍ତେ ଗୋଟାଏ ଉପାୟ କଲେ । ଭାବିଲେ, ନାହିଁ ମାମୁରୁ କଣା ମାମୁ ଭଲ । ଦିନେ ରତନୀକି ପାଖରେ ବସେଇ ମନକଥା କହିଲେ । କହିଲେ ଦେଖ ମୁଁ ସିନା ମରଦ ପୁଅଙ୍କ ସକାଶେ ବାର କଥା କରିବି । ଝିଅଙ୍କ କଥା ତମ ଦିହିଙ୍କି ଲାଗିଲା । ତେମେ ସବୁ ଗାଁ ସ୍ତିରୀଙ୍କି ଆପଣା ଉଆସକୁ ପାଲିଙ୍କି ପଠେଇ ସମିଏ ସମିଏ ଆଣି ତାଙ୍କ ସଙ୍ଗେ କଥା ଭାଷା ହୁଅ । ଗ୍ରାମୋଫୋନ୍‌ ବଜେଇ ତାଙ୍କୁ ଶୁଣାଅ ପୂଣ୍ୟ ପର୍ବଦିନ ବଡ଼ ଘର ବୋହୂ ଝିଅଙ୍କୁ ନିମନ୍ତ୍ରଣ କର ତାଙ୍କ ସାଙ୍ଗେ ପାଞ୍ଚ କଥା ହୁଅ । ସେହିମାନେ ଭଲହେଲେ ଆମ ଦେଶଟା ଭଲ ହେବ ।’’

 

ବାବୁଙ୍କ କଥାରେ ରତନୀ ମହାଆନନ୍ଦ ହେଲା । ସେଠୁ ସେ, ଉମା ଆଉ ଉତ୍ତମା ମିଶି ନିତି ସନ୍ଧ୍ୟାରେ ଗାଁ ସ୍ତିରୀଙ୍କି ଆଣି ଗ୍ରାମୋଫୋନ୍‌ ଶୁଣେଇଲେ । ସେଠି ବସି ପାଞ୍ଚକଥା ପକେଇଲେ । କଥା ଭିତରେ ତାଙ୍କୁ ନାନାଶିକ୍ଷା ଦେଲେ । ଆପଣା ଦେଶ କେମିତି ଭଲ ହବ, ଲୋକେ ଆପଣା ଦେଶ ନିଜ ବେଭାର କଲେ କଣ ଫଳ ହବ ସେ ସବୁ କହିଲେ ।

ଦିନେ ମହାପାତ୍ର ଘର ବୋହୂ ଝିଅ ଆସିଥାନ୍ତି ଗ୍ରାମୋଫୋନ୍‌ ଶୁଣି । ସେମାନେ ଭାରି ବଡ଼ଲୋକ ଜାତିରେ ବ୍ରାହ୍ମଣ । ଆଉ ତାଙ୍କ ଘର ପୁଅମାନେ ବଡ଼ ଚାକିରିଆ । ସେମାନେ କୃଷ୍ଣବାବୁ ଘରକୁ ଚଷାବୋଲି ପଛାଡ଼େ ଟାପରା କରନ୍ତି । ସେଦିନ ତାଙ୍କ ବୋହୂମାନଙ୍କୁ ଦେଖି ଆଗ ଖୁବ ଗୁଡ଼ାଏ ହସିଲେ । ଏ ତାର ସେ ତାର ଆଖି ଠରାଠରୀ ହେଲେ । କଥା କଣ ନାଁ ଏମାନେ କେଡ଼େ ଭେସେଡ଼ା ମୋଟରା ଖଦି ଲୁଗା ସବୁ ପିନ୍ଧିଛନ୍ତି । ‘‘ତାଙ୍କ ହସ ତାଙ୍କ ଢ଼ଙ୍ଗରେ ରତନୀ ମନେ ମନେ ଦୁଃଖିହୋଇ କହିଲା, ‘‘ମାଉସୀ କି କଥା ଦେଖି ହସିଲ ? ‘‘ମାଉସୀ ହଉଛନ୍ତି ମାହପାତ୍ରଙ୍କ ଭାରିଯା-। ସେ କହିଲେ, ‘‘ତେମେ ସବୁ ଯୋଉ ଅଖା ପିନ୍ଧିଚ, ତାକୁ ଦେଖି ଆମେ ହସିଲୁ । ୟାକୁ କେମିତି ବୋହିବ, ଚମ ଛିଣ୍ଡି ଯାଉଥିବ, ଅଣ୍ଟା କାଟି ହୁଏ ନାହିଁ ?’’ ରତନୀ ସରଳ, ସେ କହିଲା, ଆମେ ଜାତି ଚଷା, ଆମ ଚଉଁଦ ପୁରୁଷ ମୋଟ ଖଦି ପିନ୍ଧି ଆସିଛନ୍ତି । ଏ ହେଲା ଆମ ବାରି କପାରୁ ତିଆରୀ । ମୁଁ ନିଜେ କାଟିଚି । ଆମେ ଲାଜ ଘୋଡ଼େଇବାପାଇଁ ପର ଦୁଆରକୁ ଯିମୁଁ କିଆଁ?

 

ମାଉସୀ ବିଦ୍ରୁପରେ ହସି ଦେଇ କହିଲେ, ‘‘ଏବେ ବୁଝିଲି ତେମେ ସବୁ ନନାଙ୍କ ଅପରେସନ ହେଇଁଚ । ହେଲେ ମୁଣ୍ଡବାଡ଼େଇ ଦେଲେ ବି ଆମ ଦି’ହାତରେ ଏ ମୋଟ ଖଦି ଚଳିବ ନାହିଁ । ମାଁ ଲୋ ଦେହ ଲସେଇ ପଡ଼ିବ ।’’

ଉମା ଥିରଭାବରେ କହିଲା, ‘‘ମୁଁ ବି ଆଗରେ ସେହିକଥା କହୁଥିଲି, ମାଉସୀ ହେଲେ ଆଜିକାଲି ସୁଖରେ ମୋଟା ପିନ୍ଧୁଛି । ବିଲାତୀ ଲୁଗା ଖଣ୍ଡେ ମୋ, ପେଡ଼ିରେ ପାଇବ ନାହିଁ ।’’

 

ଉମା ଭାରି ଖାନଦାନ ଘର ଝୁଅ କଥା ଶୁଣି ମାଉସୀ ଆଉ କିଛି କହିଲେ ନାହିଁ ।

 

ସେମିତି ସେଦିନ ପଟ୍ଟନାୟକ ଘର ଆସିଥାନ୍ତି । ତାଙ୍କ ବଂଶର ସ୍ତ୍ରୀମାନେ ପରଚର୍ଚ୍ଚା ପରନିନ୍ଦାକୁ ସମ୍ୱଳ କରି ବୁଲନ୍ତି । ଯୋଉଠି ବସିଲେ ସେଠି ପରଚର୍ଚ୍ଚା ପରଘରର ପାଞ୍ଚକଥା । ଗଲା ଝିଅରୁ ବୋହୂରୁ, ଶାଶୁ ପର୍ଯ୍ୟନ୍ତେ; କେହି କାହାକୁ ଊଣା ନୁହନ୍ତି । ସେମାନେ ଭାବିଥିଲେ ୟାଙ୍କ ଘରବି ସେହିପରି ହେଇଥିବେ । କଥାପଡ଼ୁ ପଡ଼ୁ ପଟ୍ଟନାୟକ ଭାରିଯା ସୁଲକ୍ଷଣା କହିଲେ ହଇକିଏ ଶୁଣିଚ ତେମେ ସବୁ ଦୋପଟି ଜଗମୋହନ ଝିଅ କଥା ! ସେପରା ରାତିରାତି ଲୁଚି ଶାଶୁ ଘରୁ ପଳେଇ ଆଇଚି ।’’ ରତନୀ ଉତ୍ତର କଲା, ଆମଚିନ୍ତା ଆମକୁ ଗରୁ ପରଘର ଚିନ୍ତାରେ ଆମକୁ କିସ ମିଳିବ । ମୁଁ ଶୁଣିଯାଏ ନାଁ । ସେ ସବୁକଥା ସୁଲକ୍ଷଣା ଟିକେ ଅପ୍ରସ୍ତୁତ ହେଇ କହିଲେ, ‘‘ତମର ସବୁ କି ଚିନ୍ତା ବା ! ପୋଲାରେ ଖାଇ ମେଲାରେ ଶୋଉଚ । ଅଣ୍ଡିରାଙ୍କଦେରେ ବାହାରେ ବୁଲୁଚ, ବାଜଣା ବଜଉଚ, ନାଟ ତାମାସା କରୁଚ ।’’ ରତନୀ ଏକଥା ଶୁଣି ମନେ ମନେ ବିରକ୍ତ ହେଲା । ହେଲେ ଆପଣାକୁ ସମାଳି ନେଇ କହିଲା’’ ଯାନି ! ଆମେ ଅଣ୍ଡିରାଙ୍କ ଦେରେ ପଦାକୁ ବାହାରୁଚୁ ସତ, ସେଥିରେ ପାଞ୍ଚ ଭଲ କାମ ହଉଚି । ଗରିବଗୁରୁବା ଘରକୁ ଯାଇ ରୋଗୀ ଦୁଃଖିଙ୍କି ଦେଖୁ, ପ୍ରଜାଙ୍କ ହାନିଲାଭ ବୁଝୁ, ହେଲେ ଘରେ ବସି ପରଚର୍ଚ୍ଚା ଆମକୁ ପୋଷାଏ ନାହିଁ । ପତି ପରିମେଶ୍ୱର କହନ୍ତି ନେଇଁ ପରନିନ୍ଦା କଲେ ନର୍କେବାସ । କାହାରେ ଭଲ କହିଁବୁଁ ହଁ ଶୁଣିଲା ବାଲା ତୋଷ୍‌, କହିଲା ବାଲା ତୋଷ୍‌।’’ ପଟ୍ଟନାୟକ ଭଉଣୀ କଳାବତୀ ରତନୀ କଥାଶୁଣି ବାଆଁରେଇ ହେଇ କହିଲେ, ‘‘ହଁ ସେ କଥାରୁ କି ଖାଇବ । ଏ ବୋହୂଟା ବଡ଼ ସରଳିଆ, ତା’ ପେଟରେ କଥାରହେ । ତାର ଜାଗା ଅଜାଗା ନାହିଁ । ଛାଡ଼ ଛାଡ଼ ସେ କଥା । ହଇକିଏ ହେମବୋଉ, ତମଘରେ କୁଆଡ଼େ ଆପଣା ହାତରେ ସୂତା କାଟୁଚ ସବୁ । ଏତେ ସୂତା କଣକର ? ରତନୀ ହସି ହସି କହିଲା ସୁଖଲାଗେ କାଟୁ, ତନ୍ତିକି ଦେଇ ଲୁଗାବୁଣେଇ ପିନ୍ଧୁ; ଖଦି ଭଣ୍ଡାରମାନଙ୍କୁ ଆମର ସୂତାଚାନ୍ଦା ଯାଏ ।’’ ପଟ୍ଟନାୟକ ମାଁ ବୁଢ଼ୀ ଯଶୋଦାମଣି କହିଲେ, ‘‘ହ, ଏଇ ମୋଟ ନୁଗାରେ ଏକା ଗାନ୍ଧି ମହାତ୍ମା ଦେଶ ଉଦ୍ଧାର କରି ପକେଇବେ । ମୋର ବିଶ୍ୱାସ ନାହିଁ । ଯୋଉଁ ଅଖାଦେରେ ହେଇଁଚି, କେମିତି ସମାଳିବ ଆଗ ।’’

 

ଉତ୍ତମା କହିଲା, ଆମର ଅଭ୍ୟାସ ହେଲାଣି, ଅଖାହଉ କଥାହଉ ଆମ ଦେଶରେ ଯେତେବେଳେ ସରୁ ଲୁଗା ନାହିଁ । ଆମେ କୋଉଠୁ ଆଣିମୁଁ ‘‘ଯେ ଦେଶ ଯାଇ ସେ ଫଳ ଖାଇ ।’’ ପଟ୍ଟନାୟକ ସାନଝିଅ ଚନ୍ଦ୍ରାବତୀ ଆଶ୍ଚର୍ଯ୍ୟ ହେଇଁ କହିଁଲା, ‘‘କିଆଁ ଏଇ ମୁଁ ତ ସରୁନୁଗା ପିନ୍ଧିଚି, ଦୋକାନରେ ଯାହାକୁ ଯେତେ ।’’ ଉମା କହିଲା, ସେ କଣ ଆମଦେଶ ନୁଗା ? ସେତ ଅନ୍ୟ ଦେଶରୁ ଆଉଚି, ଆମ ପେଡ଼ି ପଇସାରେ ଆମେ କିଆଁ ପରଲୁଗା କିଣିମୁଁ ? ରମା କହିଲା- ସେଥିରେ ହେଲାକଣ, ନୁଗା ତ ପିନ୍ଧିବ, ଆମଦେଶ କଣ ତମ ଦେଶ କଣ ? ଆମ ଦେଶ ନୁଗାରେ କଣ ପଇସା ଖର୍ଚ୍ଚ ନୁହଁ ?

 

ରତନୀ କହିଲା ଖଦିରେ ତ ବେଶି ଖରଚ । ଖରଚ ସକାଶେ କିଛି କଥାନାହିଁ । ପଇସାଟା ଆମ ଦେଶରୁ ଯାଇ ବିଦେଶରେ ରହୁଛି ଆମେ ପରା ଦରିଦ୍ର ହଉଚେଁ, ଓଳିଏ ଖାଇବାକୁ ପାଇଲେ ଆଉ ଓଳିକି ଦାନା ନାହିଁ । ଖାଲିକଣ ନୁଗା, କାଚକୁହ, ସିନ୍ଦୂର କୁହ, ଚିନିକୁହ, ନୁଣକୁହ, ଛୁରୀକୁହ, କଇଁଚିକୁହ ନିଆଁକାଠି ଆଦିକରି ଆମକୁପରା ପର ଦୁଆରେ ହାତପତେଇ ଆଣିବାକୁ ହଉଚି । ହାତ ପତେଇଲାଠୁ ହୀନ ଅଛି ? ଆମ ବାବୁଙ୍କର ଏ ସବୁ ଶିକ୍ଷା ।

 

ବୁଢ଼ୀ ଯଶୋଦାମଣି କହିଲେ, ‘‘ତମପାଠ ତେମେ ବୁଝ, ହେଉ ଲୋ ମାଁ ତେମେ ଏକା ଦେଶ ଉଦ୍ଧାର କରି ସ୍ୱରଗ ଯିବ, ଆମେ ନର୍କରେ ପଡ଼ି ଘାଣ୍ଟି ହମୁଁ ।’’

 

ତାଙ୍କ ପଣ୍ଡିତ କଥାଶୁଣି ତାଙ୍କଝିଅ ଗୁଲବଦନୀ କହିଲା, ‘‘ବାବା ଗାନ୍ଧୀ ନୁହନ୍ତି, କି ଦିଅ ଦେବତା ନୁହନ୍ତି, ଆମେ କଥାଟା ଭଲ ବୋଲି ମାନିମୁଁ ସତ, ହେଲେ ଏଡ଼ିକି ମୋଟରା କନ୍ଥା ଦିହରେ ଦେଇ ସମାଳି ପାଇଲେ ତ ହବ । ମୁଁ ତ ଗରମରେ ମୂର୍ଚ୍ଛାଯିବି ମୋ ଦି’ ହାତିରେ ତା’ ଚଳିବ ନାହିଁ । ତା’ କଥା ଶୁଣି ଏମାନେ ତୁନି । ଆଉ କହିବେ କଣ ?

 

ଏମିତି କିଛିଦିନ ଗଲା । ପଠାଣଙ୍କ ଇଦ ପଇଲା । ସେଥର ପଠାଣ ସାହୀରେ ସଭିଏଁ ଗୋରୁ କୋରବାଣୀ କରିବାଲାଗି ଠିକଣା କରିଥାନ୍ତି । ହିନ୍ଦୁ ଟୋକାଙ୍କ କାନରେ ଏ କଥା ପଡ଼ିଗଲା-। ପଠାଣ ଯେତେବେଳେ ଗାଈ ବେକରେ ଫୁଲମାଳହାରିକା ପକେଇ ମହାମଉଛବ କରି କୋରବାଣୀ ଥାନକୁ ଯାଉଛନ୍ତି, ଭେଟିଲେ ତ ତାଙ୍କୁ ଏ ପଞ୍ଝାକ । ସେଠୁ ଲାଗିଲା ଦି’ପକ୍ଷର ଭାରି ପିଟାପିଟି । ମାଡ଼ଗୋଳ ତାଙ୍କ ହୋ ହା ଘୋଘାରେ ଦାଣ୍ଡ କମ୍ପି ଯାଉଥାଏ । ମାଇପେ ତରସ୍ତ ହେଇ ଘର କୋଣରେ ଲୁଚିଥାନ୍ତି । ସାଆନ୍ତେ ଗାଁଆରେ ନ ଥାନ୍ତି । ହରି ଆଉ ଗୁରୁଚରଣ ଘଟଣା ଯାଗାକୁ ଗଲେ । ସେତେବେଳକୁ ଲୋକେ ଥାଟପଟାଳ । ହୋ ହା ରେ କିଏ କାହା କଥା ଶୁଣୁଚି, କିଏ ଧରିଚି ଠେଙ୍ଗା, କିଏ ଧରିଚି ବାଡ଼ି, କାହା ହାତରେ ଅଛି ଟାଙ୍ଗିଆ । କିଏ ପୁଣି ବିଲର ନଙ୍ଗଳ ଫାଳ ଘିନି ଦଉଡ଼ିଛି । ପୁଲିସ ଆସି ଠିଆ ହେଲେଣି । ଧରା ଧରି ଲାଗିଲାଣି ।

 

ହରି ଆଉ ଗୁରୁଚରଣ ଜୀବନର ମାୟା ନ ରଖି ମଝିରେ ପଶିଲେ । ପାଟି କରି ଡାକିଲେ ‘‘ଥିର ହୁଅ, ଥିର ହୁଅ । ସାଆନ୍ତ ଘର ଲୋକ ଦେଖି ପ୍ରଜାମାନେ ଟିକେ ଚପି ଗଲେ । ଯାହାକୁ ଯେମିତି ବୋଧବାଧ ଦେଇ ବଡ଼ କଷ୍ଟରେ ଦଙ୍ଗା ହେଙ୍ଗାମା ଭାଙ୍ଗିଲେ । ସେ ଦିନଟା ଗଲା । ଆର ଦିନ ଆଖଡ଼ା ପଡ଼ିଆରେ ବସିଲା ସଭା । ସାଆନ୍ତ ବି ଏ ଖବର ପାଇ କଟକରୁ ସେହି ରାତି ରାତି ପଳେଇ ଆଇଲେ । ସଭାରେ ସାଆନ୍ତେ ଠିଆ ହୋଇ ହାତଯୋଡ଼ି କହିଲେ, ‘‘ଭାଇମାନେ କିବା କଥାକୁ ତମେ ସବୁ ଏଡ଼େ କାଣ୍ଡଟା କରି ବସିଲ । ଟିକେ ଥୟ ଧରି ଭାବ । ଗାଈ ଆମ ହିନ୍ଦୁ ଶାଆସ୍ତ୍ର ମତରେ ଗୋମାତା ସତ, କିନ୍ତୁ ମଣିଷ ଜୀବନ ସବୁଠୁ ବଡ଼ । ଗୋମାତାଙ୍କୁ ରକ୍ଷା କରିବାକୁ ଯାଇଁ ଯେ ତେମେ ଭଗବାନଙ୍କ ପିଲାଙ୍କୁ, ଦେଶମାତାଙ୍କ ପୁଅଙ୍କୁ ମରାମରି କଟାକଟି କଲ । ଯେଝା ଶାସ୍ତ୍ରମତେ ଯେ ଚଳିବେ । ତା ବୋଲି ଧର୍ମ ନାଁରେ କଳିଗୋଳ, ମାଡ଼ ପିଟାପିଟି ମୁଣ୍ଡ ଫଟାଫଟି, କଣ ଭାରି ବାହାଦୂରୀ ?’’ ତାଙ୍କର କଥା ପଦେ ନ ସରୁଣୁ ସଭା ଭିତରୁ ଜଣେ ଉଗ୍ରମୂର୍ତ୍ତି ହିନ୍ଦୁ ଲୋକ ବାହାରିପଡ଼ି କହିଲା, ‘‘କିଆଁ, ଗୋବଧଠୁ ବଳି ପାପ ନାହିଁ । ପଠାଣ ଗୋରୁ ମାରିବେ ଆମେ ଅନେଇ ଦେଖୁଥିବୁଁ । ତା କଥା ଶୁଣି ପଠାଣ ପଞ୍ଝାଏ ଉଠି ଠିଆ ହେଇଗଲେ । ସଭା ଥଳରେ ଯୁଦ୍ଧ ଲାଗିଯିବ ପରା । ୟା ଭାବି ପୁଣି ସାଆନ୍ତେ ବଡ଼ ପାଟିରେ କହିଲେ, ଭଗବାନ ନାମରେ ଥିରହୁଅ ଥିରହୁଅ । ଗୋବଧ ହିନ୍ଦୁଧର୍ମମତରେ ଭାରି କିନ୍ତୁ ହିଁସା ସାହସ ଗୋବଧଠୁ ବଳି-। ତେମେ ମଣିଷ ମଣିଷ ହିଁସାହିସିଁ ହେଇ ଭଗବାନଙ୍କ ରାଇଜକୁ ଲହୁ ରକତରେ ବୁଡ଼ାଅ ନାହିଁ, ମୁଁ ହାତଯୋଡ଼ି କହୁଚି, ଭଲରେ ଭାବି ଦେଖ, ହିନ୍ଦୁ କିଏ ମୁସଲମାନ କିଏ, ଏକା ମାଁଆଙ୍କର ଦୋଟି ପୁଅ । ଜଣକ କଷ୍ଟରେ ଆର ଜଣଙ୍କର କଷ୍ଟ । ଦିଗୋଡ଼ରୁ ଗୋଟାଏ ଛୋଟା ହେଲେ ଆଉ ଚାଲି ହବ ତ ? ଦି’ଆଖିରୁ ଗୋଟାଏ କଣା ହେଲେ କେତେ କଷ୍ଟ । ଆଗ ପଛ ଭାବି ଦେଖ ! ଆମ ଦେଶ ତମରି କଜିଆ ଦଙ୍ଗାରେ ଛାରଖାର ହେଲା । ରାଇଜରୁ ଧରମ ପଳେଇଲା । ଭାଇ ଭାଇ ଏକା ନାହି ଦି’ଖଣ୍ଡ ଏପରି କଳିକଜିଆ କରି ଗୋରାଙ୍କ ଆଗରେ ଆପଣା ଛୋଟପଣିଆ ଦେଖେଇଲଟି । ଦଉଡ଼ିଟା ଛିଣ୍ଡେଇବା ଶକତ କଥା, ସୂତା କେରାକ ଫୁଟୁକିନା ଛିଣ୍ଡିଯିବ । ଏ ସବୁ ଭାବିବ ଚିନ୍ତିବ, ତେବେ ଯାଇଁ ଦେଶର ମଙ୍ଗଳ ହବ । ହିନ୍ଦୁ କଣ ଛେଳି ମଇଁଷି ବଳୀ ଦଉନାହାନ୍ତି ? ଧରମ ସକାଶେ ଆପଣା ଭାଇର ତ୍ରୁଟି ସହିବ । କଣ ତମ ପକ୍ଷରେ ଭଲ ନୁହଁ କି ? ଖାଇବା ସକାଶେ ଗୋରୁ ହାଣିଲେ ମହାପାପ ! ମୁଁ ସେହିଟାରେ ହଁ ଭରିବି ନାହିଁ । କାହିଁକି ନା ଆମେ ତା ଦୁଧ ଖାଉଚୁ । ଦୁଧ ପରି ବଳିଷ୍ଠ ଚିଜ କଣ ଅଛି ? ଘିଅ ପରି ଶ୍ରେଷ୍ଠ ଜିନିସ ଆଉ କଣ ଅଛି ? ଆମ ପିଲାଏ ପିଲାଦିନୁ ଘିଅ ଦୁଧ ଖାଇ ତାଜା ହେବେ । ଗୋରୁ ମାରିଲେ ଘିଅ ଦୁଧ ପାଇବୁ କୋଉଠୁ ? ହେଲେ ଧରମ କଥାଟା ଦିନକ ସକାଶେ ତମକୁ ଭଗବାନଙ୍କ ମୁହଁ ଚାହିଁ ଦେଶର ହିତ ଚିନ୍ତି ସହ୍ୟ କରିବାକୁ ପଡ଼ିବ । ନୋହିଲେ ଗୋଟାଏ ଗୋରୁ ବଦଳି ଚାରିଟା ମଣିଷ ପ୍ରାଣ ଯିବ । ଜାତି ଜାତି ଭିତରେ, ଭାଇ ଭାଇ ଭିତରେ ହିଁସାହିଁସି ରେଷାରେଷି ଲାଗି ଦେଶ ଉଚ୍ଛନ୍ନ ଯିବ । ଏଇଟା କଣ ଭଲ ?

 

ସେ ଦିନ ସଭା ସରୁ ସରୁ ରାତି ୯ଟା ହେଲା । ସାଆନ୍ତ ବଡ଼ ଥକାସି ହେଇ ଘରକୁ ଗଲେ । ରାତିରେ ତାଙ୍କୁ ପଙ୍ଖା ବିଞ୍ଚୁ ବିଞ୍ଚୁ ଗୋଡ଼ ଟିପୁ ଟିପୁ ରତନୀ ଆଉ ଉମା ସବୁ ହାଲ ପଚାରିଲେ । ସାଆନ୍ତ ତାଙ୍କୁ ଗୋଟି ଗୋଟି କରି ସବୁ କହିଲେ । ଶୁଣି ସେମାନେ ଭାରି ଦୁଃଖ କଲେ ।

 

ଉମା କହିଲା ‘‘ମଲା, ଏମାନେ ମଣିଷ ମାରି ଧରମ ଅରଜୁଛନ୍ତି । ସାଆନ୍ତେ କହିଲେ ଦେଖୁଛ ତ ହାଲ । ବୁଝେଇ ବୁଝେଇ ଥକିଲିଣି । ବୁଝିଲେ କି ନାହିଁ କିଏ ଜାଣେ ?

ହେଲେ ସେହିଦିନୁ ଆଉ ସେ ଅଞ୍ଚଳରେ ହିନ୍ଦୁ ମୁସଲମାନ ଦଙ୍ଗା ହେଙ୍ଗମା କଥା ଶୁଣା ନାହିଁ । ବେଶ ମିଳିମିଶି ଚଳି ଲାଗିଲେ । ଆରବର୍ଷ ଇଦ ବେଳେ ଯେତେବେଳେ ମୁସଲମାନ ଛେଳି ଘେନି କୋରବାଣୀ କଲେ ହିନ୍ଦୁମାନେ ମିଶି ତାଙ୍କୁ ଧନ୍ୟ ଧନ୍ୟ କହିଲେ । ସାଆନ୍ତେ ଗୋଟିଏ ସଭା କରି ତାଙ୍କୁ ଭାରି ପ୍ରଶଂସା କଲେ ।

 

ସାଆନ୍ତଙ୍କ ସବୁ ହେଇ ତିନିପୁଅ ଚାରି ଝିଅ ହେଲେ । ରତନୀର ଦି’ପୁଅ ଦି’ଝିଅ । ବଡ଼ ନାଁ ହେମଚନ୍ଦ୍ର, ସାନ ନାଁ ପ୍ରେମଚନ୍ଦ୍ର । ଉମା ପୁଅ ନାଁ ସୁଧୀରଚନ୍ଦ୍ର । ଉତ୍ତମାର ଏକାକେ ଚାରିପୁଅ ଆଉ ଝିଅଟି । ତା’ପୁଅଙ୍କ ନାଁ ହେଲା ବସନ୍ତ, ଶରତ, ହେମନ୍ତ, ଶିଶିର, ଆଉ ଝିଅମାନଙ୍କ ନାଁ ଦେଲେ ଉତ୍ତମା, ଝିଅ ନାଁ ପ୍ରିୟତମା, ଉମା ଝିଅ ନାଁ ସୁଷମା, ରତନୀ ଝିଅ ନାଁ ଶ୍ୟାମା, ସରମା ! ଏତେଗୁଡ଼ିଏ ପିଲାଙ୍କୁ ମାଁମାନେ ଭାରି ଯାବତାରେ ରଖିଥିଲେ ।

 

ମାଁମାନେ ଦି’ଅକ୍ଷର ଜାଣନ୍ତି । ପିଲାଙ୍କୁ ଧରି ପିଲାଟିଦିନୁ ବିଦ୍ୟା ପଢ଼େଇଲେ, ଖେଳ ଶିଖେଇଲେ, ଧର୍ମ୍ମ କଥା କହିଲେ । ଗାଆଣା ବାଜଣା ଶିଖେଇଲେ । ଜମିଦାର ଘର ପିଲା ହେଲେ ମଧ୍ୟ ମୋଟ ଖିଆ ମୋଟ ପିନ୍ଧାରେ ତାଙ୍କୁ ପିଲାଟି ଦିନୁ ଚଳେଇଲେ ।

 

ଦିନେ ବ୍ରଜବନ୍ଧୁ ମାଁହରିକା ବୁଲି ଆସିଥିଲେ । ପିଲାଏ ଚାହାଳୀରୁ ଆସି ଖାଇ ବସିଲେ । ତାଙ୍କୁ ଦିଆଗଲା ପଖାଳଭାତ, ଆଳୁ ବାଇଗଣ ଭରତା । ତାଙ୍କ ଖିଆ ଦେଖି ବ୍ରଜମା ଚମକି ପଡ଼ି ଉମାକୁ କହିଲେ, ଏ ଦେଈ ତମ ପିଲାଏ ବେଶ ସୁଧୀରା । ୟା ଧରି ଯେ ଭାତ ଘିନୁଛନ୍ତି, ଆମ ପିଲାଙ୍କୁ ତ ଖଜା ରସଗୋଲା ଦେଲେ ବି ଅବୁଝା । ଉତ୍ତମା ଜିଭ କାମୁଡ଼ି କହିଲା, ‘‘ନାନି ତମେ ପିଲାଙ୍କୁ ବଜାର ଜଳଖିଆ ଖୁଆଅ !

 

ବ୍ରଜମାଁ ହସି ହସି କହିଲେ, ‘‘ମଲା କଣ ହେଲା, ରାଇଜ ଲୋକ ଖାଉଚନ୍ତି, ଆମର କିଏ ଏତେ ବାଟିବ ଘଷିବ ପିଠା ପଣା କରିବ ? ଉମା କହିଲା, ‘‘ଆଛା ତମର ବି କାମଟି ! ନିତିନାଁ ତାସ ପଶାପାଲି ଖେଳୁଚ, ଆଉ ପିଲାଙ୍କୁ ବଜାର ଜଳଖିଆ ଖୁଆଉଛ । ଏଥିରେ ଦେହ ଭଲ ରହେତି ? ବ୍ରଜ ମା ଗର୍ବରେ ଫୁଲି କହିଲା, ‘‘ଆମ ଘରେ ନିତି ବଇଦ, ନିତି ଡାକତର । ଆମ ବାବୁ ପିଲାଙ୍କ ଦିହ ଟିକେ ଇସ୍‌କିନା ହେଲେ ବଡ଼ ଡାକତରଙ୍କୁ ଘିନିଯିବେ । ଆମ ପିଲାଏ ବଡ଼ ସୁକୁମାରିଆ । ରତନୀ କହିଲା, ‘‘ପିଲାଟି ଦିନୁ ସୁକୁମାରିଆ କରୁଚ, ବଡ଼ ଦିନକୁ କୋଉ କାମର ଯୋଗ୍ୟ ହେବେ ନାହିଁ ।’’ ଢାଳେ ପାଣି ତ କାଢ଼ି ପାରିବେ ନାହିଁ।

 

ବ୍ରଜ ମା ବାହାଦୂରୀ ଦେଖେଇ କହିଲା, ‘‘ମଲା, ବାବୁଘର ପିଲାଏ ପାଣି କିଆଁ କାଢ଼ିବେ, କାଠ କିଆଁ ହାଣିବେ । ସେ କଣ ଆଉ ହଳ କରିବେ ନାଁ ନଙ୍ଗଳ ଧରିବେ । ତାଙ୍କ ଗୋଡ଼ତଳକୁ କେତେ ଚାକର । ବାପ ଯେତେ ହେଲେ ଦିପୋଟି ! ନାଁ ଗାଁ ତ ପଡ଼ିଛି ।’’

 

ତାଙ୍କ କଥାରେ ଉମା ଉତ୍ତମା ଭରସି କିଛି ଉତ୍ତର ଦେଲେ ନାହିଁ । ହେଲେ ରତନୀ ଛାଡ଼ିଲାର ନୁହେ, ସେ କହିଲା, ‘‘ଅଳସୁଆ ହେଇ ମେଜ ଚଉକିରେ ହାତ ଗୋଡ଼ ଯୋଡ଼ି ବସିଲେ ମଣିଷ ମଣିଷ ହୁଏ ନାହିଁ ।’’ ଏଥର ବ୍ରଜ ମା ରାଗି କହିଲା, ‘‘ଆମେ ତ ବାହ୍ମୁଣ, ଚଷା ନୋହୁ ଯେ ପଖାଳ କଂସାଏ ଖାଇ ବିଲକୁ ଯିବୁଁ ।

 

ରତନୀ କହିଲା, ‘‘ସତ କଥା, ଯାହାର ନାହିଁ ଚାଷ, ତାହାର ନାହିଁ ବାସ । ହାତେ ଅରଜିବୁଁ ହାତେ ଖାଇବୁଁ । ଗୋଡ଼ହାତ ବାନ୍ଧି କାଠ ମୁଣ୍ଡିଆପରି ବସିବାଟା ମଣିଷଙ୍କୁ ଅଶୋଭା । ସେଥିରେ ମଣିଷପଣିଆ ନଷ୍ଟ ହୁଏ ।

 

ବ୍ରଜମା ଆଉପାଟି ଫିଟେଇଲେ ନାହିଁ । ରତନୀହେରିକା ତାଙ୍କୁ ବିରସ ଦେଖି କହିଲେ ଆସ ନାନି ଗ୍ରାମୋଫୋନ ଶୁଣିବା । ତାଙ୍କସାଙ୍ଗେ ମୁଁ ବି ଟିକେ ଶୁଣି ଅଇଲି । ଗ୍ରାମୋଫୋନ ଗାଇଲା ।

 

ଉଠ ଉଠ ହେ ତିରିଶ କୋଟି

      ଏକମନେ ଏକ ପରାଣେ,

ଏକା ମାଁଆର କୁମର ସଭିଏଁ

      ରହିଥାଉ ସଦା ଧିଆନେ ।

 

ଲାଗୁ ହେ ତୁମକୁ ତୁମ ଦେଶଚିନ୍ତା,

      ଛାଡ଼ କଳି ଗୋଳ ଅନିଷ୍ଟ ଅହନ୍ତା

ସ୍ୱରଗ ହୁଅନ୍ତା ଏ ଭାରତଭୂଇଁ

      ମିଶିଲେ ତୋହରି ସନ୍ତାନେ । ୧ ।

 

ଏକା ଆମ ରକ୍ତ, ଏକାଆମ ସ୍ୱାର୍ଥ

      ମିଛ ହିଂସା ଦ୍ୱେଷ କରୁଛି ବିଅର୍ଥ,

ଛାଡ଼ ନିଜ ସ୍ୱାର୍ଥ ଲୋଡ଼ ହେ ପରାର୍ଥ

      ମିଶ ହେ ଭାରତ ସନ୍ତାନେ ।

 

ହିମାଳୟଠାରୁ କୁମାରିକା ଯାଏ

      ଉଡ଼ୁ ଦେଶେ ଦେଶେ ପତାକା ପରାଏ,

ଭାରତର ଜୟ ଜନନୀର ଜୟ

      ଲୟରଖି ଶ୍ରୀ ଭଗବାନେ ।

 

ମୁଁ ଗୀତଶୁଣି ଘରକୁ ଅଇଲି । ମନରେ ହେଲା ଏଇ ନଅତୁଣ୍ଡୀ କଜିଆଖୋରଣୀ ରତନୀ-। ନାଁ ଓଡ଼ିଆ କୁଳରତନ ଗୁଣସାଗରୀ । ମୋ କଥାଟି ସଇଲା ଫୁଲ ଗଛଟି ମଲା । ହଇଲୋ ଫୁଲ ଗଛ ତୁ କିଆଁ ମଲୁଁ ? ତେତେ ଏତେ ଯତନ କରି ପାଣିଦେଇ ବଢ଼େଇଥିଲି । ଫୁଲଗଛ କହିଲା ମୋ ଦୋଷ କଣ, ମେତେପରା କାଳିଗାଈ ଖାଇଲା । ହଇଲୋ କାଳୀ ଗାଈ ତୋତେ ପାଳଗଦା ବି ଅଣ୍ଟିଲା ନାହିଁ, କୁଣ୍ଡା ତୋରାଣୀ ଅଣ୍ଟିଲା ନାହିଁ । ତୁ ଗଲୁ ମୋର ଏଡ଼େ ଶରଧାର ଫୁଲଗଛ ଖାଇଲୁ-। କାଳୀ ଗାଈ କହିଲା, ସାଆନ୍ତାଣୀ ମୋ ଦୋଷ କଣ । ମେତେ ପରା ମାଧିଆ ଗଉଡ଼ ଜଗିଲା ନାହିଁ । ହଇରେ ଗଉଡ଼ ଟୋକାତୁ କିଆଁ ଜଗିଲୁ ନାହିଁ । ଗଉଡ଼ ଟୋକା କହିଲା, ମୋତେ ପରା ରତନୀ ସାଆନ୍ତାଣୀ ପଖାଳ ଭାତ କଁସାକ ଦେଲେ ନାହିଁ । ହଇ ଲୋ ରତନୀ ! ତୋର ଏଡ଼େ ଚାତର । ସାଆନ୍ତ ଘରକୁ ଆସି ସାଆନ୍ତାଣୀ ହେଲୁ ଖଟ ପଲଙ୍କରେ ବସିଲୁଁ । ରତନୀ କହିଲା, ମୋ ଦୋଷ କଣ, ମୋ ପିଲା ପ୍ରେମା ପରା କାନ୍ଦିଲା । ହଇରେ ପ୍ରେମା ତୁ କିଆଁ କାନ୍ଦିଲୁ । ପ୍ରେମା କହିଲା, ମୋ ଦୋଷ କଣ ମୋତେ ପରା ଧୂଳିଆ ଜନ୍ଦା କାମୋଡ଼ିଲା । ହଇରେ ଧୂଳିଆ ଜନ୍ଦା ତୁ କିଆଁ ଆମ ପ୍ରେମାବାବୁଙ୍କୁ କାମୋଡ଼ିଲୁ । ଧୂଳିଆ ଜନ୍ଦା କହିଲା, ମୋତେ କି ସାମାନ୍ୟ ବୁଝିଛ । ମୁଁ ଧୂଳିରେ ଥାଏଁ, କଅଁଳ ମାଉଁଶ ଟିକିଏ ପାଇଲେ ରୁଟୁ କିନାଁ କାମୋଡ଼ି ଦିଏ । ମେତେ କଣ ଊଣା ସମଜିଚ । ମୁଁ ପରା ସଂସାର ଠାକୁର ନାଁ ନେଇଚି । ବିଷ୍ଣୁ ଗୁପୁତ । ଧୂଳିରେ ମୋ ଦିହ ଘୋରିପୋରି ହେଇଁ କଅଁଳ ମାଉଁଶ ଟିକିଏ ପାଇଲେ ରୁଟୁକିନା କାମୋଡ଼ି ଦିଏଁ । ହଇରେ ଧୂଳିଆ ଜନ୍ଦା ବିଷ୍ଣୁ ଗୁପୁତ ତେତେ ମୋର କୋଟି ଦଣ୍ଡବତ୍‌ ।

 

ସମ୍ପୂର୍ଣ୍ଣ